‘ଜିରୋ କାଜୁଆଲିଟି’କୁ ନେଇ ରାଜନୀତି

ବିଜେପି କହିଲା, ଡାହା ମିଛ କହୁଛନ୍ତି ସରକାର, ବିଜେଡିର ଜବାବ, ୩ ‌ଲକ୍ଷ ଲୋକଙ୍କ ସ୍ଥାନାନ୍ତର ଆଖିକୁ ‌ଦେଖାଗଲାନି
ଭୁବନେଶ୍ବର : ‘ତିତଲି’କୁ ନେଇ ଦକ୍ଷିଣ ଓଡ଼ିଶାରେ ଅସମ୍ଭାଳ ସ୍ଥିତି ହୋଇଥିଲା ବେଳେ ସରକାରଙ୍କ ତଥାକଥିତ ‘ଜିରୋ କାଜୁଆଲିଟି’କୁ ‌ନେଇ ରାଜନୀତି ଜୋର୍ ଧରିଛି। ସରକାରୀ ଭାବେ ବାତ୍ୟା‌ ଓ ପରବର୍ତ୍ତୀ ସମୟରେ ବନ୍ୟା ଯୋଗୁ କେତେ ଲୋକ ମରିଛନ୍ତି, ତାହାର ହିସାବ ଏ ଯା‌ଏ ଦିଆଯାଇନି। ତେବେ ବିଜେପି ଓ ବିଜେଡି ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି। ବାତ୍ୟା ପୂର୍ବରୁ ରାଜ୍ୟ ସରକାର ‘ଜିରୋ କାଜୁଆଲିଟି’ କଥା କହି ଡିଣ୍ଡିମ ପିଟୁଥିଲା ବେଳେ ଏବେ ଅସଲ ଚେହେରା ଧରାପଡ଼ିଯାଇଛି ବୋଲି ବିଜେପି ଅଭିଯୋଗ କରିଛି। କିନ୍ତୁ ବିଜେଡି ଏହାକୁ ଗ୍ରହଣ କରି ନାହିଁ। ସରକାରଙ୍କୁ ପ୍ରସ୍ତୁତି ଓ ମୁକାବିଲା ଠିକ୍ ରହିଛି ବୋଲି ବିଜେଡି ଯୁକ୍ତି ବାଢ଼ିଛି।

ରାଜ୍ୟ ବିଜେପିର ତିନିଟି ପ୍ରତିନିଧି ଦଳ ପ୍ରଭାବିତ ଅଞ୍ଚଳ ଗସ୍ତ କଲା ପରେ ଦଳ ପକ୍ଷରୁ କୁହାଯାଇଛି, ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ପରିଚାଳନା ଓ ଆସନ୍ନ ବନ୍ୟାର ସମ୍ମୁଖୀନ ହେବା ପାଇଁ ଆବଶ୍ୟକ ପ୍ରାକ୍ ପ୍ରସ୍ତୁତି ନ ଥିବାରୁ ଗଞ୍ଜାମ, ଗଜପତି ଓ ରାୟଗଡ଼ାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଗଞ୍ଜାମ ଜିଲ୍ଲାରେ ଏବେ ବି ବିଭିନ୍ନ ବ୍ଲକ୍‌ରେ ରିଲିଫ୍ କାର୍ଯ୍ୟ ତ୍ବରାନ୍ବିତ ହୋଇପାରି ନାହିଁ। ଯେଉଁଠି ରିଲିଫ୍ ପହଞ୍ଚିଛି, ତାହା ସମୁଦ୍ରକୁ ଶଙ୍ଖେ ପରି। ରନ୍ଧା ଖାଦ୍ୟ ନ ପହଞ୍ଚିବା ଯୋଗୁ ଲୋକମାନେ ଉପାସରେ ରହିଛନ୍ତି। ଗଜପତିରେ ବାରଘର ଗାଁରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସ‌େତ୍ତ୍ବ ପ୍ରଶାସନ ଚୁପ ରହିଛି। ସେହିପରି ଆସିକାରେ ବନ୍ୟା ପ୍ରପୀଡ଼ିତ ଲେ‌ାକଙ୍କ ପାଖରେ ରିଲିଫ୍ ପହଞ୍ଚାଇବାରେ ସରକାର ବିଫଳ ହୋଇଛନ୍ତି। ସରକାର ଲୋକଙ୍କ ପ୍ରତି ସମ୍ବେଦନଶୀଳ ନାହାନ୍ତି। କେବଳ ଶୀତତାପ ନିୟନ୍ତ୍ରିତ ରୁମ୍‌ରେ ବସି ବନ୍ୟା ଓ ବାତ୍ୟା ପରିଚାଳନା କରି ବାହାବା ନେଉଛନ୍ତି। ‘ଜିରୋ କାଜୁଆଲିଟି’ ନାଁରେ ସରକାର ଡାହା ମିଛ କହୁଛନ୍ତି। କିଛି ଜାଗାରେ ମୃତ ଦେହ ଭାସୁଥିବାର ପ୍ରମାଣ ଥାଇ ମଧ୍ୟ ଉଦ୍ଧାର କରାଯାଇପାରି ନାହିଁ ବୋଲି ବିଜେପି ଅଭିଯୋଗ କରିଛି।

ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ତିତଲି ଯୋଗୁ ଅଧିକ କ୍ଷତି ହେବାର ଆଶଙ୍କା ଥିଲା। କିନ୍ତୁ ସରକାରଙ୍କ ଆଗୁଆ ପଦକ୍ଷେପ ପାଇଁ କମ୍ କ୍ଷତି ହେଲା। ଏହା ଓଡ଼ିଶାର ଜନସାଧାରଣ ହୃଦୟଙ୍ଗମ କରିପାରିଛନ୍ତି। ଯେଉଁ ସ୍ବେଚ୍ଛାସେବୀ, ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ୩ ଲକ୍ଷ ଲୋକଙ୍କୁ ରାତିଦିନ ପରିଶ୍ରମ କରି ସ୍ଥାନାନ୍ତର କରିଥିଲେ, ସେମାନଙ୍କୁ ଶ୍ରେୟ ଦେବା ପାଇଁ କିଛି ରାଜନୈତିକ ଦଳ ନ ଚାହିଁବା ଦୁର୍ଭାଗ୍ୟଜନକ। ଏହି ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର ବିରୋଧୀଙ୍କ ଆଖିକୁ ଦେଖାଗଲାନି ବୋଲି ବିଜେଡି ପାଲଟା ଅଭିଯୋଗ କରିଛି। ଓଡ଼ିଶା ଉପକୂଳ ଠାରୁ ୨୦୦ କିମି ଦୂରରେ ଥିବା ଗଜପତି ଜିଲ୍ଲାରେ ଏକ ଭୂସ୍ଖଳନ ଯୋଗୁ କିଛି ବହୁମୂଲ୍ୟ ଜୀବନ ଚାଲିଯାଇଛି। ଏହା ଅତ୍ୟନ୍ତ ଦୁଃଖଦାୟକ ଓ ସେମାନଙ୍କ ପରିବାରବର୍ଗ ପ୍ରତି ବିଜେଡି ଗଭୀର ସମବେଦନା ଜଣାଉଛି ବୋଲି ଶ୍ରୀ ପାତ୍ର କହିଛନ୍ତି।

ବିରୋଧୀ ଦଳ ଚାହିଁଲେ ସମାଲୋଚନା କରିପାରନ୍ତି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ବିପର୍ଯ୍ୟୟ ପାଇଁ ସରକାରଙ୍କ ଦୂରଦୃଷ୍ଟିର ଅଭାବକୁ ବିରୋଧୀ ଦଳ ଦାୟୀ କରିଛନ୍ତି। ଏପରିକି ରିଲିଫ୍ ପରିଚାଳନାକୁ ନେଇ ବି ‌ସରକାରଙ୍କୁ ଘେରିଛନ୍ତି। ଆଜି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀଙ୍କୁ ଜବାବ ଦେବାକୁ ଆଗକୁ ଆସିଛନ୍ତି। ସଚିବାଳୟରେ ବନ୍ୟା ସ୍ଥିତି ସମୀକ୍ଷା କଲା ପରେ ଗଣମାଧ୍ୟମ ପ୍ରତିନିଧିମାନେ ବିରୋଧୀ ଦଳଙ୍କ ସମାଲୋଚନା ସମ୍ପର୍କରେ ତାଙ୍କର ଉତ୍ତର ଲୋଡ଼ିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ୧୯୯୯ ମହାବାତ୍ୟା ପର ଠାରୁ ଏହା ହେଉଛି ସବୁଠାରୁ ବଡ଼ ପ୍ରାକୃତିକ ବିପର୍ଯ୍ୟୟ। ବିରୋଧୀ ଦଳ ଚାହିଁଲେ ସମାଲୋଚନା କରିପାରନ୍ତି। ସେମାନେ ଅଭିଯୋଗ କରନ୍ତୁ। କିନ୍ତୁ ଆମେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟରେ ବ୍ୟସ୍ତ ଅଛୁ। ଗଣମାଧ୍ୟମକୁ ଶ୍ରୀ ପଟ୍ଟନାୟକ ପାଲଟା ପ୍ରଶ୍ନ କରିଥିଲେ, ଆପଣମାନେ କ’ଣ ଭାବୁ ନାହାନ୍ତି‌ ‌ଯେ ଆମେ ଏହାକୁ ଠିକ୍ ଭାବେ ମୁକାବିଲା କରୁଛୁ ?

‘ଶୂନ୍ୟ ମୃତାହତ’ ପ୍ରଚାରରୁ ସରକାର ନିବୃତ ରହିବାକୁ କଂଗ୍ରେସର ପରାମର୍ଶ

ଭୁବନେଶ୍ବର : ୨୦୦୧ ମସିହାରୁ ୨୦୧୨-୧୩ ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ କ୍ଷୟକ୍ଷତିର ଆକଳନ କରି ରାଜ୍ୟ ସରକାର ମୋଟ ‌୧୧,୫୧୮.୪୫ କୋଟି ଟଙ୍କାର ସହାୟତା ରାଶି କେନ୍ଦ୍ରକୁ ମାଗିଥିଲେ। ମାତ୍ର କେନ୍ଦ୍ର ସରକାର ରାଜ୍ୟକୁ ୧୭୯୮.୩୬ କୋଟି ଟଙ୍କା ପ୍ରଦାନ କରିଥିଲେ। ଏ‌ ନେଇ କଂଗ୍ରେସ ପ୍ରଶ୍ନ ପଚାରିଛି ଯେ ରାଜ୍ୟ ସରକାରଙ୍କ କ୍ଷୟକ୍ଷତିର ଆକଳନ ତ୍ରୁଟିପୂର୍ଣ୍ଣ ଥିଲା ନା କେନ୍ଦ୍ର ମନଇଚ୍ଛା ସହାୟତା ରାଶି କାଟିଥିଲା। ଏହି ପରିପ୍ରେକ୍ଷୀରେ କ˚ଗ୍ରେସ ମିଡିଆ ସେଲ୍‌ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଏକ ପ୍ରେସ୍‌ ବିବୃତିରେ ଦାବି କରିଛନ୍ତି ଯେ ତିତଲି ବାତ୍ୟାରେ ସାଧାରଣ ସ˚ପତ୍ତି କ୍ଷୟକ୍ଷତିର ଆକଳନ ବାସ୍ତବ ତଥ୍ୟକୁ ନେଇ ସରକାର କରନ୍ତୁ। ଅତୀତରେ ଫାଇଲିନ୍‌ ଓ ହୁଡ୍‌ହୁଡ୍‌ ଭଳି ଅଧାପନ୍ତରିଆ ଥଇଥାନ କାର୍ଯ୍ୟ ନହେଉ। ସେହିପରି ରାଜ୍ୟ ସରକାର ଜିରୋ କାଜୁଆଲ୍ଟି ବା ‘ଶୂନ୍ୟ ମୃତାହତ’ ପ୍ରଚାର ପ୍ରସାରରୁ ନିବୃତ ରହିବାକୁ ଶ୍ରୀ ନାୟକ ଦାବି କରିଛନ୍ତିି। ଏହା ସହିତ କ୍ଷତିଗସ୍ତ ପରିବାରବର୍ଗଙ୍କୁ ତୁରନ୍ତ କ୍ଷତିପୂରଣ ଦେବା ଓ ବାତ୍ୟାରେ ଚାଷୀଙ୍କର ନଷ୍ଟ ହୋଇଥିବା ଫସଲ ପାଇଁ ଏକର ପିଛା ୨୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର