ଭୁବନେଶ୍ବର: ଦିନକ ପରେ ଅର୍ଥାତ ଚଳିତ ମାସ ୧୭ ତାରିଖ ଦିନ ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ମହାସମାରୋହରେ ପାଳିତ ହେବ। ଏହି ମହୋତ୍ସବରେ ସାମିଲ ହେବା ପାଇଁ ଭକ୍ତମାନେ ଶ୍ରୀମନ୍ଦିରରେ ଭିଡ଼ ଲଗାଉଛନ୍ତି। ଅନ୍ୟ ରାଜ୍ୟରୁ ମଧ୍ୟ ନିମନ୍ତ୍ରିତ ଅତିଥିମାନେ ଆସିବା ଆରମ୍ଭ ହୋଇଯାଇଛି। ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ଦଳମତ ନିର୍ବିଶେଷରେ ରାଜ୍ୟର ସମସ୍ତ କେନ୍ଦ୍ରମନ୍ତ୍ରୀ, ରାଜ୍ୟରମନ୍ତ୍ରୀ, ବିଧାୟକ, ସାଂସଦ ଓ ବରିଷ୍ଠ ନେତାଙ୍କୁ ନିମନ୍ତ୍ରଣ କରିଛନ୍ତି। ଅତିଥିମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି। କିନ୍ତୁ ଏହି ଲୋକାର୍ପଣ ଉତ୍ସବକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସର ନେତା ଯୋଗ ଦେବେ କି ନାହିଁ, ସେ ନେଇ ବିବାଦ ସୃଷ୍ଟି ହୋଇଛି। ବିଜେପି ଓ କଂଗ୍ରେସର ନେତାମାନେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଗଣମାଧ୍ୟମରେ ବୟାନ ଦେଉଛନ୍ତି। ବିଜେଡି ବିଧାୟକ ଅମର ଶତପଥୀ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ କହିଛନ୍ତି, ଜଗନ୍ନାଥ ସମସ୍ତଙ୍କର। ଜଗନ୍ନାଥ କୌଣସି ନିର୍ଦ୍ଦିଷ୍ଟ ଦଳର ନୁହଁନ୍ତି। ତେଣୁ ସମସ୍ତେ ଆସନ୍ତୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାମିଲ ହୁଅନ୍ତୁ।

Advertisment

ଲୋକର୍ପଣ ଉତ୍ସବ ପୂର୍ବରୁ ପରିକ୍ରମା ପ୍ରକଳ୍ପ ରଥ ଓ ପ୍ରଚାର ପ୍ରସାରକୁ ନେଇ ରାଜନୀତି ତେଜିଛି। ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ପ୍ରଭୁ ଜଗନ୍ନାଥ କେଉଁ ଦଳର ନୁହନ୍ତି। ସାଲବେଗଙ୍କୁ ଭେଟିବାକୁ ଜଗନ୍ନାଥ ୯ ଦିନ ବାହାରକୁ ବାହାରିଥିଲେ। ଏବେ ଆମେ ସାମିଲ ହେବା ଠିକ୍ କି ନୁହେଁ ଆପଣ ବିଚାର କରନ୍ତୁ। ସେହିପରି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି, ବସ୍‌ଷ୍ଟାଣ୍ଡ, ରାସ୍ତା ଭଳି ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରାଯାଉଛି। ଏହି ଠାକୁର ଲୋକଙ୍କୁ ଖାଇବାକୁ ଦିଅନ୍ତି, ଚାଉଳ ମାଗନ୍ତି ନାହିଁ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପରିକ୍ରମ‌ା ପ୍ରକଳ୍ପ ପାଇଁ ଗାଁ ଗାଁରେ ବୁଲୁଥିବା ରଥକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଏବଂ ଏହି ଉତ୍ସବରେ ଯୋଗ ଦେବେନି ବୋଲି ସିଧାସଳଖ ମନା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ସବୁ ଜଗା ଉପରେ ଛାଡ଼ି ଦେଇଛନ୍ତି।