ବଢୁଛି ରାଜନୈତିକ ହିଂସା: ଗଞ୍ଜାମ ଜିଲ୍ଲାରେ ୪୮ ଘଣ୍ଟାରେ ଦ୍ୱିତୀୟ ନିର୍ବାଚନୀ ହିଂସା‌

ପ୍ରାର୍ଥିପତ୍ର ଦାଖଲ କରୁଥିବାବେଳେ ମରଣାନ୍ତକ ଆକ୍ରମଣରେ ଦୁଇ ଗୁରୁତର; ବୌଦ୍ଧ ଜିଲ୍ଲାରେ ନିର୍ବାଚନୀ ହିଂସାରେ ୫ ଲହୁଲୁହାଣ

ପାତ୍ରପୁର : ଗଞ୍ଜାମ ଜିଲ୍ଲାରେ ୪୮ ଘଣ୍ଟା ଭିତରେ ପୁଣି ଏକ ରାଜନୈତିକ ହିଂସା। ଧରାକୋଟ ଥାନା ଅଧୀନ ମୁଣ୍ଡମରାଇ ପରେ ଆଜି ଜରଡ଼ା ଥାନା ଇଲାକାରେ ଦୁଇଜଣ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ପ୍ରାର୍ଥିପତ୍ର ଦାଖଲ କରି ଗାଁକୁ ଫେରୁଥିବାବେଳେ ପି.ନୌକାୟା (୨୫) ଓ କେ.ଭୀମାୟା (୬୦)ଙ୍କୁ କିଛି ଯୁବକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଲହୁଲୁହାଣ କରିପକାଇଛନ୍ତି। ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଖମ୍ବାରିଗାଁ ପଞ୍ଚାୟତ ଅଧୀନ ବାବନପୁର ଗ୍ରାମର ନୌକାୟା ଓ ଭୀମାୟା ଆଜି ଅନ୍ୟମାନଙ୍କ ସହ ସରପଞ୍ଚ ନାମାଙ୍କନ ଦାଖଲ ପାଇଁ ପଞ୍ଚାୟତ ଅଫିସକୁ ଯାଇଥିଲେ। ଅପରାହ୍ନ ପ୍ରାୟ ୩ଟା ବେଳେ ସେମାନେ ଫେରୁଥିବା ସମୟରେ ଖମ୍ବାରିଗାଁ ପଥରକ୍ବାରୀ ନିକଟରେ ୬ରୁ ଊର୍ଦ୍ଧ୍ବ ଯୁବକ ସେମାନଙ୍କୁ ଅଟକାଇ ବିଭିନ୍ନ ମାରଣାସ୍ତ୍ରରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଛାଡ଼ି ଚମ୍ପଟ୍ ମାରିଥିଲେ। ନୌକାୟା ଓ ଭୀମା‌ୟାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ଏହି
ଘଟଣା ପରେ ଜରଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରାଜନୈତିକ ବିବାଦକୁ କେନ୍ଦ୍ରକରି ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି।

ସେହିପରି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ ଶୁଣ୍ଡିପଦର ପଞ୍ଚାୟତ କାର୍ଯ୍ୟାଳୟରେ ଗୁରୁବାର ଦିନ ସରପଞ୍ଚ ପ୍ରାର୍ଥିପତ୍ର ଦାଖଲ ସମୟରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଦୁଇଗୋଷ୍ଠୀର ସମର୍ଥକ ପଞ୍ଚାୟତ କାର୍ଯ୍ୟାଳୟର ଚୌକି ଓ ଟେବୁଲ ଭଙ୍ଗାରୁଜା କରିବା ସହିତ ନିର୍ବାଚନ ଅଧିକାରୀଙ୍କ କାଗଜପତ୍ର ଚିରି ଦେଇଛନ୍ତି। ଘଟଣା ସ୍ଥଳରେ ଥିବା ମନମୁଣ୍ଡା ଥାନା ପୁଲିସ ଭ୍ୟାନ୍‌କୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି। ହିଂସା ଭୀଷଣ ରୂପ ନେବା ପୂର୍ବରୁ ମନମୁଣ୍ଡା ପୁଲିସ ଏହାକୁ ନିୟନ୍ତ୍ରଣକୁ ଆଣିଛି। ତେବେ ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ଏଥି ପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖାଯାଇଥିବା ଥାନାଧିକାରୀ ଗୋପୀନାଥ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର