ବାଲେଶ୍ୱର/ବାହାନଗା: ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ରେମୁଣା ବ୍ଲକ ତାଳପଦ ଗ୍ରାମରେ ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ଘଟିଛି। ଗତକାଲି ସକାଳେ ଭୋଟ ଦେବାକୁ କେନ୍ଦ୍ର କରି ପ୍ରଥମେ ଉତ୍ତେଜନା ହେବା ସହ ଦୁଇଗୋଷ୍ଠୀ ମାରପିଟ ହୋଇ ଦୁଇଜଣ ଆହତ ହୋଇଥିଲେ। ସନ୍ଧ୍ୟାରେ ଉଭୟ ପକ୍ଷରୁ ଆପୋଷ ସମାଧାନ ପାଇଁ ଗୋପାଳପୁର ଫାଣ୍ଡିରେ ପହଞ୍ଚି ଥିବାବେଳେ ସେଠାରେ ବିଜେପି କର୍ମୀ ମନୋଜ କୁମାର ଦାଶଙ୍କୁ ସେହିଗ୍ରାମର ବିଜେଡି ପୂର୍ବତନ ସରପଞ୍ଚ ସୁଧୀର କୁମାର ଦାଶ ତୁମ ନାମରେ କୌଣସି ଅଭିଯୋଗ ହୋଇ ନାହିଁ, ତୁମେ କାହିଁକି ଆସିଛ କହିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ବଚସା ହୋଇ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା।

Advertisment

ଉଭୟପକ୍ଷ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ ପ୍ରତି ଆକ୍ରମଣ ହୋଇ ୧୧ରୁ ଅଧିକ ଆହତ ହୋଇଛନ୍ତି। ମନୋଜ କୁମାର ଦାଶ ନାମକ ବିଜେପି କର୍ମୀଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଏବଂ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି। ସେହିପରି ଆହତ ହୋଇଥିବା ଜଣେ ବିଜେଡି କର୍ମୀ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଘଟଣାକୁ କେନ୍ଦ୍ର କରି ଗ୍ରାମରେ ଉତ୍ତେଜନା ଲାଗିରହିଥିବା ବେଳେ ପରିସ୍ଥିତିକୁ ଶାନ୍ତ କରିବା ଲାଗି ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।