ଭୁବନେଶ୍ବର: ସମ୍ବଲପୁର, ବଲାଙ୍ଗୀର, ସୁନ୍ଦରଗଡ଼ ଓ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତ ୭ ତାରିଖ ଠାରୁ ଆୟକର ବିଭାଗ ଦ୍ବାରା ଚଢ଼ାଉ ହୋଇଛି। ଏହି ଚଢ଼ାଉ ବେଳେ ଶହଶହ କୋଟି ନଗଦ ଟଙ୍କା ମିଳିଛି। ଓଡ଼ିଶାର ବିଭିନ୍ନ ସ୍ଥାନରେ ବିପୁଳ ପରିମାଣରେ ନଗଦ ଟଙ୍କା ମିଳିବା ପରେ ଜାତୀୟ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚା ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ସାମାଜିକ ଗଣମାଧ୍ୟମ ‘ଏକ୍ସ‘ରେ କହିଥିଲେ କଡ଼ାଗଣ୍ଡା କରି ଆଦାୟ ହେବ। ଆଜି ଏହି ଘଟଣାକୁ ନେଇ ରାଜ୍ୟର ପ୍ରମୁଖ ତିନିଟି ଦଳର ନେତାମାନେ ବୟାନବାଜି ଆରମ୍ଭ କରିଦେଇଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ଶନିବାର ଅପରାହ୍ଣରେ ବିଜେପି ସଭାପତି ମନମୋହନ ସାମଲ କ୍ଷୋଭ ପ୍ରକାଶ କରିଥିଲେ। ସେ କହିଥିଲେ ଆୟକର ଚଢ଼ାଉ ବେଳେ ଅଧିକାରୀମାନଙ୍କୁ ଗଦାଗଦା ଟଙ୍କା ମିଳିଛି। ଓଡ଼ିଶା ପାଇଁ ଏହା ଲଜ୍ଜାକର ଓ ଦୁର୍ଭାଗ୍ୟଜନକ ଘଟଣା। ଏହା ହେଉଛି ସାରା ଦେଶରେ ଥରକେ ଏତେ କଳା ଟଙ୍କା ଜବତ ପ୍ରଥମ ଘଟଣା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଡ଼ାଗଣ୍ଡା କରି ଆଦାୟ ହେବ ବୋଲି କହିସାରିଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବାବଦରେ ଆଦୌ ମୁହଁ ଖୋଲୁନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ ସାହାସ ଥିଲେ ସିବିଆଇ ତଦନ୍ତ ପାଇଁ ଲେଖନ୍ତୁ।
ସେହିପରି ରାଜ୍ୟ ସରକାର ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଂଗ୍ରେସ ପ୍ରଶ୍ନ କରିଛି। ସମ୍ବଲପୁରରେ ଆୟକର ବିଭାଗର ଚଢ଼ାଉ ପ୍ରସଙ୍ଗ ସବୁଠି ଚର୍ଚ୍ଚାରେ ରହିଛି। କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତି କହିଛନ୍ତି, ଏକ ସୂତ୍ରରୁ ଜଣାପଡିଛି ପ୍ରାୟ ୩୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଆୟକର ବିଭାଗ ଚଢ଼ଉ କରିବା ବେଳେ ମଦ ବେପାରୀ ତାଙ୍କ ସମ୍ପର୍କୀୟ କିମ୍ବା ତାଙ୍କ କର୍ମଚାରୀଙ୍କ ଘରୁ ଜବତ ହେଉଛି। ଏତେ ପରିମାଣରେ ମଦ ରାଜ୍ୟରେ ବ୍ୟବସାୟ ହେଉଛି। ତେବେ ଅବକାରୀ ବିଭାଗ ପାଖରେ ଖବର ଥିଲା କି? କେହି ଜାଣିନାହାନ୍ତି ଏହି ଟଙ୍କା କାହାର? କିଏ କହୁଛି ଏ ପଇସା ମଦ ବ୍ୟବସାୟୀଙ୍କ ଆଉ କିଏ କହୁଛି ଏହା ନିର୍ବାଚନ ପାଇଁ ବିଜୁ ଜନତା ଦଳର ଟଙ୍କା। କିଛି ସ୍ଥାନୀୟ ଲୋକ କହୁଛନ୍ତି ୫ ରାଜ୍ୟ ନିର୍ବାଚନର କିଛି ଦିନ ପୂର୍ବରୁ ଏ ଟଙ୍କାକୁ ଅଣା ଯାଇଛି। ତେବେ ଏତେ ସବୁ ଘଟଣା ଘଟିଗଲା ମାତ୍ର ରାଜ୍ୟ ସରକାରଙ୍କ ଗୁଇନ୍ଦା ବିଭାଗ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣା ପଡିଲାନି କେମିତି? ଏହି ସବୁ ସଂସ୍ଥା ରାଜ୍ୟରେ କଣ କରୁଛନ୍ତି ନା ସମସ୍ତେ ଏଥିରେ ମିଲି ଭଗତରେ ସାମିଲ ଅଛନ୍ତି ବୋଲି ତାହା ତଦନ୍ତ ହେବା ଆବଶ୍ୟକ ବୋଲି କଂଗ୍ରେସ ପକ୍ଷରୁ ପ୍ରଶ୍ନ ଉଠାଯାଇଛି।
ଅନ୍ୟପଟରେ ବିଜେଡି ମୁଖପାତ୍ର ଇପ୍ସିତା ସାହୁ କହିଛନ୍ତି, ଆୟକର ବିଭାଗର ଚଢ଼ାଉକୁ ନେଇ ଓଡ଼ିଶାର ବିଜେପି ୟୁନିଟ ହୀନ ରାଜନୀତିକ ଉଦ୍ଦେଶ୍ୟ ରଖି ଲୋକହସା ହେଉଛନ୍ତି। ହୋମ ୱାର୍କ କରି ଆସୁ ନାହାନ୍ତି। ଓଡ଼ିଶାର ବିଜେପି ହେଉଛି କାଳି ଗୋଠ ଗାଈର ଏକ ଭିନ୍ନ ଗାଈ। ଦଳରେ ନିଜ ଭିତରେ ପ୍ରଚାର ପାଇଁ ପ୍ରତିଯୋଗିତା ଚାଲିଛି। ମନ୍ଦ ଉଦ୍ଦେଶ୍ୟ ରଖି ଏଜେଣ୍ଡା କରୁଛନ୍ତି। ଏମିତି କି ରାଜ୍ୟ ନେତାମାନେ ନିଜ ଦଳର ରାଷ୍ଟ୍ରୀୟ ଦଳର ନେତାଙ୍କ କଥା ଶୁଣୁ ନାହାନ୍ତି ବୋଧେ। ଗତକାଲି ପ୍ରଧାନମନ୍ତ୍ରୀ ଟୁଇଟ କଲେ। ସେ ଟୁଇଟ କରିଥିବା ଖବରକାଗଜରେ ଏ ଟଙ୍କା ଝାଡ଼ଖଣ୍ଡ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କର ବୋଲି ଲେଖା ଯାଇଛି। ଏହାସହ ରାଷ୍ଟ୍ରୀୟ ନେତାମାନେ ମଧ୍ୟ କଂଗ୍ରେସର ବୋଲି କହିଲେ। ବିଜେପି ଜାତୀୟ ନେତା ଓ ଓଡ଼ିଶା ୟୁନିଟ ଗୋଟିଏ ଗୋଟିଏ କଥା କହୁଛନ୍ତି। ବିଜେଡିକୁ ମନ୍ଦ ଉଦ୍ଦେଶ୍ୟ ରଖି ଏ ପ୍ରସଙ୍ଗରେ ଟାଣୁଛନ୍ତି। ଯାହା ରାଜ୍ୟବାସୀ ବୁଝି ସାରିଛନ୍ତି। ଫଳରେ ପୂର୍ବରୁ ଯେଉଁଭଳି ଭାବରେ ରାଜ୍ୟବାସୀ ବିଜେପିକୁ ପ୍ରତ୍ୟାଖ୍ୟାନ କରିଥିଲେ ଆଗୁକୁ ମଧ୍ୟ ରାଜ୍ୟରେ ବିଜେପିକୁ ପ୍ରତ୍ୟାଖ୍ୟାନ କରିବେ।