ପିପିଲି : ପିପିଲିରେ ଉପନିର୍ବାଚନ ପୂର୍ବରୁ ରାଜନୈତିକ ହିଂସା ଦେଖାଦେଇଛି। ପିପିଲି ବ୍ଲକ୍ ସହଜପୁର ପଞ୍ଚାୟତ ରାୟଗୁରୁପୁର ଗାଁରେ ଆଜି ଉପନିର୍ବାଚନ ପାଇଁ ପ୍ରଚାର ବେଳେ ବିଜେପି କର୍ମୀଙ୍କୁ ଆକ୍ରମଣ ହୋଇଥିବା ନେଇ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।
ପୁଲିସର ନିଷ୍କ୍ରିୟତା ଓ ଆକ୍ରମଣକାରୀଙ୍କୁ ସାହାଯ୍ୟ କରୁଥିବା ଅଭିଯୋଗ କରି ବିଜେପି ଅପରାହ୍ଣରେ ଥାନା ଆଗରେ ଧାରଣା ଦେଇଥିଲା। ସେପଟେ ବିଜେଡିର କିଛି ସମର୍ଥକ ମଧ୍ୟ ବିଜେପି ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି। ଏଥିପାଇଁ ଥାନା ପରିସରରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି।
ଅଭିଯୋଗ ମୁତାବକ, ରାୟଗୁରୁପୁର ଗାଁରେ ଆଜି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ସମେତ ବହୁ ବରିଷ୍ଠ ନେତା ଓ ଦଳୀୟ କର୍ମୀ ପ୍ରଚାର କରୁଥିଲେ। ପାଖ ସୁହାଗପୁର ଗାଁର ଜଣେ ବିଜେଡି ସମର୍ଥକ ବିପିନ ବେହେରା ବିଜେପି ରାଲିରେ ଯାଉଥିବା କର୍ମୀ ଚିତ୍ତରଞ୍ଜନ ନାୟକଙ୍କୁ ଅଟକାଇ ଅଶ୍ରାବ୍ୟ ଭାଷାରେ ଗାଳି ଦେବା ସହ ବିଜେପି ରାଲିରେ କାହିଁକି ବୁଲୁଛୁ ବୋଲି ଧମକାଇ ମାଡ଼ ମାରିଥିଲେ। ଚିତ୍ତରଞ୍ଜନଙ୍କ ବାଇକ୍କୁ ଭାଙ୍ଗି ଦେଇଥିଲେ। ରାତିରେ ଗାଁକୁ ଗଲେ ମୁଣ୍ଡ ନେଇ ସାରିଲେ ଶାନ୍ତି ମିଳିବ ବୋଲି ଧମକ ଦେଇଥିବା ଚିତ୍ତରଞ୍ଜନ ଥାନାରେ ଅଭିଯୋଗ କରିଛନ୍ତି।
ସେ ଏ ସଂପର୍କରେ ବରିଷ୍ଠ କର୍ମୀଙ୍କୁ ଜଣାଇବା ପରେ ବିପିନ ସେଠାରୁ ପଳାଇଥିଲେ। ପରେ ଏହାକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇଥିଲା।
ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଘଟଣା ସ୍ଥଳରେ ବିଜେପି ବସି ରହି ଆନ୍ଦୋଳନ ଆରମ୍ଭ କରିଥିଲା। ଖବର ପ୍ରସାରଣ ପରେ ଘଟଣାସ୍ଥଳରେ ରାଜ୍ୟ ଓ ଜିଲ୍ଲା ସ୍ତରୀୟ ବହୁ ନେତୃବୃନ୍ଦ ପହଞ୍ଚି ଆନ୍ଦୋଳନରେ ସାମିଲ୍ ହୋଇଥିଲେ। ପିପିଲି ପୁଲିସ ସେଠାରେ ପହଞ୍ଚି ଚିତ୍ତରଞ୍ଜନଙ୍କ ଅଭିଯୋଗ ଗ୍ରହଣ କରିଥିଲା। ତେବେ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରି ଆନ୍ଦୋଳନରୁ ନିବୃତ୍ତ କରାଇବା ବଦଳରେ ପୁଲିସ ସେଠାରେ ଫେରି ଆସିଥିଲା। ପରେ ଆନ୍ଦୋଳନ ଉଗ୍ରରୂପ ନେଇଥିଲା। ଆଶ୍ରିତଙ୍କ ସମେତ ସମସ୍ତ ବରିଷ୍ଠ ନେତା, ନେତ୍ରୀ, କର୍ମୀ ଓ ସମର୍ଥକ ପିପିଲି ଥାନାରେ ପହଞ୍ଚି ଧାରଣା ଦେଇଥିଲେ। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ, ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ପଟ୍ଟନାୟକ, ରାଜ୍ୟ ସଂପାଦିକା ରଶ୍ମିରେଖା ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟା ସଂଯୁକ୍ତା ମିଶ୍ର, ମନସ୍ମିତା ଖୁଣ୍ଟିଆ, ପ୍ରଭଂଜନ ମହାପାତ୍ର, ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ପରିଡ଼ା, ବ୍ରହ୍ମଗିରି ବିଧାୟକ ଶ୍ରୀ ମହାପାତ୍ର, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ମୁଖପାତ୍ର ବିରଞ୍ଚି ତ୍ରିପାଠୀ, ପୁରୀ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଜନ୍ମେଜୟ ଜେନା, ସମ୍ପାଦକ ଉମାଚରଣ ନାୟକ, ନୟାଗଡ଼ ଜିଲ୍ଲା ସଭାପତି ଲାଲା ମନୋଜ ରାୟ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ନେତା ଥାନା ଭିତରେ ଧାରଣା ଦେଇଥିଲେ।
ସେହି ସମୟରେ ବିଜେଡି ପକ୍ଷରୁ ପାଲଟା ଅଭିଯୋଗ ନେଇ ସେହି ପଞ୍ଚାୟତର ପର୍ଯ୍ୟବେକ୍ଷକ, ଦଳୀୟ ପୁରୁଷ ଓ ମହିଳା ସମର୍ଥକମାନେ ଥାନାରେ ପହଞ୍ଚିଥିଲେ। ଏହି ସମୟରେ ଉଭୟଗୋଷ୍ଠୀ ଉଭୟପକ୍ଷଙ୍କୁ ଟାହିଟାପରା ପରେ ପରିସ୍ଥିତି ଅପ୍ରୀତିକର ହୋଇ ପଡ଼ିଥିଲା। ପରେ ଅତିରିକ୍ତ ଏସ୍ପି, ଏସ୍ଡିପିଓ ଦେବଦତ୍ତ ବରାଳ, ପିପିଲି ଥାନା ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି ପ୍ରମୁଖ ବିଜେପି ନେତାଙ୍କ ସହ ଆଲୋଚନା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଉପରୋକ୍ତ ଅଞ୍ଚଳରେ ପୁଲିସ ଫୋର୍ସ ମୁତୟନ ପାଇଁ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ପରେ ବିଜେପି ନେତା ଓ କର୍ମୀମାନେ ଆନ୍ଦୋଳନରୁ ଓହରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/pipili-bjp-750x430-1.jpg)