ଖୋର୍ଦ୍ଧା: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଉଷ୍ମତା ଥମି ନାହିଁ, ପୌର ନିର୍ବାଚନକୁ ନେଇ ପୁଣି ରାଜନୈତିକ ଉଷ୍ମତା ଆରମ୍ଭ ହୋଇଯାଇଛି । ଆଜି ରାଜ୍ୟ ନିର୍ବାଚନ କମିଶନର ପୌର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ପ୍ରାୟ ଦୀର୍ଘ ତିନି ଦଶନ୍ଧୀ ପରେ ପୌର ପରିଷଦର ଅଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେଉଛି, ଏଣୁ ସମସ୍ତ ରାଜନୈତିକ ଦଳ ପାଇଁ ଏହାକୁ ଗୁରୁତର ସହ ଗ୍ରହଣ କରିଛନ୍ତି ।

Advertisment

ଖୋର୍ଦ୍ଧା ଜିଲ୍ଲାରେ ଭୁବନେଶ୍ୱର ମହାନଗର ନିଗମ ବ୍ୟତୀତ ୪ଟି ପୌରାଂଚଳ ରହିଛି । ଏହାମଧ୍ୟରୁ ଜଟଣୀ ଓ ଖୋର୍ଦ୍ଧା ପୌର ପରିଷଦ ହୋଇଥିବା ବେଳେ ବାଣପୁର ଓ ବାଲୁଗାଁ ଦୁଇଟି ବିଜ୍ଞପିତ ଅଂଚଳ ପରିଷଦ (ଏନ୍ଏସି) ଅଟେ ।  ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଜଟଣୀ ପୌର ପରିଷଦ ଅଧ୍ୟକ୍ଷ ପଦ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଛି । ଖୋର୍ଦ୍ଧା ପୌର ପରିଷଦ ମହିଳା, ବାଣପୁର ଏନ୍ଏସି ଅଣ ସଂରକ୍ଷିତ, ବାଲୁଗାଁ ଏନ୍ଏସି ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।

ସଂରକ୍ଷଣ ତାଲିକା ଅନୁସାରେ, ଜଟଣୀ ପୌର ପରିଷଦର ୨୩ଟି ୱାର୍ଡ଼ରୁ ଗୋଟିଏ ଅନୁସୂଚିତ ଜାତି, ୨ଟି ଅନୁସୂଚିତ ଜାତି ମହିଳା, ଗୋଟିଏ ଅନୁସୂଚିତ ଜନଜାତି ମହିଳା, ୯ଟି ମହିଳା (ସାଧାରଣ) ଓ ୧୦ଟି ଅଣସଂରକ୍ଷିତ ୱାର୍ଡ଼ ରହିଛି । ଖୋର୍ଦ୍ଧା ପୌର ପରିଷଦର ୨୨ଟି ୱାର୍ଡ଼ରୁ ଗୋଟିଏ ଅନୁସୂଚିତ ଜାତି, ୨ଟି ଅନୁସୂଚିତ ଜାତି ମହିଳା, ଗୋଟିଏ ଅନୁସୂଚିତ ଜନଜାତି ମହିଳା, ୮ଟି ମହିଳା (ସାଧାରଣ) ଓ ୧୦ଟି ଅଣସଂରକ୍ଷିତ ୱାର୍ଡ଼ ରହିଛି । ବାଲୁଗାଁ ଏନ୍ଏସିର ୧୧ଟି ୱାର୍ଡରୁ ଗୋଟିଏ ଅନୁସୂଚିତ ଜାତି, ୨ଟି ଅନୁସୂଚିତ ଜାତି ମହିଳା, ଗୋଟିଏ ଅନୁସୂଚିତ ଜନଜାତି ମହିଳା, ୩ଟି ମହିଳା (ସାଧାରଣ) ଓ ୪ଟି ଅଣ ସଂରକ୍ଷିତ ୱାର୍ଡ଼ ରହିଛି । ବାଣପୁର ଏନ୍ଏସିର ୧୫ଟି ୱାର୍ଡରୁ ଗୋଟିଏ ଅନୁସୂଚିତ ଜାତି ମହିଳା, ଗୋଟିଏ ଅନୁସୂଚିତ ଜନଜାତି ମହିଳା, ୬ଟି ମହିଳା (ସାଧାରଣ) ଓ ୭ଟି ଅଣସଂରକ୍ଷିତ ୱାର୍ଡ଼ ରହିଛି ।

ଶାସକ ବିଜେଡି ଦଳର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବିଜେପି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଯେଉଁ ଭଳି କଡ଼ା ମୁକାବିଲା କରିବା କଥା ସେଭଳି କରିପାରିନାହିଁ । ନିର୍ବାଚନ ପୂର୍ବରୁ ରାଜ୍ୟ ନେତୃତ୍ୱର ଗୋଷ୍ଠୀ ବିବାଦ ଜିଲ୍ଳାର ସାଂଗଠନିକ କାର୍ଯ୍ୟକ୍ରମରେ ପଡ଼ିଥିଲା । ନିର୍ବାଚନ ପୂର୍ବରୁ ବିଜେପି ପ୍ରତି ଲୋକଙ୍କ ଏକ ସ୍ୱତଃ ସମର୍ଥନର ସୂଅ ରହିଥିଲେ ମଧ୍ୟ ଏହାକୁ ବିଜେପି ସଂଗଠିତ କରିପାରିନଥିଲା । ବିଜେଡି ମଧ୍ୟରେ ଦଳୀୟ ଗୋଷ୍ଠୀକନ୍ଦଳ ରହିଥିଲେ ମଧ୍ୟ ଶେଷ ମୁହୂର୍ତରେ ଏହାକୁ ସେ କୌଣସି ମତେ ସମାଧାନ କରିବାରେ ସଫଳ ହୋଇଥିଲା । ବର୍ତ୍ତମାନ ପୌର ପରିଷଦ ନିର୍ବାଚନରେ ଜଟଣୀ ବ୍ୟତୀତ ଅନ୍ୟ ୩ଟି ପୌରାଂଚଳରେ ଉଭୟ ବିଜେପି ଓ ବିଜେଡିର ଅନୁରୂପ ସ୍ଥିତି ରହିଛି । ଜଟଣୀ ପୌର ପରିଷଦରେ କଂଗ୍ରେସ ବିଜେଡିର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହେବା ଯଥେଷ୍ଟ ସମ୍ଭାବନା ରହିଛି । କିନ୍ତୁ ଅଧ୍ୟକ୍ଷ ପଦବୀ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେଉଥିବାରୁ ଅନେକ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଓହ୍ଲାଇବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏପରି ସ୍ଥଳେ ବିଜେଡି ଓ ବିଜେପିର ଅସନ୍ତୁଷ୍ଟ ଗୋଷ୍ଠୀ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ।