ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲାରେ ରାଜନୈତିକ ଗୋଷ୍ଠୀବିବାଦରୁ ପୁଣି ଏକ ଜଘନ୍ୟ ହତ୍ୟାକାଣ୍ଡ। ଜଣେ ସରପଞ୍ଚଙ୍କ ସମର୍ଥକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ଏହିଭଳି ରାଜନୈତିକ ହିଂସାକାଣ୍ଡ ଘଟିଚାଲିଛି। ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ିଚାଲିଛି। ଗତ ୪ମାସରେ ୭ଜଣ ପ୍ରାଣ ହରାଇଲେଣି।
ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜାମୁନି ଗ୍ରାମରେ ଘଟିଥିବା ଏହି ହତ୍ୟାକାଣ୍ଡର ମୃତକ ହେଉଛନ୍ତି, କେଉଟସାହିର ଯୋଗେଶ ବେହେରା (୨୫)। ସଂଘବଦ୍ଧ ଆକ୍ରମଣରେ ତାଙ୍କ ସହଯୋଗୀ ତଥା ଖଣ୍ଡିଆ ସାହିର ଅଜିତ୍ ପାଣିଗ୍ରାହୀ (୨୨) ଆହତ ହୋଇଛନ୍ତି। ଉଭୟ ହେଉଛନ୍ତି ସ୍ଥାନୀୟ ଜାମୁନି ସରପଞ୍ଚଙ୍କ ଦୃଢ଼ ସମର୍ଥକ।
ପ୍ରାଥମିକ ତଦନ୍ତରୁ ହସ୍ତଗତ ସୂଚନା ଅନୁସାରେ, ପଞ୍ଚାୟତ ନିର୍ବାଚନ ପରଠୁ ପୂର୍ବତନ ସରପଞ୍ଚ ସମର୍ଥିତ ଗୋଷ୍ଠୀ ଓ ବର୍ତ୍ତମାନର ସରପଞ୍ଚଙ୍କ ସମର୍ଥିତ ଗୋଷ୍ଠୀ ଭିତରେ ଛକାପଞ୍ଝା ଆରମ୍ଭ ହୋଇଯାଇଥିଲା। ଉଭୟ ଗୋଷ୍ଠୀ ପୃଥକ୍ ରାଜନୈତିକ ଦଳର ଦୃଢ଼ ସମର୍ଥକ। ଦୁଇଗୋଷ୍ଠୀ ଭିତରେ ଛୋଟମୋଟ ଗଣ୍ଡଗୋଳ ଚାଲିଥିଲା। ତେବେ ପଞ୍ଚାୟତରେ ବେଆଇନ ବାଲି ଉଠାଣ ପ୍ରସଙ୍ଗକୁ ନେଇ ଦୁଇ ଗୋଷ୍ଠୀ ବିବାଦ ଉଗ୍ରରୂପ ଧାରଣ କରିଥିଲା। ଗତ କିଛିବର୍ଷ ଧରି ଜାମୁନି ପଞ୍ଚାୟତର ଋଷିକୁଲ୍ୟା ନଦୀଘାଟରୁ ପୂର୍ବତନ ସରପଞ୍ଚଙ୍କ ଗୋଷ୍ଠୀ ରାତାରାତି ବେଆଇନ ବାଲି ଚାଲାଣ କରିଆସୁଥିଲେ। ପୂର୍ବତନ ସରପଞ୍ଚଙ୍କ ଗୋଷ୍ଠୀ ପଞ୍ଚାୟତ ନିର୍ବାଚନରେ ହାରିଯିବାରୁ ପରିସ୍ଥିତି ବଦଳିଯାଇଥିଲା। ଫଳରେ, ବର୍ତ୍ତମାନ ସରପଞ୍ଚଙ୍କ ଗୋଷ୍ଠୀ ବାଲି ଉଠାଣକୁ ବିରୋଧ କରିବା ସହ ଏହି ବେଆଇନ କାର୍ଯ୍ୟକଳାପକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିଦେଇଥିଲେ। ଏବେ ପୁଣି ବିଜୟୀ ସରପଞ୍ଚଙ୍କ ଗୋଷ୍ଠୀ ବାଲିଚାଲାଣ ଆରମ୍ଭ କରି ଦେଇଥିଲେ। ଯାହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ହିଂସାତ୍ମକ ମୋଡ଼ ନେଇଥିଲା।
୧୫ ଦିନ ତଳେ ବର୍ତ୍ତମାନର ସରପଞ୍ଚଙ୍କୁ ବିରୋଧୀ ଗୋଷ୍ଠୀ ଆକ୍ରମଣ ପାଇଁ ଯୋଜନା କରିଥିଲେ। ଆଉ ଠିକଣା ସମୟରେ ଯୋଗେଶ ଓ ଅଜିତ ପହଞ୍ଚି ଏହାକୁ ଭଣ୍ଡୁର କରିଥିଲେ। ସେମାନେ ସରପଞ୍ଚଙ୍କ ଅତି ଘନିଷ୍ଠ ଥିବାରୁ ଉଭୟଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ପ୍ରତିପକ୍ଷ ଗୋଷ୍ଠୀ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରିଥିଲେ। ଗତକାଲି ରାତି ପ୍ରାୟ ୧୧ଟା ସମୟର ଘଟଣା। ଯୋଗେଶ ଓ ଅଜିତ୍ ଯାତ୍ରା ଦେଖିବାକୁ ବାଇକ୍ରେ ନନ୍ଦିକ ଯାଉଥିବା ସମୟରେ ବଢ଼େଇସାହି ଛକରେ ପୂର୍ବରୁ ଅସ୍ତ୍ରଶସ୍ତ୍ର ସହ ଜଗି ରହିଥିବା ପୂର୍ବତନ ସରପଞ୍ଚଙ୍କ ସମର୍ଥିତ ଗୋଷ୍ଠୀ ସେମାନଙ୍କୁ ଖଣ୍ଡା ସମେତ ବିଭିନ୍ନ ମାରଣାସ୍ତ୍ରରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ଯୋଗେଶ ପ୍ରାଣ ହରାଇଥିବା ବେଳେ ଅଜିତ୍ଙ୍କୁ ଆହତ ଅବସ୍ଥାରେ ଛାଡ଼ି ଆକ୍ରମଣକାରୀ ଫେରାର୍ ହୋଇଯାଇଥିଲେ।