ଗୋଳନ୍ଥରା/ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚିକିଟି ନିର୍ବାଚନମଣ୍ଡଳୀ ତଥା ଗୋଳନ୍ଥରା ଥାନା ଅନ୍ତର୍ଗତ ସ୍ପର୍ଶକାତର ପିତାତଳି ପଞ୍ଚାୟତରେ ଆଜି ପୁଣି ରାଜନୈତିକ ହିଂସାକାଣ୍ଡ ଘଟିଛି। ପିତାତଳି ସରପଞ୍ଚ ଏ. ରାଙ୍ଗା ରାଓଙ୍କ ଜ୍ବାଇଁ ଏସ୍‌. କାମେଶୁ(୪୫)ଙ୍କୁ ବିରୋଧୀ ଗୋଷ୍ଠୀ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ଆକ୍ରମଣରେ କାମେଶୁ ଗୁରୁତର ହୋଇଛନ୍ତି ଓ ତାଙ୍କ ଗୋଡ଼ ଓ ମୁଣ୍ଡରେ ଖଣ୍ଡା ଚୋଟ ପଡ଼ିଛି। ତାଙ୍କୁ ଉଦ୍ଧାର କରି ପ୍ରଥମେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି।

Advertisment

ଏହି ଘଟଣାକୁ ନେଇ ଗାଁରେ ପ୍ରବଳ ଉତ୍ତେଜନା ବାତାବରଣ ଲାଗି ରହିଛି। କୌଣସି ଅଘଟନକୁ ଆଶଙ୍କା କରି ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବ୍ରହ୍ମପୁର ଏସ୍‌.ପି. ଡା. ଶରବଣା ବିବେକ ଏମ୍‌.ଙ୍କ ନେତୃତ୍ବରେ ପୁଲିସ ଫୋର୍ସ ଗାଁରେ ପଇଁତରା ଚଳାଇଛନ୍ତି। ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବାରୁ ଗାଁରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ଗୋଳନ୍ଥରା ଥାନା ଅନ୍ତର୍ଗତ ପିତାତଳି ଗ୍ରାମର କାମେଶୁ ଆଜି ସକାଳେ ତାଙ୍କର ବାଇକ୍‌ରେ ନିକଟସ୍ଥ ପୋଲସରା ଗାଁକୁ କୌଣସି କାମରେ ଯାଇଥିଲେ। ସେଠାରୁ ଫେରିବା ସମୟରେ ପୋଲସରା-ପିତାତଳି ଗାଁ ମଝିରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇ ଥିଲେ।‌ କୌଣସି କାରଣକୁ ନେଇ ସେମାନେ କାମେଶୁଙ୍କ ସହିତ ଯୁକ୍ତିତର୍କ କରିଥିଲେ। ଏହାପରେ ହଠାତ୍‌ ଖଣ୍ଡାରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଜୀବନ ରକ୍ଷା ପାଇଁ କାମେଶୁ ବିଲ ଭିତରକୁ ଧାଇଁ ପଳାଇ ଥିଲେ। ତଥାପି ଦୁର୍ବୃତ୍ତମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଥିଲେ। କାମେଶୁ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ସେଠାରୁ ପଳାଇଥିଲେ। ଖବର ପାଇ କାମେଶୁଙ୍କ ପରିବାରବର୍ଗ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରିଥିଲେ।

ବ୍ରହ୍ମପୁର ଏସ୍‌.ପି, ସଦର ଏସ୍‌ଡିପିଓ ଶିବଶଙ୍କର ମହାପାତ୍ର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପୂର୍ବ ରାଜନୈତିକ ଶତ୍ରୁତାକୁ ନେଇ ଏଭଳି ଘଟଣା ଘଟିଥିବା ପୁଲିସ ଅନୁମାନ କରୁଛି। ପୂର୍ବରୁ ମଧ୍ୟ ବହୁ ବର୍ଷ ଧରି ପିତାତଳି ଗାଁର ଦୁଇ ରାଜନୈତିକ ସମର୍ଥିତ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ, ବୋମାମାଡ଼ ଓ ରକ୍ତାକ୍ତ ସଂଘର୍ଷ ଘଟିଛି। ଏହି ଗାଁରେ ଶାନ୍ତି ଫେରାଇ ଆଣିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଥିଲେ ସୁଦ୍ଧା କୌଣସି ସୁଫଳ ମିଳୁ ନଥିବା ଅଭିଯୋଗ ହେଉଛି। ଏଣୁ ଅପରାଧୀ ଗୋଷ୍ଠୀଙ୍କୁ ଦୃଢ଼ ହସ୍ତରେ ଦମନ କରିବାକୁ ଦାବି ହୋଇଛି।