ହାରିଗଲେ ବୋଲି ଦୂରେଇଗଲେ…

ସେବେ ପୋଖରୀରେ ‌ଗାଧୋଉଥିଲେ, ଏବେ ଦେଖିବାକୁ ମିଳୁନାହାନ୍ତି, ବ୍ରହ୍ମଗିରି ମାଟି ମାଡ଼ୁନାହାନ୍ତି ସଂଜୟ, ମ‌ହେଶ୍ବରଙ୍କ ରହସ୍ୟମୟ ନିରବତା

ପୁରୀ : ନିର୍ବାଚନରେ ହାରଜିତ୍ ଅଛି। ଜିତିଲେ ହିଁ କେବଳ ଲୋକଙ୍କୁ ସେବା ଦେଇ ହେବ, ହାରିଲେ ଦୂ‌ରେଇ ଯିବ‌ା… ଏଭଳି କଥାକୁ ଭୋଟର୍‌ ଆଉ ଗ୍ରହଣ କରିବା ମାନସିକତାରେ ନାହାନ୍ତି। ସାଧାରଣ ନିର୍ବ‌ାଚନ ପରେ ଜନମାନସରୁ ହଠାତ ଅଦୃଶ୍ୟ ହୋଇ ଯାଇଥିବା ପୁରୀ ଜିଲ୍ଲାର କିଛି ଚର୍ଚ୍ଚିତ ନେତାଙ୍କୁ ଭୋଟର ଏବେ ଖୋଜୁଛନ୍ତି।

୧୯ ନିର୍ବାଚନରେ ପୁରୀରେ ସବୁଠୁ ଚର୍ଚ୍ଚିତ ନେତା ଥିଲେ ବିଜେପିର ଲୋକସଭା ପ୍ରାର୍ଥୀ ଡାକ୍ତର ସମ୍ବିତ ପାତ୍ର। ‘ଜଗନ୍ନାଥ ଡାକିଛନ୍ତି, ମୋଦୀ ପଠାଇଛନ୍ତି’ ଏହି ନାରା ଦେଇ ସମ୍ବିତ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ। ଗାଁ ଗାଁ ବୁଲିଥିଲେ। କାହା ଘରେ ପଖ‌ାଳ ଖାଇଥିଲେ ତ ଆଉ କାହା ଘରେ ରାତି କାଟିଥିଲେ। ଗାଁ ପୋଖରୀରେ ଲୋକଙ୍କ ସହିତ ଗାଧୋଇଥିଲେ। ପଲ୍ଲୀଠୁ ସହର ଯାଏ ସବୁଠି ଛାଇ ହୋଇ ଯାଇଥିଲେ ସମ୍ବିତ। ସୋସିଆଲ୍‌ ମିଡିଆରେ ସବୁଠୁ ଅଧିକ ଚର୍ଚ୍ଚିତ ନେତାଙ୍କ ଭିତରେ ଥିଲେ ସେ। ସମ୍ବିତ ବି ଲୋକଙ୍କୁ କଥା ଦେଇଥିଲେ, ସେ ହାରନ୍ତୁ କି ଜିତନ୍ତୁ ପୁରୀ ଲୋକଙ୍କ ସହିତ ରହିବେ। ସମ୍ବିତଙ୍କ ଏମିତି ମିଠା ମିଠା କଥାରେ ଭୋଟର ଭରସି ଯାଇଥିଲେ। ଫଳସ୍ବରୂପ ନିର୍ବାଚନର ମାତ୍ର ଦିନ କେଇଟା ପୂର୍ବରୁ ନାମ ଘୋଷଣା ହୋଇଥିଲେ ବି ସମ୍ବିତ ବିଜେଡିର ହେଭି‌ୱେଟ୍‌ ସାଂସଦ ପ୍ରାର୍ଥୀ ପିନାକୀ ମିଶ୍ରଙ୍କୁ ଦେଇଥିଲେ କଡ଼ା ଟକ୍କର। ତେବେ ନିର୍ବାଚନ ସରିବାର ୮୦ ଦିନ ପରେ ସମ୍ବିତ ପୁରୀବାସୀଙ୍କ ଜନମାନସରୁ ଏକପ୍ରକାର ଅଦୃଶ୍ୟ ହୋଇ ସାରିଛନ୍ତି। ତାଙ୍କର ପୋଖରୀ ଗାଧୁଆ, ପଖାଳ ଖିଆ ଅବତାର ଆଉ ଦେଖିବାକୁ ମିଳୁନି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହା ଭିତରେ ସମ୍ବିତ ପୁରୀକୁ ମାତ୍ର ଦୁଇ ଥର ଆସିଛନ୍ତି। ରଥଯାତ୍ର‌ା ଓ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ତାଙ୍କୁ ଯାହା ପୁରୀରେ ଦେଖିବାକୁ ମିଳିଥିଲା। ଏବେ ସମ୍ବିତ ଗତାନୁଗତିକ ଧାରାରେ ସେ ଲୋକଙ୍କ ପାଖରୁ ଦୂରେଇ ଯାଇଛନ୍ତି। ବର୍ତ୍ତମାନ ସେ ଦିଲ୍ଲୀରେ ବେଶ ସକ୍ରିୟ।
କେବଳ ସମ୍ବିତ ନୁହନ୍ତି, କଂଗ୍ରେସର ସାଂସଦ ପ୍ରାର୍ଥୀ ତଥା ବିଶିଷ୍ଟ ସାମ୍ବାଦିକ ସତ୍ୟପ୍ରକାଶ ନାୟକଙ୍କୁ ମଧ୍ୟ ପୁରୀରେ ଆଉ ଦେଖିବାକୁ ମିଳୁନାହିଁ। ବିଜେଡିର ବରିଷ୍ଠ ନେତ‌ା ତଥା ବ୍ରହ୍ମଗିରିରୁ ଲଗାତର ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସଂଜୟ ଦ‌ାସବର୍ମାଙ୍କ ଅବସ୍ଥା ମଧ୍ୟ ସେଇଆ। ବିଜେପି ପ୍ରାର୍ଥୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କଠାରୁ ପରାଜିତ ହେବା ପରେ ଶ୍ରୀ ଦାସବର୍ମା ଆଗଭଳି ଆଉ ବ୍ରହ୍ମଗିରି ଆସୁନାହାନ୍ତି କି ଲୋକେ ତାଙ୍କୁ ଏ ଅଞ୍ଚଳରେ ଦେଖିବାକୁ ପାଉନାହାନ୍ତି। ଅଲରାନାଥଙ୍କ ଦର୍ଶନ ପାଇଁ ଆସିଥିବା ବେଳେ ଶ୍ରୀ ଦାସବର୍ମାଙ୍କୁ ଲୋକେ ଯାହା ଦେଖିଥି‌େଲ। ସେପଟେ ବିଜେଡ଼ିର ହେଭିୱେଟ୍‌ ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତି ନିର୍ବାଚନରେ ପରାଜିତ ହେବା ପରେ ନିରବ ରହିଛନ୍ତି। କାଁଭାଁ କିଛି କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁଛି। ତେବେ ବର୍ଷ ବର୍ଷ ଧରି ଲୋକଙ୍କ ସହିତ ଥିବା ନେତା ପରାଜୟ ପରେ ହଠାତ୍ ଏମିତିି ଦୂରେଇ ଯିବାକୁ ଲୋକେ ଭିନ୍ନ ଅର୍ଥରେ ଦେଖିବାକୁ ଆରମ୍ଭ କରିଛନ୍ତି। କେବଳ କ୍ଷମତା ମିଳିଲେ ‌ସେବା, ନହେଲେ ନାହିଁ ଏ କଥାକୁ ନେତା ନୀତି କରିଥିବା ଏହି ଘଟଣାରୁ ସ୍ପଷ୍ଟ।

ସମ୍ବନ୍ଧିତ ଖବର