ଭବାନୀପାଟଣା/କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ମୂଷାପାଲି ପଞ୍ଚାୟତରେ ବୁଧବାର ରାତିରେ ନିର୍ବାଚନୀ ହିଂସା ଘଟିଛି। ଘଟଣାରେ ଜଣେ ସରପଞ୍ଚ ପ୍ରାର୍ଥୀ ଗୁରୁତର ଆହତ ହୋଇ ଭବାନୀପାଟଣା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।
ସୂଚନାରୁ ପ୍ରକାଶ ଯେ ଗହନାମୁଣ୍ଡା ଗ୍ରାମର ରୋହିତ ହଂସ ମୂଷାପାଲି ପଞ୍ଚାୟତରେ ସରପଞ୍ଚ ପଦବି ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ବୁଧବାର ମୂଷାପାଲି ଗ୍ରାମକୁ ପ୍ରଚାରରେ ଯାଇ ସେ ଘରକୁ ବାଇକ୍ ଯୋଗେ ଫେରୁଥିଲେ। ଗହନାମୁଣ୍ଡା ଓ ମୂଷାପାଲି ରାସ୍ତା ମଝିରେ ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରାଯାଇଥିଲା। ୪ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଅତ୍ୟଧିକ ରକ୍ତ ବୋହିବାରୁ ସେ ରାସ୍ତାକଡ଼ରେ ସଂଜ୍ଞାହୀନ ହୋଇ ପଡ଼ିଥିଲେ। ପରେ ରାସ୍ତାରେ ଯାଉଥିବା କିଛିଲୋକ ପରିବାର ଲୋକଙ୍କୁ ସୂଚନା ଦେବାପରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଗୁରୁବାର ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କୋକସରା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।
ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ମୂଷାପାଲି ଗ୍ରାମର ଏକ ନିର୍ଦ୍ଦିଷ୍ଟ ଜାତିର ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକମାନେ ଆକ୍ରମଣ କରିଛନ୍ତି। କିଛିଦିନ ତଳେ ତାଙ୍କୁ ପଞ୍ଚାୟତ ନିର୍ବାଚନରୁ ଓହରିଯିବା ପାଇଁ ଧମକ ଦିଆଯାଇ ଥିଲା ବୋଲି ପତ୍ନୀ ଆରତୀ ହଂସ କହିଛନ୍ତି। ଆକ୍ରମଣ ଘଟଣାରେ କୋକସରା ବ୍ଲକ୍ ଯାଦବ ସମିତି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ଆକ୍ରମଣକାରୀଙ୍କୁ ପୁଲିସ ଗିରଫ କରିବା ପାଇଁ ଦୃଢ଼ ଦାବି ହୋଇଛି।