ଭୁବନେଶ୍ବର : ଆଉ ଦିନକ ପରେ କେନ୍ଦ୍ର ସରକାରଙ୍କ ଦ୍ବାରା ଘୋଷିତ ଅନ୍ଲକ୍-୪ କାର୍ଯ୍ୟକାରୀ ହେବ। ଏଥରକ ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମରେ ୧୦୦ ଜଣ ଲୋକ ଏକାଠି ହୋଇପାରିବେ ବୋଲି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧୀ କଂଗ୍ରେସ ସମାଲୋଚନା କରିଛି। ଦଳୀୟ ବିଧାୟକ ଅଭିଯୋଗ କରିଛନ୍ତି, ବିହାର ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ମୋଦୀ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଅନ୍ୟପଟେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ରାଜନୀତି ନ କରିବା ପାଇଁ ବିଜେପି କହିଛି। ଏହି ପ୍ରସଙ୍ଗକୁ ନେଇ ବିଜେଡି ମାପିଚୁପି ପ୍ରତିକ୍ରିୟା ରଖିଛି।
କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଅଭିଯୋଗ କରି କହିଛନ୍ତି, ରାଜ୍ୟରେ କରୋନା ସଂକ୍ରମଣ ୧ ଲକ୍ଷ ଟପିଥିବାବେଳେ ବନ୍ୟା ପରିସ୍ଥିତି ଆହୁରି ବିପର୍ଯ୍ୟୟ ଆଣିଲାଣି। ଏଭଳି ସ୍ଥିତିରେ ସମାବେଶ କଟକଣାକୁ କୋହଳ କରି ୧୦୦ କରିବାର କିଛି ଯଥାର୍ଥତା ନାହିଁ। ଲୋକଙ୍କ ପାଖରେ ରୋଜଗାର ନାହିଁ କି ଖାଇବାକୁ ମୁଠାଏ ଭାତ ନାହିଁ। ଏଣିକି କୌଣସି ପ୍ରକାରେ କଟକଣା ରଖିବା ଉଚିତ ନୁହଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ସମ୍ପର୍କ ରହିଛି। ଏବେ ଯେଉଁ ୧୦୦ ଜଣ ଲୋକଙ୍କୁ ଏକାଠି ହେବା ପାଇଁ ଅନୁମତି ଦିଆଯାଇଛି ଆବଶ୍ୟକ ପଡ଼ିଲେ କଂଗ୍ରେସ ୧ ହଜାର ଲୋକଙ୍କୁ ଏକାଠି କରିବ।
ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଜବାବ ଦେଇ କହିଛନ୍ତି, ସାଧାରଣ ଜୀବନ ଯାତ୍ରା, ଅର୍ଥନୀତି, ମହାମାରୀ ପରିସ୍ଥିତିକୁ ଦେଖି ଧୀରେ ଧୀରେ କେନ୍ଦ୍ର ସରାକର କଟକଣା କୋହଳ କରି ଚାଲିଛନ୍ତି। ଯାହାକି ସ୍ବାଗତ ଯୋଗ୍ୟ ପଦକ୍ଷେପ। ଏପରି କରି ସଂକ୍ରମଣ ଉପରେ ନିୟନ୍ତ୍ରଣ ପାଇବାରେ ସରକାର ସଫଳ ହେଉଛନ୍ତି। କଟକଣା କୋହଳ ହେଲେ ଜନଜୀବନ ସ୍ବାଭାବିକ ହୋଇପାରିବ ବୋଲି କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି।
କଂଗ୍ରେସ ଓ ବିଜେପିର ବୟାନବାଜି ଉପରେ ପ୍ରତିକ୍ରିୟା ରଖି ବିଜେଡିର ବରିଷ୍ଠ ବିଧାୟକ ଶଶିଭୁଷଣ ବେହେରା କହିଛନ୍ତି, ଆଗରୁ ସଭା ସମିତିରେ ଲକ୍ଷାଧିକ ଲୋକ ଏକାଠି ହୋଇପାରୁଥିଲେ। ଏବେ ମହାମାରୀ କରୋନା ଯେପରି କାୟା ବିସ୍ତାର କରିଛି ସେଥିରେ ୧୦୦ ଜଣ ଲୋକଙ୍କୁ ଏକାଠି କରିବା ବି କାଠିକର ହେବ। ଟିକା ନ ଆସିବା ଯାଏଁ ଏଭଳି ସ୍ଥିତି ଲାଗି ରହିବ। ଏ ସମ୍ପର୍କରେ ଆବଶ୍ୟକ ପଡ଼ିଲେ, ରାଜ୍ୟ ସରକାର ଆଗକୁ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ ବୋଲି ଶ୍ରୀ ବେହେରା ପ୍ରତିକ୍ରିୟା ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/sura-routray.jpg)