ପାରଳାଖେମୁଣ୍ଡି: ଧିରେ ଧିରେ ଗଜପତିଜିଲ୍ଲା ବିଜେପିର ରାଜନୈତିକ ସ୍ଥିତି ଜଟିଳ ହେଉଛି। କିଛି ଦିନ ପୂର୍ବରୁ ଜିଲ୍ଲା ବିଜେପି ସଭାପତି ସାମ୍ବାଦିକ ସମ୍ମିଳନୀ କରି ସିଦ୍ଧେଶ୍ଵର ମିଶ୍ରଙ୍କୁ ଦଳରୁ ନିଲମ୍ବିତ କରା ଯାଇଥିବା କହିଥିବା ବେଳେ ବୁଧବାର ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ପାରଳାଖେମୁଣ୍ଡି ଗସ୍ତ କାର୍ଯ୍ୟକ୍ରମ ରହିଥିଲା। ସେହି ସମୟରେ ସିଦ୍ଧେଶ୍ଵରଙ୍କୁ ମନ୍ତ୍ରୀଙ୍କ  ନିକଟରେ ଏବଂ  ଦଳୀୟ ନେତା ଓ କର୍ମୀଙ୍କ ଗହଣରେ ପ୍ରଥମେ ସର୍କିଟ ହାଉସରେ ଦେଖିବାକୁ ମିଳିଥିଲା। ପରେ ପରେ ମନ୍ତ୍ରୀଙ୍କ ସହ  ସିଏମ୍ କିଷାନ୍ ରାଶି ପ୍ରଦାନ କାର୍ଯ୍ୟକ୍ରମରେ  ସଭାଗୃହରେ ମଞ୍ଚ ସମ୍ମୁଖରେ ବସିଥିଲେ ସିଦ୍ଧେଶ୍ଵର, ଏବଂ ତାଙ୍କ ସହ ଜିଲ୍ଲାର ବହୁ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ। ୟ

Advertisment

ତେବେ ଏହାକୁ  ନେଇ ଜିଲ୍ଲାରେ ନାନା ଚର୍ଚ୍ଚା  ଆରମ୍ଭ ହୋଇଥିବା ବେଳେ କର୍ମୀଙ୍କ ମନରେ ଦ୍ବନ୍ଦ ସୃଷ୍ଟି ହୋଇଛି । କାରଣ ଯେତେବେଳେ ଜିଲ୍ଲା ସଭାପତି ନବକିଶୋର ଶବର ସାମ୍ବାଦିକ ସମ୍ମିଳନୀ କରି ବରିଷ୍ଠ ନେତା ସିଦ୍ଧେଶ୍ଵର (ଡୁଲୁ)ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କହିଥିଲେ। ସେତେବେଳେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସିଦ୍ଧେଶ୍ଵର କହିଥିଲେ ମୋ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାର କ୍ଷମତା ଏମାନଙ୍କର ନାହିଁ, ଦଳର ନୀତି ନିୟମ ସମ୍ପର୍କରେ ଏମାନେ ଅଜ୍ଞ। ବୁଧବାର ମନ୍ତ୍ରୀଙ୍କ ଗହଣରେ ସିଦ୍ଧେଶ୍ଵରଙ୍କୁ ଦେଖି ଦ୍ଵନ୍ଦ ଉପୁଜିବା ସ୍ବାଭାବିକ। ଅପର ପକ୍ଷରେ ମନ୍ତ୍ରୀ ସାଂସଦଙ୍କ ଗସ୍ତ ସମୟରେ ସବୁବେଳେ ଉପସ୍ଥିତ ରହୁଥିବା ଜିଲ୍ଲା ସଭାପତିଙ୍କୁ  ବୁଧବାର ଦେଖିବାକୁ ମିଳି ନଥିଲା  । 

ସେପଟେ ସରକାରକୁ ଆସିଲା ପରଠାରୁ ଜିଲ୍ଲା ବିଜେପି ଶିବିର ଦୁଇ ଭାଗ ନେଇ ଚର୍ଚ୍ଚାରେ ରହିଥିଲା ସେଥିପାଇଁ ଜିଲ୍ଲା ସଭାପତି ଚୟନରେ ବିଳମ୍ବ ହୋଇଥିଲା । ରାଜ୍ୟ ନେତୃତ୍ୱ ବିଚାର କରି ଦୁଇଗୋଷ୍ଠୀଙ୍କୁ ବାଦ ଦେଇ ତୃତୀୟ ଚେହେରା ନବକିଶୋରଙ୍କୁ ସଭାପତି ରୂପେ ଘୋଷଣା କରିଥିଲେ। ଆଉ ସେତେବେଳେ ସମସ୍ତଙ୍କୁ ନେଇ  ଆଗକୁ  ବଢିବି ବୋଲି  ସଭାପତି କହିଥିଲେ। ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ମିଳିମିଶି କରିବା ଦେଖିବାକୁ ମିଳୁଥିଲା। କିନ୍ତୁ ହଠାତ୍ କ’ଣ ହେଲା କେଜାଣି ଦଳୀୟ ବିଶୃଙ୍ଖଳା ପାଇଁ ସିଦ୍ଧେଶ୍ଵରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କହିଥିଲା ଜିଲ୍ଲା ବିଜେପି । ତାହା ଏବେ ଧିରେ ଜଟିଳ ହେବାରେ ଲାଗିଛି। ଚର୍ଚ୍ଚା ହେଉଛି ରାଜ୍ୟ ନେତୃତ୍ୱଙ୍କ ଗୋଟିଏ ଗୋଷ୍ଠୀ ସିଦ୍ଧେଶ୍ଵରଙ୍କ ସପକ୍ଷରେ ରହିଛନ୍ତି  ।

ତେବେ ଆଗକୁ ଏହି ଦ୍ଵନ୍ଦ  କି ପ୍ରକାର ରୂପ ନେଉଛି ତାହା ସମୟ କହିବ । ତେବେ ଏ ସମ୍ପର୍କରେ ଗଜପତି   ଜିଲ୍ଲା ବିଜେପି ସଭାପତି ନବ କିଶୋର ଶବରଙ୍କ କହିବା ହେଲ ତାହା ସରକାରୀ କାର୍ଯ୍ୟକ୍ରମ ଥିଲା ଚାଷୀମାନଙ୍କର କାର୍ଯ୍ୟକ୍ରମ ଥିଲା ସେ ଚାଷୀ ଭାବରେ ଯୋଗ ଦେଇପାରିଥାନ୍ତି ସେଥିରେ କୌଣସି ଟିପ୍ପଣୀ ଦେବା ଠିକ ଭାବୁନି ଏବଂ ମନ୍ତ୍ରୀଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଥାଇ ପାରେ ତେଣୁ ସେ ଉପସ୍ଥିତ ଥିବେ କିନ୍ତୁ ନିଲମ୍ବିତ ନେତାଙ୍କୁ ଦୂରେଇ ରଖିବାର ଥିଲା । ଯଦି ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ତାହା ହେଲେ ଦଳୀୟ  କର୍ମୀମାନେ ନିଶ୍ଚିତ ଭାବରେ ବିରୋଧ କରିବେ । ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଦିଆ ଯିବ ନାହିଁ । ସୂଚନା ଥାଉକି ବୁଧବାର ମନ୍ତ୍ରୀଙ୍କ ଗସ୍ତ ସମୟରେ ଗୋଟିଏ ଗୋଷ୍ଠୀର କୌଣସି ନେତା କର୍ମୀ ଉପସ୍ଥିତ ନଥିଲେ । ଯାହା ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଉଛି ।

Gajapati