ରାଜନୈତିକ ହିଂସା: ଆକ୍ରମଣରେ ଯୁବ ବିଜେଡି ଉପସଭାପତି ଗୁରୁତର

ଭଦ୍ରକ: ନିର୍ବାଚନ ହିଂସାକୁ ନେଇ ଆକ୍ରମଣ! ଭଦ୍ରକ ପୌରାଞ୍ଚଳ ଯୁବ ବିଜୁ ଜନତା ଦଳ ଉପସଭାପତି ସେକ୍ ସାହାଜାନଙ୍କୁ ଗତକାଲି ରାତିରେ କିଛି ଦୁର୍ବୃତ୍ତ ରାଜନୈତିକ ଆକ୍ରୋଶ ରଖି ଆକ୍ରମଣ କରିଛନ୍ତି। ଏଥିରେ ସେ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ବର୍ତମାନ ସାହାଜାନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି। ତେବେ ଏହି ଘଟଣାରେ ଯୁବ ବିଜେଡି ଉଦ୍‌ବେଗ ପ୍ରକାଶ କରିଛି। ଜିଲ୍ଲା ଯୁବ ବିଜେଡି ସଭାପତି ମୁକନ୍ଦଦେବ ସାମଲ, ନଗର ବିଜେଡି ସଭାପତି ତାହେର ମହମ୍ମଦ, ପ୍ରବୀର ଜେନା, ନଗର ଯୁବ ବିଜେଡି ସଭାପତି ଆଶିଶ ଅମିତାଭ ମହାପାତ୍ର, ଇମତିଆଜ କମଲ ଖାଁ, ସହିଦ ଖାନ, ରଂଜନ କୁମାର ଦାସ, ଅତୁଲ୍ୟ ନାୟକ ପ୍ରମୁଖ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିବା ସହ ଆକ୍ରମଣକାରୀଙ୍କ ବିରୋଧ‌ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଯଦି ଆକ୍ରମଣକ‌ାରୀଙ୍କୁ ତୁରନ୍ତ ଗିରଫ କରା ନ ଯାଏ, ତେବେ ଯୁବ ବିଜେଡି ନିରବ ବସିବ ନାହିଁ। ଆବଶ୍ୟକ ପଡ଼ିଲେ ରାଜରାସ୍ତା ଅବରୋଧ କରିବାକୁ ପଛାଇବ ନାହିଁ ବୋଲି ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର