ଅସ୍ତରଙ୍ଗ: ଶାସକ ଦଳ ପ୍ରାର୍ଥୀଙ୍କ ତରଫରୁ ମଦ ଓ ଟଙ୍କା ବାଣ୍ଟିବାକୁ ଯାଇଥିବା ୪ ଯୁବକଙ୍କୁ କାବୁ କଲେ ଗ୍ରାମବାସୀ

ଅସ୍ତରଙ୍ଗ: ମତଦାନ ପୂର୍ବରୁ  ଅସ୍ତରଙ୍ଗ ବ୍ଲକର ବିଭିନ୍ନ ପଞ୍ଚାୟତରେ ନାଲିପାଣିରେ ମୁସଗୁଲ ଥିବା କର୍ମୀମାନେ ହିଂସାତ୍ମକ ଆଚରଣ ଘଟାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ନଗର, ଝାଡଲିଙ୍ଗ, ନୂଆଗଡ ଓ ଛୁରିଆନା ପଞ୍ଚାୟତରେ ରାଜନୈତିକ ହିଂସାକାଣ୍ଡର ସୀମା ଟପିଯାଇଛି। ଶାସକ ଦଳର କର୍ମୀ ଏହି ଘଟଣାରେ ସମ୍ପୃକ୍ତି ବୋଲି ସୂଚନା ମିଳିଛି। ହିଂସା ଓ ପ୍ରତିହିଂସାର ସୂରୂପ ନଗର ପଞ୍ଚାୟତରେ ପ୍ରର୍ବତ୍ତନ ସରପଞ୍ଚ ନିରଞ୍ଜନ ବେହେରାଙ୍କ ମୁଣ୍ଡ ଫାଟିବା, ନୂଆଗଡ଼ ପଞ୍ଚାୟତରେ ଜଣଙ୍କର ମୁଣ୍ଡ ଫାଟିବା ସମେତ ଝାଡଲିଙ୍ଗ ପଞ୍ଚାୟତରେ ଜଣଙ୍କ ଉପରେ ଆକ୍ରମଣ ହୋଇଛି।

ସେହିପରି ଛୁରିଆନା ପଞ୍ଚାୟତର ସହନ ଗ୍ରାମରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ବିଳମ୍ବିତ ରାତିରେ ମଦ ଓ ଟଙ୍କା ବାଣ୍ଟିବାକୁ ଯାଇଥିଲା ବେଳେ ସ୍ଥାନୀୟ ଲୋକେ ୪ ଜଣଙ୍କୁ କାବୁକରି ପୁଲିସର ଜିମା ଦେଇଛନ୍ତି। ଏମାନେ ୪ ଜଣ ଯୁବକ ନକଲି ବାଲାଟ ପେପର, ମଦ ଓ ଟଙ୍କା ଧରି ଗାଁ ଭିତରେ ପଶି ଭୋଟ୍ କିଣିବାକୁ ପ୍ରୟାସ କରୁଥିଲା ବେଳେ ସ୍ଥାନୀୟ ସଂଖ୍ୟାଧିକ ମହିଳା, ପୁରୁଷ ଓ ଯୁବଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ସମ୍ପୃକ୍ତ ଯୁବକମାନଙ୍କୁ କାବୁ କରି ଉତ୍ତମ ମଧ୍ୟମ ଦେବା ସମେତ ରାତିସାରା ବାନ୍ଧି ରଖିଥିଲେ। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଉକ୍ତ ଯୁବକମାନଙ୍କୁ ଗିରଫ କରି ଆଣି ଥାନାରେ ଅଟଳ ରଖିଥିଲେ। ସବୁଠାରୁ ବଡ଼କଥା ହେଲା ମଦ ଓ ଟଙ୍କା ବାଣ୍ଟିବାକୁ ଯାଇଥିବା ସମ୍ପୃକ୍ତ ଯୁବକଙ୍କ ମଧ୍ୟରୁ ଜଣେ ମାଡ଼ ଭୟରେ ସବୁ ଗୁମର ଖୋଲିଦେଇଛି। ସେମାନଙ୍କୁ କିଏ ପଠାଇଥିଲା ଓ ସେମାନେ କାହିଁକି ସେଠାକୁ ଯାଇଥିଲେ ତାହା କହିବାରୁ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା।
ବିଶେଷ ସୂତ୍ରରୁ ଖବର ମିଳିଛି କି ଛୁରିଆନା ପଞ୍ଚାୟତରୁ ଶାସକ ଦଳ ତରଫରୁ ଲଢ଼ୁଥିବା ପ୍ରାର୍ଥୀଙ୍କ ପାଇଁ ଏମାନେ ମଦ ଓ ଟଙ୍କା ବାଣ୍ଟିବାକୁ ସେଠାକୁ ଯାଇଥିବା ଓ ଜଣେ ନେତା ପଠାଇଥିବା ଗୁମର ଖୋଲିଦେବା ପରେ ଏବେ ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ସେ ନେତାଙ୍କ ନାମରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର