ନିର୍ବାଚନ ସରିଲା, ହିଂସା ଥମୁନି: ବଲାଙ୍ଗୀରରେ ବିଜେଡି ନେତାଙ୍କୁ ଗୁଳିକରି ହତ୍ୟା

ସୋରରେ ବିଜେପି ସଭାପତିଙ୍କ ୨ ଭାଇଙ୍କୁ ହାଣିଲେ, ଠେଙ୍ଗା, ଢେଲାମାଡ଼ରେ ଅନ୍ୟ ୨ ଆହତ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାର ବେଲପଡ଼ା ଥାନା ବାଗଦୋର ପଞ୍ଚାୟତ ସମିତି ସଭ୍ୟା ବନିତା ବିଶ୍ୱାଳଙ୍କ ସ୍ୱାମୀ ଲୋକନାଥ ବିଶ୍ୱାଳ (ଲୁକୁ)ଙ୍କୁ ସୋମବାର ରାତି ପ୍ରାୟ ସାଢ଼େ ୮ଟା ସମୟରେ ଗୁଳିକରି ହତ୍ୟା କରାଯାଇଛି। ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଅଟକ ରଖି ତଦନ୍ତ କରୁଥିବା ଜଣାପଡ଼ିଛି।

ବାଗଦୋର ପଞ୍ଚାୟତର ଜଣେ ଜଣାଶୁଣା ବିଜେଡି ନେତା ଥିଲେ ଲୋକନାଥ। ସେ ତାଙ୍କ ପତ୍ନୀ ଓ ସରପଞ୍ଚଙ୍କୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ କରାଇଥିଲେ। ସୋମବାର ରାତିରେ ଦୁଇଜଣ ଦୁର୍ବୃତ୍ତ ଏକ ପଲସର ବାଇକ୍‌ରେ ଆସି ତାଙ୍କର ଘର ସାମ୍ନାରେ ଅଟକିଥିଲେ। ତାଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ ହଠାତ୍‌ ତାଙ୍କ ଛାତିକୁ ଗୁଳିମାଡ଼ କରି ଫେରାର୍‌ ହୋଇଯାଇଥିଲେ। ଲୋକନାଥଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଓ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ବେଲପଡ଼ା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବେଲପଡ଼ା ପୁଲିସ ଖବର ପାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଗୁଳିମାଡ଼ କରିଥିବା ଦୁର୍ବୃତ୍ତମାନଙ୍କୁ ଧରିବାକୁ ଚେଷ୍ଟା କରିଥିଲା। ରାତିରେ ଦୁଇ ଅଭିଯୁକ୍ତଙ୍କୁ ଲାଠୋର ଥାନା‌ ପୁଲିସ ଅଟକ ରଖିଥିବା ସୂଚନା ମିଳିଛି। ମୃତ୍ୟୁ ପୂର୍ବରୁ ଲୋକନାଥ ଆକ୍ରମଣକାରୀଙ୍କ ନାମ ପୁଲିସକୁ କହିଥିଲେ। ସେମାନେ ହେଲେ ବସୁ ବିଶ୍ୱାଳ ଏବଂ ଗିରିଧାରୀ। ଏନେଇ ବଲାଙ୍ଗୀର ଏସ୍‌ପି କୌଣସି ପ୍ରତିକ୍ରିୟା ରଖି ନାହାନ୍ତି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ଅନ୍ୟପକ୍ଷରେ, ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍‌ର ଏହି ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ଲାଗି ରହିଥିଲା। ବିଗତ ଦିନରେ ମାଓବାଦୀ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଉକ୍ତ ପଞ୍ଚାୟତରେ ସରପଞ୍ଚ ଓ ଲୋକନାଥଙ୍କ ପତ୍ନୀ ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହୋଇଥିବାରୁ ଏଥିରେ କିଛି ମାଓବାଦୀ ସମର୍ଥକଙ୍କ ସମ୍ପୃକ୍ତି ନାହିଁ ତ? ବସୁ ଆଉ ଗିରିଧାରୀ କିଏ? ଏମାନେ ମାଓ ସମର୍ଥକ ନା ମାଓବାଦୀ ନାଁରେ ରାଜନୈତିକ ଆକ୍ରୋଶ ରଖି ଆକ୍ରମଣ କରିଛନ୍ତି? ଏଭଳି କିଛି ପ୍ରଶ୍ନ ନେଇ ଏବେ ଅଂଚଳରେ ଚର୍ଚ୍ଚା ଲାଗି ରହିଛି।

ସେହିପରି ସୋମବାର ସନ୍ଧ୍ୟାରେ ବାଲେଶ୍ବର ଜିଲ୍ଲା ସୋର ପୌରାଞ୍ଚଳରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। ପୌର ନିର୍ବାଚନ ସଫଳତା ପରେ ସୋମବାର ସନ୍ଧ୍ୟାରେ ବିଜେପି ପକ୍ଷରୁ ଆୟୋଜିତ ବିଜୟ ଶୋଭାଯାତ୍ରା ବେଳେ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ଶୋଭାଯାତ୍ରାରେ ସାମିଲ ହୋଇଥିବା ଦୁଇଜଣ ବିଜେପି କର୍ମୀ ଭୁଜାଲି ମାଡ଼ରେ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାରେ ପୁଲିସ ନିଷ୍କ୍ରିୟତା ପ୍ରତିବାଦରେ ରାତି ୮ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଶତାଧିକ ବିଜେପି କର୍ମୀ ଥାନାକୁ ଘେରାଉ କରି ରଖିଥିଲେ।

ସଦ୍ୟ ସମାପ୍ତ ପୌର ନିର୍ବାଚନରେ ବିଜେପିର ଅଧ୍ୟକ୍ଷ ପ୍ରାର୍ଥୀ ମାଧବ ଧଡ଼ାଙ୍କ ସମେତ ୧୨ ଜଣ ବିଜେପି କାଉନ୍‌ସିଲର ପ୍ରାର୍ଥୀ ବିଜୟୀ ହୋଇଥିବାରୁ ସୋମବାର ସୋର ସହରରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ସୋର ଥାନା ତଳନଗର ଅଞ୍ଚଳର ୪୪ ନଂ ଜୋନ୍ ବିଜେପି ମଣ୍ତଳ ସଭାପତି ଗଣେଶ ପ୍ରସାଦ ଦାସଙ୍କ ଦୁଇ ସଂପକୀର୍ୟ ଭାଇ ପ୍ରଫୁଲ୍ଲ ଦାସ ଓ ଶରତ ଦାସ ଶୋଭାଯାତ୍ରାରେ ସାମିଲ ହୋଇ ଘରକୁ ଫେରୁଥିବା ବେଳେ ରାଜପଥରେ ଦୁଇଟି ବାଇକ୍‌ରେ ୪ ଜଣ ଯୁବକ ଆସି ହଠାତ୍‌ ସେମାନଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ।

ଆକ୍ରମଣକାରୀମାନେ ବିଜେଡିର ସମର୍ଥକ ଏବଂ ପୁଲିସ ସେମାନଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ କରି ବିଜେପିର ଶତାଧିକ କର୍ମୀ ଥାନା ଘେରାଉ କରିଥିଲେ। ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ପ୍ରତିଶ୍ରୁତି ଦେବାପରେ ରାତି ପ୍ରାୟ ୧୦ଟା ୪୫‌ରେ ଘେରାଉ ପ୍ରତ୍ୟାହାର ହୋଇଥିଲା।

ସମ୍ବନ୍ଧିତ ଖବର