କ୍ୱାର୍ଟର୍ସ ଛାଡ଼ ନୋଟିସ୍‌ ପରେ ତେଜିଲା ରାଜନୀତି : ହିକକା ମନାକଲେ, ଅସନ୍ତୋଷ ଉଗାଳିଲେ ଦେବାଶିଷ, ବିଦ୍ୟୁତ୍‌ ଓ ପାଣି ବନ୍ଦ କରିବାକୁ ବାଚସ୍ପତିଙ୍କ ନିର୍ଦେଶ

ଭୁବନେଶ୍ବର : ଡାକ୍ତର ଦାେମାଦର ରାଉତ। ଏକାଧିକ ବାର ମନ୍ତ୍ରୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରରେ। ଗତ ନିର୍ବାଚନ ପୂର୍ବରୁ ଦଳବଦଳ କରିଥିଲେ ଏବଂ ହାରିଲେ। ତାଙ୍କ ପୁଅ ଏବେ ବିଜେଡି ବିଧାୟକ।

ସେହିଭଳି ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କ୍ରମାଗତ ଭାବେ ଜିତି ଆସୁଥିଲେ ବାସୁଦେବପୁର ନିର୍ବାଚନମଣ୍ଡଳୀରୁ। ଗତ ସରକାରରେ ବି ମନ୍ତ୍ରୀ ଥିଲେ। ଏଥର ପ୍ରାର୍ଥୀ େହାଇନଥିଲେ। ସେହି ଆସନରୁ ବିଧାନସଭାକୁ ନିର୍ବାଚିତ େହାଇଛନ୍ତି ତାଙ୍କ ପୁଅ। ଗତ ସରକାରରେ ପ୍ରଭାବଶାଳୀ ମନ୍ତ୍ରୀ ତାଲିକାରେ ଥିଲା ପୁେଷ୍ପନ୍ଦ୍ର ସିଂହଦେଓ ଓ ସଂଜୟ ଦାସବର୍ମାଙ୍କ ନାମ। ଏବେ ବି ଉଭୟ ବିଧାୟକଙ୍କର ବିେଜଡିରେ ଦବଦବା ରହିଛି।

ଏମାନଙ୍କ ସମେତ କ୍ବାର୍ଟର୍ସ ଛାଡିନଥିବା ଅନେକ ପୂର୍ବତନ ମନ୍ତ୍ରୀ ଓ ବିଧାୟକଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଜୁନ ମାସରୁ ଏସବୁ େନତାଙ୍କ କ୍ବାର୍ଟର୍ସ ବାତିଲ୍ ପରେ ବି କାହିଁକି ସେମାନେ ଛାଡିନାହାନ୍ତି, େସ େନଇ ବାଚସ୍ପତି କ୍ଷୁବ୍ଧ। ସିଧା ସିଧା ଜଣାଇଛନ୍ତି, ପୂର୍ବତନ ବିଧାୟକ ଓ ମନ୍ତ୍ରୀମାନେ କ୍ବାର୍ଟର୍ସ ଛାଡିଦେବା ଦରକାର। ଅନ୍ୟଥା ନବ ନିର୍ବାଚିତ ବିଧାୟକମାନଙ୍କ ପାଇଁ ସମସ୍ୟା ସୃଷ୍ଟି େହଉଛି। େଯଉଁମାନେ ଛାଡୁନାହାନ୍ତି, ସେମାନଙ୍କ ବିଜୁଳି ଓ ପାଣି ସେଂଯାଗ କାଟିଦେବା ଲାଗି ମଧ୍ୟ ବାଚସ୍ପତି ନିର୍ଦେଶ ଦେଇଛନ୍ତି।

ବାଚସ୍ପତିଙ୍କର ଏଭଳି କଠୋର ଆଭିମୁଖ୍ୟ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଛି। ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା େଜାର ଧରିଲାଣି। ସେପଟେ ସରକାର ଅଡ଼ୁଆରେ ପଡିଯାଇଛନ୍ତି। କାରଣ, ଏଯାଏ ଏ ପ୍ରସଙ୍ଗରେ ବିେରାଧୀ ଦଳର ନେତାମାନେ ସେଭଳି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି, େଯମିତି ସରକାରୀ ଦଳର ନେତା ମନ୍ତବ୍ୟ ରଖିଛନ୍ତି। ଶାସନ ବ୍ୟବସ୍ଥାର ଦୋଷ ତ୍ରୁଟି କାଢି ବିଷ ଉଗାଳିଛନ୍ତି। ପୂର୍ବତନ ବିଧାୟକ ଝିନ୍ନ ହିକକା କ୍ବାର୍ଟର୍ସ ଛାଡିବେନି େବାଲି ମନା କରିଦେଇଛନ୍ତି। ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ କ୍ବାର୍ଟର୍ସ ଛାଡିବା ପ୍ରସଙ୍ଗକୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ଟାଣିଛନ୍ତି। ତାଙ୍କୁ େଯଭଳି ଅପମାନିତ କରାଗଲା, େସ େନଇ େଖାଲା ଅସନ୍ତୋଷ ବି ଝାଡିଛନ୍ତି।

ନିର୍ବାଚନରେ ପରାଜୟ ବରଣ କରିଥିବା େନତାମାନଙ୍କ ସରକାରୀ କ୍ବାର୍ଟର୍ସ ଆବଣ୍ଟନ ଜୁନ ମାସରେ ବାତିଲ୍ େହାଇଛି। ଏହି ତାଲିକାରେ ବିଜେପି ରାଜ୍ୟ ସଭାପତି ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ, ନନ୍ଦିନୀ ଦେବୀ, ପ୍ରଭାତ କୁମାର ତ୍ରିପାଠୀଙ୍କ ନାମ ରହିଛି। ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ସଂଜୟ ଦାସବର୍ମା, ଦେବାଶିଷ ନାୟକ, ଗୋଲକ ବିହାରୀ ନାୟକ, ରମେଶ ମାଝୀ, ସଞ୍ଜୀବ ସାହୁ, ସରୋଜିନୀ ହେମ୍ବ୍ରମ୍, ପୂର୍ବତନ ବିଧାୟକ ଭୂଜବଳ ମାଝୀ, କିଶୋର ତରାଇ, ମହେଶ ସାହୁ, ନୀତେଶ ଗଙ୍ଗଦେବ, ଝିନ୍ନ ହିକକା, ସରୋଜ କୁମାର ସାମଲ, ପ୍ରବୀଣ ଚନ୍ଦ୍ର ଭଂଜଦେଓ, ଦିବଂଗତ ବିଧାୟକ ସୁବଳ ସାହୁ, ପୂର୍ବତନ ବାଚସ୍ପତି ସାନନ୍ଦ ମାରାଣ୍ଡି, ଧନେଶ୍ବର ମାଝୀଙ୍କୁ ଦିଆଯାଇଥିବା କ୍ବାର୍ଟର୍ସ ବି ସରକାର େଫରାଇ େନଇଛନ୍ତି। ଏଯାଏ କିନ୍ତୁ ଏହି ତାଲିକା ମଧ୍ୟରୁ ବହୁ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ବାର୍ଟର୍ସ ଛାଡିନାହାନ୍ତି। ଓଲଟା ପ୍ରସଙ୍ଗଟି ଏବେ ବିବାଦୀୟ େମାଡ଼ ନେଲାଣି।

ବାଚସ୍ପତିଙ୍କ କହିବା କଥା େହଉଛି, ପୁରୁଣା ବିଧାୟକ କ୍ବାର୍ଟର୍ସ ନ ଛାଡିଲେ, ନୂଆ ବିଧାୟକଙ୍କୁ ଏସବୁକୁ ଆବଣ୍ଟନ କରିବା ସମ୍ଭବ ନୁହେଁ। ଏଣୁ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ହେବ।

ତେବେ ବାଚସ୍ପତିଙ୍କ ପଦକ୍ଷେପ ଉପରେ ବିରୋଧୀ ମାପିଚୁପି ପ୍ରତିକ୍ରିୟା ରଖୁଥିବା ବେଳେ ବିଜେଡିର ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଖୋଲାଖୋଲି ମୁଖ୍ୟମନ୍ତ୍ରୀ ଓ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବାଚସ୍ପତି ଯେଭଳି ଢଙ୍ଗରେ କ୍ବାର୍ଟର୍ସ ଛାଡ଼ିବା ପାଇଁ ନୋଟିସ ପଠାଇଛନ୍ତି ତାହା ଆଦୌ ଶୋଭନୀୟ ନୁହେଁ ବୋଲି ସେ କହିଛନ୍ତି।

ଶ୍ରୀ ନାୟକ ଆହୁରି କହିଛନ୍ତି, କ୍ଷମତାରେ ବିଜେଡି ସରକାର ଥାଇ ଖୋଦ ଦଳର ପୂର୍ବତନ ବିଧାୟକଙ୍କ ପ୍ରତି ଏଭଳି ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ। କ୍ବାର୍ଟର୍ସ ଛାଡ଼ିବାକୁ ବାଚସ୍ପତି ଫୋନରେ କଥା ହୋଇପାରିଥାନ୍ତେ। ପିଅନ ହାତରେ ନୋଟିସ ପଠାଇବା ଉଚିତ ନଥିଲା। ଶ୍ରୀ ନାୟକ କହିଥିଲେ, ବିଜୁ ଜନତା ଦଳ ଗଠନ ବେଳେ ଦିଲ୍ଲୀରୁ ଓଡ଼ି଼ଶା ପର୍ଯ୍ୟନ୍ତ ସେ ନବୀନଙ୍କ ସାଥିରେ ଥିଲେ। ଏବେ ଦଳ ଯେମିତ ଚାଲିଛି ସେଥିରେ ସେ ଫିଟିଂ ହେଉନାହାନ୍ତି। ତାଙ୍କ ପ୍ରତି ଯାହା ବ୍ୟବହାର ଦେଖାଯାଇଛି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଶାସନ କେମିତି ଚାଲିଛି ସାଧାରଣ ଲୋକ ସେ ନେଇ କହିବେ ବୋଲି ମନ୍ତବ୍ୟ ରଖି ଦେବାଶିଷ ନିଜ ଅସନ୍ତୋଷ ଜଣାଇଛନ୍ତି।

ଶ୍ରୀ ହିକକା କିନ୍ତୁ କ୍ବାର୍ଟର ଛାଡ଼ିପାରିବେନି ବୋଲି ରୋକଠୋକ୍ ମନା କରିଦେଇଛନ୍ତି। ସେ କହିଛନ୍ତି, ତାଙ୍କ ପାଇଁ କିଛି ସମସ୍ୟା ଥିବାରୁ (ନକ୍ସଲ ଅପହରଣ ପରେ) ତାଙ୍କୁ ଏହି ଘର ସରକାର ଦେଇଥିଲେ। ଏବେ ବାଚସ୍ପତିଙ୍କ ନୋଟିସ ପାଇବା ପରେ ସେ ତାଙ୍କର ସମସ୍ୟା ନେଇ ପୁଣି ଥରେ ଜଣାଇଛନ୍ତି।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଏବେ ବି ପୂର୍ବତନ ବିଧାୟକମାନଙ୍କ ପୁଅ କି ଝିଅ ରାଜଧାନୀରେ ପାଠ ପଢ଼ୁଥିବେ। ବର୍ଷ ଅଧାରେ ପାଠପଢ଼ା ଛାଡ଼ି ଯିବା ସମ୍ଭବ ନୁହେଁ। ତେଣୁ ପୂର୍ବତନ ବିଧାୟକଙ୍କ ସମସ୍ୟା ଦେଖି ବାଚସ୍ପତି ସେମାନଙ୍କୁ ଆଉ କିଛି ଦିନ ଅଧିକ ସମୟ ଦେବା ଉଚିତ।

ଉଲ୍ଲେଖଯୋଗ୍ୟ ଯେ ୨୦୧୯ ନିର୍ବାଚନରେ ବିଜେଡି ସୁପ୍ରି ମୋ ନବୀନ ପଟ୍ଟନାୟକ ପୂର୍ବତନ ବରୀ ବିଧାୟକ ଦେବାଶିଷ ନାୟକଙ୍କୁ ଟିକେଟ ଦେଇନଥିଲେ। ଆଜିଯାଏ କିନ୍ତୁ ସେ ଏହା ଉପରେ େଖାଲା ଅସନ୍ତୋଷ ବ୍ୟକ୍ତ କରିନଥିଲେ ବରଂ ନିରବ ଥିଲେ। ହେଲେ କ୍ବାର୍ଟର୍ସ ଆବଣ୍ଟନ ପ୍ରସଙ୍ଗଟି ତାଙ୍କ ଧର୍ଯ୍ୟର ବନ୍ଧ ଭାଙ୍ଗିଦେଇଛି। ତାଙ୍କ ବକ୍ତବ୍ୟରୁ ବିଜେଡି ଭିତରେ ଥିବା ଅସନ୍ତୋଷ ଦାନା ବାନ୍ଧୁଥିବା ଆଭାସ ମିଳିଛି।

ସମ୍ବନ୍ଧିତ ଖବର