ଗଞ୍ଜାମରେ କରୋନା ମୁକାବିଲାକୁ ନେଇ ବୟାନବାଜି, ପଜିଟିଭ୍, ନେଗେଟିଭ୍ ଘୋଷଣାରେ ତାଳମେଳ ରହୁନି : ବିଜେପି
ସରକାର କୋଭିଡ୍ ନିୟମ ଉଲ୍ଲଂଘନ କରୁଛନ୍ତି: କଂଗ୍ରେସ, ଗଞ୍ଜାମରୁ କରୋନା ହଟିବା ଚାହୁଁ ନାହିଁ ବିଜେପି: ବିଜେଡି
ଭୁବନେଶ୍ବର,: ଗଞ୍ଜାମରେ କରୋନା ସ୍ଥିତି ଭୟଙ୍କର ହେଉଥିଲା ବେଳେ ଏହାର ପରିଚାଳନାକୁ ନେଇ ବିବାଦ ସୃଷ୍ଟି ହୋଇଛି। ପଜିଟିଭ୍, ନେଗେଟିଭ୍ ଘୋଷଣାରେ ତାଳମେଳ ରହୁ ନ ଥିବାରୁ ଆଗକୁ ପରିସ୍ଥିତି ଭୟଙ୍କର ହେବ ବୋଲି ବିଜେପି ସତର୍କ କରାଇଦେଇଛି। ଗଞ୍ଜାମ ସ୍ଥିତି ପାଇଁ ସରକାରଙ୍କ ତ୍ରୁଟିପୂର୍ଣ୍ଣ ପରିଚାଳନା ବ୍ୟବସ୍ଥାକୁ ଦାୟୀ କରିଛି ବିଜେପି। ଅପର ପକ୍ଷରେ ବିଜେଡି ବି ଏହାର ଜବାବ ରଖି ସରକାରଙ୍କ କାର୍ଯ୍ୟକୁ ଯୁକ୍ତିଯୁକ୍ତ ଦର୍ଶାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିଜେପି ନେତା ଭୃଗୁ ବକ୍ସିପାତ୍ର ଅଭିଯୋଗ କରିଛନ୍ତି ଯେ କରୋନା ଟେଷ୍ଟିଂରେ ତ୍ରୁଟି ରହୁଛି। ପଜିଟିଭ୍ ଘୋଷଣା ବି ଠିକ୍ ଭାବେ ହେଉ ନାହିଁ। ବେଡ୍ ସଂଖ୍ୟା କମ୍ ଥିବାରୁ ପଜିଟିଭ୍ ନେଗେଟିଭ୍ରେ ତାଳମେଳ ରହୁନି। ରାଜ୍ୟ ସରକାର ଖାମଖିଆଲି ଭାବେ ପଜିଟିଭ୍ ନେଗେଟିଭ୍ ଦେଖାଉଥିଲେ ସ୍ଥିତି ଭୟାବହ ହେବ। ଗଞ୍ଜାମକୁ ସରକାର ହଟସ୍ପଟ୍ ବୋଲି କହୁଛନ୍ତି। କିନ୍ତୁ ଗଞ୍ଜାମରେ ଏ ଯାଏ ଟେଷ୍ଟିଂ ବ୍ୟବସ୍ଥା ହେଲା ନାହିଁ। ଯାହା ଲୋକଙ୍କ ମନରେ ସନ୍ଦେହ ଥିଲା ତାହା ହେଉଛି। ମୂଳ ଦାବି ଥିଲା ଟେଷ୍ଟିଂ କେନ୍ଦ୍ର ବ୍ରହ୍ମପୁରରେ କରାଯାଉ। କିନ୍ତୁ ତାହା କରାଗଲା ନାହିଁ। ଠିକ୍ ସମୟରେ ଠିକ୍ ପଦକ୍ଷେପ ନେଇଥିଲେ ଏମିତି ସ୍ଥିତି ହୋଇ ନ ଥା’ନ୍ତା। ପ୍ରତି ସବ୍ଡିଭିଜନ୍ରେ ଏକ ହଜାର ବେଡ୍ ହସ୍ପିଟାଲ୍ ପାଇଁ ଦାବି ହେଉଥିଲେ ବି ସରକାର ଶୁଣୁ ନାହାନ୍ତି। ସରକାର ଅନ୍ୟ ଜିଲ୍ଲାରୁ କାହିଁକି ଡାକ୍ତର ଗଞ୍ଜାମକୁ ଆଣୁଛନ୍ତି ? ସବୁ ଜିଲ୍ଲାରେ ବି ଡାକ୍ତର ଦରକାର। ସରକାର ଜରୁରି ଭାବେ ଘରୋଇ ଡାକ୍ତରଙ୍କୁ ନିୟୋଜିତ କରିବାକୁ ଶ୍ରୀ ବକ୍ସିପାତ୍ର ଦାବି କରିଛନ୍ତି।
କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ କୋଭିଡ୍ ପରିଚାଳନାରେ ସମ୍ପୂର୍ଣ ତ୍ରୁଟି ରହିଛି। ଗଞ୍ଜାମ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା। ଯେତେବେଳେ ବାହାରୁ ଶ୍ରମିକ ଆସିଲେ ସେତେବେଳେ ପରୀକ୍ଷା ଠିକ ଭାବେ ହୋଇଥିଲେ ଏପରି ଅସୁବିଧା ହୋଇ ନ ଥା’ନ୍ତା। ସଙ୍ଗରୋଧ ନିୟମ ବି ଠିକ ଭାବେ ପାଳନ କରାଯାଇ ନାହିଁ। ଚିକିତ୍ସା ବଦଳରେ କେବଳ ସଚେତନତା ଓ କିଟ୍ କିଣିବାରେ ସରକାର ବ୍ୟସ୍ତ ରହିଲେ। ଲୋକ କିପରି କାମ ପାଇବେ ତାହାର ବି ଚିନ୍ତା ନାହିଁ। ସୁସ୍ଥ ସଂଖ୍ୟା ଅଧିକ ଦେଖେଇବା ପାଇଁ ସରକାର ଯେଉଁମାନଙ୍କର ପଜିଟିଭ୍ ନାହିଁ, ସେମାନଙ୍କୁ ନେଇ ପରେ ଛାଡ଼ି ଦେଉଛନ୍ତି। ଏହା କୋଭିଡ ନିୟମର ଉଲ୍ଲଂଘନ।
ବିରୋଧୀ ଦଳକୁ ଜବାବ ଦେଇ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ଯେ ରାଜ୍ୟର ଯେ କୌଣସି ଅଞ୍ଚଳରେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଲେ ସରକାର ଅନ୍ୟ ସ୍ଥାନରୁ ସେଠାକୁ ଡାକ୍ତର ଓ କର୍ମଚାରୀ ପଠାଇ ସ୍ଥିତି ମୁକାବିଲା କରିଥା’ନ୍ତି। ଅନୁରୂପ ଭାବେ ଗଞ୍ଜାମ ଜିଲ୍ଲାର ସ୍ଥିତି ସୁଦୃଢ ପାଇଁ ସରକାର ସେଠାକୁ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟାନ୍ୟ ଭିତ୍ତିଭୂମି ପଠାଉଥିବାବେଳେ ବିଜେପି କାହିଁକି ବିରୋଧ କରୁଛି? ବିଜେପି କ’ଣ ଗଞ୍ଜାମ ବିରୋଧୀ ଏବଂ ଗଞ୍ଜାମରୁ କରୋନା ହଟୁ ବୋଲି ଚାହୁଁ ନାହିଁ କି ? ଦୀର୍ଘ ଦିନରୁ ଗଞ୍ଜାମରେ କାର୍ଯ୍ୟ କରୁଥିବା ପରୀକ୍ଷା କେନ୍ଦ୍ର ଅନ୍ୟ ବହୁ ଜିଲ୍ଲାର ଦାୟିତ୍ୱ ନେଇଥିବା ବେଳେ ତାହା କିନ୍ତୁ ବିଜେପିକୁ ଦେଖାଯାଉ ନାହିଁ। ବିଜେପି ନେତାମାନେ ଗୋଳିଆ ପାଣିରୁ ମାଛ ଧରିବା ରାଜନୀତି କରିବା ବଦଳରେ ଦାୟିତ୍ୱସମ୍ପନ୍ନ ଓ ପରିପକ୍ୱ ରାଜନୀତିର ପରିଚୟ ଦେଇ କେନ୍ଦ୍ର ଓ ରାଜ୍ୟ ସରକାର ଜାରି କରିଥିବା କୋଭିଡ ମାର୍ଗଦର୍ଶିକା ପାଳନ ପାଇଁ ସେମାନଙ୍କ ଦଳର ନେତାଙ୍କୁ କହିବାକୁ ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି ।