ଗଞ୍ଜାମରେ ରାଜନୈତିକ ରକ୍ତପାତ ବଢୁଛି: କାହାକୁ ଜଗିବ ପୁଲିସ, ପ୍ରଶାସନ?

୨୦୧୭ରେ ଯାଇଥିଲା ୪ ଜୀବନ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଧରାକୋଟ, ଜରଡ଼ା, କେ.ନୂଆଗାଁ, ହିଞ୍ଜିଳିକାଟୁ ଓ ଗୋପାଳପୁର ଥାନା ଇଲାକାରେ ଗତ କିଛିଦିନ ମଧ୍ୟରେ ରାଜନୈତିକ ହିଂସା ଓ ସଂଘର୍ଷ ଘଟିଛି। ଏଭଳି ସ୍ଥିତିରେ ରାଜ୍ୟର ସବୁଠୁ ବଡ଼ ଜିଲ୍ଲା ତଥା ରାଜ୍ୟ ରାଜନୀତିର ଭାଗ୍ୟ ନିର୍ଦ୍ଧାରକ ବୋଲାଉଥିବା ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ନିର୍ବାଚନ କିଭଳି ଶାନ୍ତିଶୃଙ୍ଖଳା ଓ ସୁରୁଖୁରୁରେ ପରିଚାଳିତ ହେବ ଏହାକୁ ନେଇ ବର୍ତ୍ତମାନ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

DNA India

ଗଞ୍ଜାମ ଜିଲ୍ଲାରେ ରାଜନୈତିକ ହିଂସା କିଛି ନୂ୍ଆ କଥା ନୁହେଁ। ଗତ ୨୦୧୭ ପଞ୍ଚାୟତ ନିର୍ବାଚନ ହିଂସାରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ଶତାଧିକ ଆହତ ହୋଇଥିଲେ। ଶେରଗଡ଼ ବ୍ଲକ୍ ବ୍ରାହ୍ମଣଛାଇ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ବୁଲୁ କୁମାର ପ୍ରଧାନଙ୍କୁ ନିର୍ମମ ଭାବେ ହତ୍ୟା ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏହାସହ କେଉଁଠି ବାଇକ୍‌ ପୋଡ଼ାଜଳା ତ, ଆଉ କେଉଁଠି ଭଙ୍ଗାରୁଜା ହୋଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ, ଜିଲ୍ଲାର ସାନଖେମୁଣ୍ତି, ପାତ୍ରପୁର ଓ ଛତ୍ରପୁର ବ୍ଲକର ୧୧ଟି ବୁଥ୍‌ରେ ସାନି ମତଦାନ ହୋଇଥିଲା। ବ୍ୟାପକ ପଦକ୍ଷେପ ଗ୍ରହଣ ସହ ସମ୍ବେଦନଶୀଳ ବୁଥ୍‌ ଗୁଡ଼ିକରେ ସିସି କ୍ୟାମେରା ଲଗାଯିବା ସତ୍ତ୍ବେ ହିଂସା ଥମିବା ନାଁ ନେଇ ନଥିଲା।

ଏହାମଧ୍ୟରେ ୫ ବର୍ଷ ପରେ ଆସନ୍ତା ଫେବ୍ରୁଆରିଠୁ ଗଞ୍ଜାମ ଜିଲ୍ଲାରେ ୫ଟି ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି। ଏଥିପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଗଞ୍ଜାମ ପୁଲିସ ଜିଲ୍ଲାର ୨୩ ଥାନା ଅଧୀନରେ ୯ହଜାରରୁ ଅଧିକ ବିଶୃଙ୍ଖଳାକାରୀଙ୍କୁ ୧୦୭ ଓ ୧୧୦ ସିଆରପିସି ନୋଟିସ୍ ଦିଆଯାଇଛି। ଏହାସହ ବ୍ରହ୍ମପୁର ପୁଲିସ ଜିଲ୍ଲା ଅଧୀନରେ ବି ଶତାଧିକଙ୍କୁ ୧୦୭ ଓ ୧୧୦ ସିଆରପିସି ନୋଟିସ୍ ଜାରି ହୋଇଥିବା ଜଣାପଡ଼ିଛି। ଏଥିପାଇଁ ପୁଲିସ ଓ ପ୍ରଶାସନର ଘନ ଘନ ବୈଠକ ବି ବସୁଛି।

ତଥାପି ଏହାମଧ୍ୟରେ ଧରାକୋଟ ଥାନା ମୁଣ୍ଡମରାଇରେ ଗତ ୧୮ ତାରିଖରେ ନାମାଙ୍କନ ଦାଖଲକୁ ନେଇ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଦୁଇ ଗୋଷ୍ଠୀ ଭିତରେ ଘମାଘୋଟ ସଂଘର୍ଷ ଘଟି ୩ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ। ସେହିପରି ଦିଗପହଣ୍ଡି ବ୍ଲକ୍ କେ.ନୂଆଗାଁ ଥାନା ଅଧୀନ ସିଏଚ୍‌.ଟିକରପଡ଼ା ଓ ଗ‌ୌଡ଼ଗାଁରେ ଗତ ୧୭ ତାରିଖରେ ନାମାଙ୍କନ ଦାଖଲକୁ ନେଇ ବିଜେପି ଓ ବିଜେଡି ସମର୍ଥକଙ୍କ ଭିତରେ ସଂଘର୍ଷ ଘଟିଥିଲା। ଏଥିରେ ପୁଲିସ ଉଭୟ ଦଳରୁ ୮ ଜଣ କର୍ମୀଙ୍କୁ ଗିରଫ କରିଛି। ଏହାପରେ ଗତକାଲି ପାତ୍ରପୁର ବ୍ଲକ୍ ଜରଡ଼ା ଥାନା ଖମ୍ବାରିଗାଁ ପଥରକ୍ବାରି ନିକଟରେ ନାମାଙ୍କନ ଦାଖଲ ସାରି ଫେରୁଥିବା ଏକ ନିର୍ଦ୍ଦିଷ୍ଟ ଦଳର ଦୁଇଜଣ ସମର୍ଥକଙ୍କୁ ବିରୋଧୀ ଗୋଷ୍ଠୀ ରାସ୍ତା ଉପରେ ହାଣିଦେଲେ। ଚିକିଟି ଗଡ଼ରେ ବି ନିର୍ବାଚନକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣରେ ଗତକାଲି ୩ ଜଣ ଆହତ ହୋଇଥିବା ବେଳେ ହିଞ୍ଜିଳିକାଟୁ ବ୍ଲକ୍ ଦାରୁଭଦ୍ରା ପଞ୍ଚାୟତ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଚିରାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଲା। ଆଜି ଗୋପାଳପୁର ଥାନା କରାପଲ୍ଲୀ ପଞ୍ଚାୟତ ଅଫିସରୁ ସମାନ ଘଟଣା ସାମ୍ନାକୁ ଆସିଛି।

ସମ୍ବନ୍ଧିତ ଖବର