ନିଆଳିରେ ରାଜନୈତିକ ହିଂସାକାଣ୍ଡ : ସଂଘବଦ୍ଧ ଆକ୍ରମଣ, ଘରପୋଡ଼ି

ନିଆଳି : ନିଆଳିର ପୋଦନା ଅଞ୍ଚଳରେ କିଛି ଦିନ ବ୍ୟବଧାନରେ ପୁଣି ରାଜନୈତିକ ହିଂସାକାଣ୍ଡ ଘଟିଛି। ଏହି ଘଟଣାକୁ କେନ୍ଦ୍ରକରି ଘରପୋଡ଼ି ସହିତ ଜଣେ ମହିଳାଙ୍କୁ ଆକ୍ରମଣ କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହିଭଳି ଘଟଣା ଘଟିଛି। ଗତ ପଞ୍ଚାୟତ ନିର୍ବାଚନ ସମୟରୁ ପୋଦନା ଗାଁରେ ବିଜେଡି-କଂଗ୍ରେସ ମୁହାଁମୁହିଁ ହୋଇଆସୁଛନ୍ତି। ପ୍ରଥମେ ରାଜନୈତିକ ହିଂସାକାଣ୍ଡ ଘଟି ବିଜେଡି କର୍ମୀ ସୁରେନ୍ଦ୍ର ନାୟକଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ପ୍ରତିହିଂସା ପରାୟଣ ହୋଇ ବିଜେଡି କର୍ମୀମାନେ ପୂର୍ବତନ କଂଗ୍ରେସ ବିଧାୟକ ଏବଂ ତାଙ୍କ ସମର୍ଥକଙ୍କ ଗାଡ଼ି ପୋଡ଼ି ଦେଇଥିଲେ। ଏବଂ, ୭୦ରୁ ଉର୍ଦ୍ଧ୍ୱ ପରିବାର ଭୟରେ ଗାଁ ଛାଡ଼ି ଦେଇଥିଲେ। ଏହି ପରିବାର ଉପେନ୍ଦ୍ର ରାଉତ ୪ ମାସ ତଳେ ଗାଁକୁ ଫେରିଥିଲେ। କିନ୍ତୁ, ଗତକାଲି ରାତିରେ ତାଙ୍କ ପରିବାର ଆକ୍ରୋଶର ଶିକାର ହୋଇଥିଲେ। ହଠାତ୍‌ କିଛି ଲୋକ ତାଙ୍କ ଘରେ ପଶି ନିଅାଁ ଲଗାଇଦେଇଥିଲେ। ଉପେନ୍ଦ୍ର ଉପସ୍ଥିତ ନ ଥିବାବେଳେ ତାଙ୍କ ପତ୍ନୀଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗରୁ ଜଣାପଡ଼ିଛି। ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ବୋଲି କଟକ ଗ୍ରାମାଞ୍ଚଳ ଏସ୍‌ପି ମାଧବ ଚନ୍ଦ୍ର ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର