ଦଶରଥପୁର: ଦଶରଥପୁର ବ୍ଲକ୍ ଚଷାଖଣ୍ଡ ପଞ୍ଚାୟତରେ ଲାଗି ରହିଛି ନିର୍ବାଚନୀ ହିଂସା । ଦେଢ଼ ମାସ ମଧ୍ୟରେ ୪ଟି ଘଟଣା ଘଟିଲାଣି । ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସରକାରୀ ଅର୍ଥରେ ନିର୍ମାଣ ହେବାକୁ ଥିବା ରାସ୍ତା କାର୍ଯ୍ୟକୁ ନେଇ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ଉଭୟ ପକ୍ଷରୁ ୧୨ଜଣ ଲହୁଲୁହାଣ ହୋଇଛନ୍ତି।। ଘଟଣାକୁ ନେଇ ଉଭୟ ପକ୍ଷରୁ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ଗ୍ରାମରେ ଉତ୍ତେଜନା ଲାଗି ରହିଛି ।
ସରକାରୀ ଅର୍ଥରେ ନୂତନଭାବେ ନିର୍ମାଣ ହେବାକୁ ଥିବା ରାସ୍ତା କାର୍ଯ୍ୟକୁ ନେଇ ଗତ ୨୧ ତାରିଖ ପୂର୍ବାହ୍ଣ ପ୍ରାୟ ୧୦ ଟା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ ସ୍ଥାନୀୟ ମୁରବିଙ୍କ ହସ୍ତକ୍ଷେପ ଯୋଗୁଁ ଏହି ମାମଲା ଥଣ୍ଡା ପଡ଼ିଥିଲା। ତେବେ ରାତି ପ୍ରାୟ ୧୧ଟା ସମୟରେ ଉଭୟ ପକ୍ଷ ପୁନର୍ବାର ମୁହାଁମୁହିଁ ହୋଇଥିଲେ। ଏଥିରେ ଠେଙ୍ଗା, କିଳା, କଟୁରି, ଭୁଜାଲି, ଖଣ୍ଡା ଆଦି ବ୍ୟବହାର ହୋଇଥିବା ବେଳେ ଆକ୍ରମଣ ଓ ପ୍ରତିଆକ୍ରମଣରେ ଉଭୟ ପକ୍ଷରୁ ୧୨ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ମଙ୍ଗଳପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଂକଟାପନ୍ନ ଥିବାରୁ ପ୍ରାୟ ୧୦ ଜଣଙ୍କୁ ଯାଜପୁର ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଛି। ଚଷାଖଣ୍ଡ ଗ୍ରାମର ପ୍ରଭାକର ମଲ୍ଲିକଙ୍କ ପତ୍ନୀ ଗଙ୍ଗା ମଲ୍ଲିକଙ୍କ ଅଭିଯୋଗ ମୁତାବକ ଗୁରୁବାର ରାତ୍ରି ପ୍ରାୟ ୧୧ଟା ସମୟରେ ଗ୍ରାମର ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କ ନେତୃତ୍ୱରେ ବିମଳ ମଲ୍ଲିକ, ବସନ୍ତ ମଲ୍ଲିକ, ସୁନିଲ୍ ସୂତାର, କାଳନ୍ଦୀ ନାୟକ, ପ୍ରଦୀପ ନାୟକ, କାଳିଆ ନାୟକ ସମତେ କିଛି ଦୁବୃର୍ତ୍ତ ତାଙ୍କ ଘର ନିକଟରେ ପହଞ୍ଚି ସ୍ୱାମୀ ପ୍ରଭାକରଙ୍କ ନାମ ଧରି ଗାଳିଗୁଲଜ କରିଥିଲେ ।
ପ୍ରଭାକର ଏହାର ପ୍ରତିବାଦ କରିବାରୁ ଜଣେ ଭୁଜାଲିରେ ହାଣିବାକୁ ଉଦ୍ୟମ କରିଥିଲା। ପ୍ରଭାକର ଜୀବନ ବଞ୍ଚାଇବାକୁ ଯାଇ ଭୁଜାଲିକୁ ଅଟକାଇବା ସମୟରେ ତାଙ୍କ ହାତ ପାପୁଲିରେ ଗୁରୁତର ଭାବେ ଆଘାତ ଲାଗିଥିଲା । ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ପତ୍ନୀ ଗଙ୍ଗା ଓ ଦେଢ଼ଶୁର ଶିଲନ୍ ମଲ୍ଲିକ ଆକ୍ରମଣର ଶିକାର ହୋଇଥିଲେ। ସେହିପରି ପ୍ରତିପକ୍ଷ ତରଫରୁ ପ୍ରଭାତ କୁମାର ନାୟକଙ୍କ ପତ୍ନୀ ରଶ୍ମିତା ନାୟକଙ୍କ ଲିଖିତ ଅଭିଯୋଗ ମୁତାବକ ଗ୍ରାମର ସୁବାସ ମହଲା, ବିଜୟ ମଲ୍ଲିକ ଓରଫ୍ ବାବୁ, ପିତବାସ ମଲ୍ଲିକ୍, ଗୁଣ୍ଡୁଚି ମଲ୍ଲିକ ମିଳିତଭାବେ ତାଙ୍କ ଘର ଭିତରେ ପଶି ତାଙ୍କ ସ୍ୱାମୀ, ଶାଶୂ, ଦେଢ଼ଶୁର ଓ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିପକାଇଥିଲେ । ପୁଲିସ୍ ଦୁଇଟି ମାମଲା ରୁଜୁ କରିବା ସହିତ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ପରେ ୩ ଅଭିଯୁକ୍ତ ଜେଲ୍ ଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଗରିଫ ପାଇଁ ଉଦ୍ୟମ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/10-18.jpg)