ନେତା ମାନୁ ନାହାନ୍ତି କରୋନା କଟକଣା; କରୁଛନ୍ତି ନିର୍ବାଚନୀ ସଭା, ପ୍ରଶାସନ ବେଫିକର 

ବାଲିଅନ୍ତା: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଅଞ୍ଚଳରେ କୋଭିଡ଼ କଟକଣା ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଉଥିବା ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇଛି। ନିର୍ବାଚନୀ ସଭା, ସମାବେଶ ଓ ପ୍ରଚାର ଉପରେ କଟକଣା ଲାଗୁ କରାଯାଇଥିବା ବେଳେ ସ୍ଥାନୀୟ ବଇଁଚୁଆ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ଶତାଧିକ ଲୋକଙ୍କୁ ଏକତ୍ରିତ କରାଇ ପ୍ରାର୍ଥୀ ଚୟନ କରାଯିବା ସହ ସମର୍ଥିତ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ପ୍ରଚାର କରାଯାଇଛି। ବିରୋଧୀ ରାଜନୈତିକ ଦଳର କର୍ମୀ ଓ ସମର୍ଥକମାନେ ଏଭଳି ଘଟଣାକୁ ଦୃଢ଼ ବିରୋଧ କରିଛନ୍ତି।

ବଡ଼ କଥା ହେଉଛି, ଖୋଦ ବାଲିଅନ୍ତା ଥାନା , ବ୍ଲକ ଓ ତହସିଲ/ପ୍ରଶାସନ ଜାଣତରେ ଏଭଳି ବଡ଼ଧରଣର ସଭା ସମିତି ଆୟୋଜନ କରାଯାଉଥିବା ଅଭିଯୋଗ ହେଉଛି। ନିର୍ବାଚନୀ ସଭା ଚାଲିଥିବା ବେଳେ ବିରୋଧୀ ଗୋଷ୍ଠୀ ଏସଂପର୍କରେ ପୁଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ଅଧିକାରୀ ସେଠାରେ ଚଢ଼ଉ କରିନଥିଲେ। ଏନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଘୋର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଖବର ନେବାରେ ଜଣାପଡ଼ିଛିଯେ, ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ପକ୍ଷରୁ ଆଜି ବଇଁଚୁଆ ପଞ୍ଚାୟତ ନିକଟସ୍ଥ କାଶୀ ବିଶ୍ବନାଥଙ୍କ ପୀଠରେ ପ୍ରାକ ନିର୍ବାଚନୀ ସଭା ଆୟୋଜନ କରାଯାଇଥିଲା। ଏହି ସଭାରେ ପଞ୍ଚାୟତ ସଭାପତି ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଦଳର ବହୁ ପୁରୁଖା ନେତୃବୃନ୍ଦ ଦଳୀୟ ସମର୍ଥିତ ସରପଞ୍ଚ , ସମିତି ସଭ୍ୟ ସର୍ବୋପରି ୱାର୍ଡ଼ସଭ୍ୟ ପ୍ରାର୍ଥୀଙ୍କୁ ବିଜୟୀ କରିବା ନେଇ ସହଯୋଗ ଳୋଡ଼ିଥିଲେ। ବଡ଼ କଥା ହେଉଛି, ଗତବର୍ଷ ବଇଁଚୁଆ ପଞ୍ଚାୟତରେ ପୂର୍ବତନ ସରପଞ୍ଚ ବିଜୟ କୁମାର ସାହୁଙ୍କ ସମେତ ଅନ୍ୟ ୩ ବ୍ୟକ୍ତିଙ୍କର  କରୋନାରେ ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର