ରାଜନଗରରେ ନିର୍ବାଚନୀ ହିଂସା: ବିଜେଡି-କଂଗ୍ରେସ ମାଡ଼ପିଟ୍‌, ୬ ଆହତ

ରାଜନଗର : ରାଜନଗର ବ୍ଲକ୍‌ରେ ନିର୍ବାଚନକୁ ନେଇ ଗଣ୍ଡଗୋଳ ଘଟିଛି। ଚାନ୍ଦିବାଉଁଶମୂଳ ପଂଚାୟତର ବାହାରଗଡ଼ ଗାଁରେ କଂଗ୍ରେସ ଓ ବିଜେଡି ଦୁଇ ଗୋଷ୍ଠୀ ମାଡ଼ପିଟ୍‌ ହୋଇଛନ୍ତି। ଏହି ଘଟଣାରେ ଉଭୟ ପକ୍ଷର ୬ଜଣ ଆହତ ହୋଇଛନ୍ତି। ଉଭୟ ପକ୍ଷରୁ ରାଜନଗର ଥାନାରେ ୪ଟି ଲିଖିତ ଅଭିଯୋଗ କରାଯାଇଛି। ପୁଲିସ ଅଭିଯୋଗ ପାଇ ତଦନ୍ତ ଚଳାଇଛି।

ବାହାରଗଡ ଗାଁର ରତ୍ନାକର ମହାକୁଡ଼ ଓ ସସ୍ମିତା ମଳିକ ପୃଥକ ଭାବେ ପରସ୍ପର ବିରୋଧରେ ଅଭିଯୋଗ କରିଛନ୍ତି। ରତ୍ନାକରଙ୍କ ଅଭିଯୋଗ ମୁତାବକ, ଆଜି ଦିନ ପ୍ରାୟ ୧୨ଟାରେ ତାଙ୍କ ପୁଅ ସନ୍ତୋଷ ଏକ କାର୍‌ରେ ବସି ବିବାହ ଉତ୍ସବରେ ଯୋଗଦେବା ପାଇଁ ଗୁଳା ଗାଁକୁ ଯାଉଥିଲେ। ଗାଁର ଶେଷମୁଣ୍ଡରେ କାର୍‌ ଯାଉଥିବା ସମୟରେ ପୂର୍ବ ଯୋଜନା ମୁତାବକ ଗାଁର ବାବୁଲି ମଳିକ, ମୁନା ମଳିକ ଗାଡି ଅଟକାଇ ପଥରରେ ସନ୍ତୋଷଙ୍କ ମୁଣ୍ଡକୁ ବାଡେଇ ଫଟାଇ ଦେଇଥିଲେ। ବାବୁଲି ଏକ ଲୁହା ରଡ୍‌ ଦ୍ୱାରା ବାଡେଇବାକୁ ଉଦ୍ୟମ କଲାବେଳେ ସନ୍ତୋଷ ଦୌଡି ଗାଁ ଭିତରକୁ ପଳାଇଥିଲେ। ଖବରପାଇ ସେ ସେଠାରେ ପହଞ୍ଚି ଘଟଣା ସଂପର୍କରେ ଜାଣିବାକୁ ଚାହିଁବାରୁ ଗଣ୍ଡଗୋଳକାରୀମାନେ ତାଙ୍କୁ ଗାଳିଗୁଲଜ କରିଥିଲେ। ଅଜୟ ମଳିକ ଏକ ଠେଙ୍ଗାରେ ତାଙ୍କ ହାତକୁ ମାଡ଼ ମାରିଥିବା ବେଳେ ଭଗୀରଥ ମଳିକ, ମେଘନାଦ ମଳିକ ବି ଆକ୍ରମଣ କରିଥିଲେ ବୋଲି ରତ୍ନାକର ଦର୍ଶାଇଛନ୍ତି। ତାଙ୍କୁ ଗଣ୍ଡଗୋଳକାରୀଙ୍କଠାରୁ ଉଦ୍ଧାର କରିବାକୁ ଯାଇ ସୁରେଶ ମଳିକ ଆହତ ହୋଇଛନ୍ତି। ‘ଆମ ଲୋକଙ୍କୁ ଭୋଟ ନ ଦେଲେ ଜୀବନରୁ ମାରିଦେବେ’ ବୋଲି ସେମାନେ ଧମକ ଦେଇଥିବା ରତ୍ନାକର ଅଭିଯୋଗ କରିଛନ୍ତି। ରତ୍ନାକର ଓ ତାଙ୍କ ପୁଅ ଆହତ ହୋଇ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛନ୍ତି।

ଅପରପକ୍ଷରେ ସୁମିତ୍ରା ମଳିକଙ୍କ ଅଭିଯୋଗ ମୁତାବକ, ସେ ଘରକାମ କରୁଥିବା ସମୟରେ ତାଙ୍କ ଶ୍ୱଶୁର ସୁରେଶ ମଳିକ ଘର ପିଣ୍ଡାରେ ବସିଥିଲେ। ହଠାତ୍ ଗାଁର ରତ୍ନାକର ମହାକୁଡ, ସୁଧାକର ମହାକୁଡ, ସନ୍ତୋଷ ମହାକୁଡ, ଦୀପକ ପଲାଇ, ପବନ ମହାକୁଡ, ମିଲନ କୁମାର ପାଣି ପ୍ରମୁଖ ୧୦/୧୫ଜଣ ପହଞ୍ଚି ଶ୍ୱଶୁରଙ୍କୁ ମାଡ ମାରିବା ସହିତ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିଥିଲେ। ଶ୍ୱଶୁରଙ୍କ କାନ୍ଦ ଶୁଣି ସେ କାନ୍ଦିବାରୁ ବିବେକାନନ୍ଦ ମହାକୁଡ ତାଙ୍କୁ ଘରୁ ଟାଣି ଗାଳିଗୁଲଜ କରିବା ସହ ତଳିପେଟକୁ ଗୋଇଠା ମାରିଥିବା ୮ ମାସର ଗର୍ଭବତୀ ସୁମିତ୍ରା ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଏଥିସହ ରାତିରେ ଘର ପୋଡ଼ି ଦେବେ ବୋଲି ସେମାନେ ଧମକ ଦେଇଥିବା ଦର୍ଶାଇଛନ୍ତି। ସୁମିତ୍ରାଙ୍କ ସହିତ କୁନା ମଳିକ, ସୁରେଶ ମଳିକ, ସୁବାସ ମଳିକ ଆହତ ହୋଇଥିବା ଦର୍ଶାଯାଇଛି।

ସୁବାଷ ଚନ୍ଦ୍ର ମଳିକ ମଧ୍ୟ ରତ୍ନାକର ଓ ତାଙ୍କ ସମର୍ଥକଙ୍କ ବିରୋଧରେ ସମାନ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ବାହାରଗଡ଼ ଗାଁର ଝୁନାରାଣୀ ମଳିକ ୧୦ନଂ. ଓ୍ୱାର୍ଡରୁ ଓ୍ୱାର୍ଡସଭ୍ୟା ଭାବେ ପ୍ରତିଦ୍ୱନ୍ଦ୍ବିତା କରୁଛନ୍ତି। ତାଙ୍କ ସ୍ବାମୀ ମାନଗୋବିନ୍ଦ ମଳିକ ରାଜନଗର ଥାନାରେ ଦେଇଥିବା ଅଭିଯୋଗ ମୁତାବକ, ସେହି ଗାଁର ଅଜୟ ମଳିକ, ଯାମିନୀକାନ୍ତ ଦାସ, କୈଳାସ ଚନ୍ଦ୍ର ଦାସ, କଳ୍ପତରୁ ଦାସ, ହେମନ୍ତ ମଳିକ ଗତକାଲି ରାତି ୧ଟାରେ ତାଙ୍କ ସ୍ତ୍ରୀ ଘରେ ଶୋଇଥିବା ସମୟରେ ଘର କବାଟ ବାଡେଇ ଧକ୍କା ମାରି ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ। କବାଟ ନ ଖୋଲିବାରୁ ଅଭିଯୁକ୍ତମାନେ ଗାଳିଗୁଲଜ କରିଥିଲେ। ଭୋଟ୍‌ ପାଇଁ ଆଉ ପ୍ରଚାର କଲେ ତାଙ୍କୁ ଓ ପତ୍ନୀଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ବୋଲି ମାନଗୋବିନ୍ଦ ଅଭିଯୋଗ କରିଛନ୍ତି। ସେହିପରି ଆଜି ଦିନ ପ୍ରାୟ ୩ଟା ସମୟରେ ପତ୍ନୀ ପ୍ରଚାର କରୁଥିବା ସମୟରେ ଗତକାଲି ରାତିରେ କବାଟ ବାଡେଇ ଧମକ ଦେଇଥିବା ଅଭିଯୁକ୍ତମାନେ ରାସ୍ତା ଉପରେ ଅଟକାଇ ଗାଳିଗୁଲଜ ସହ ମାଡ଼ ମାରିବାକୁ ଉଦ୍ୟମ କରିଥିଲେ ବୋଲି ମାନଗୋବିନ୍ଦ ଅଭିଯୋଗରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର