ଚାଷୀଙ୍କୁ ନେଇ ରାଜନୀତି

ମରୁଡ଼ି ପାଇଁ ଟାସ୍କ ଫୋର୍ସ ଗଠନ ଦାବି କଲା ବିଜେପି
ଫସଲ ବୀମା କଥା ଉଠାଇ କେନ୍ଦ୍ରକୁ ଘେରିଲା ବିଜେଡି

ଭୁବନେଶ୍ବର : ମରୁଡ଼ିକୁ ନେଇ ରାଜ୍ୟରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ଏହି ସମୟରେ ଚାଷୀଙ୍କୁ ନେଇ ରାଜ୍ୟ ରାଜନୀତି ବି ସରଗରମ ହୋଇ ଉଠିଛି। ଶାସକ ବିଜେଡି ଓ ବିରୋଧୀ ବିଜେପି ଚାଷୀ ପ୍ରସଙ୍ଗ ଉଠାଇ ସେମାନଙ୍କ ସହ ଅଛନ୍ତି ବୋଲି ବାର୍ତ୍ତା ଦେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ମରୁଡ଼ି ପାଇଁ ରାଜ୍ୟ ସରକାର ବିଶେଷଜ୍ଞମାନଙ୍କୁ ନେଇ ଟାସ୍କଫୋର୍ସ ଗଠନ କରିବା ସହ ମୁକାବିଲା ନିମନ୍ତେ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିବାକୁ ବିଜେପି ଦାବି କରିଛି। ଏହା ସହ ମରୁଡ଼ି ସ୍ଥିତି ଆକଳନ ପାଇଁ ବିଜେପି ଚାରିଟି କମିଟି ଗଠନ କରିଛି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କଥା ଉଠାଇ ବିଜେଡି ଚାଷୀଙ୍କ ଦୁର୍ଦ୍ଦଶା ବଖାଣିବା ସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛି।

ପାଣିପାଗ ସଂସ୍ଥାର ବାରମ୍ବାର ପୂର୍ବାନୁମାନ କରୁଥିବା ସତ୍ତ୍ବେ ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ନେଉ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି। ମରୁଡ଼ି ମୁକାବିଲା ପାଇଁ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିବା ସହ ଯୁଦ୍ଧକାଳୀନ ଭିତ୍ତିରେ ମରୁଡ଼ି ଆସନ୍ନ ଜିଲ୍ଲାଗୁଡ଼ିକରେ ନିକଟସ୍ଥ ଜଳଉତ୍ସଗୁଡ଼ିକୁ ପାଣି ଯୋଗାଇବା ସହ ଅଞ୍ଚଳକୁ ବିଭାଗୀୟ ସଚିବମାନଙ୍କୁ ପଠାଇବାକୁ ସେ ଦାବି କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ ରାଜ୍ୟରେ ଲମ୍ବା ସମୟ ଧରି ସ୍ଥାୟୀ ସରକାର ଥିବା ସତ୍ତ୍ବେ ଆଜି ରାଜ୍ୟର ଚାଷୀକୂଳ ପାଣି ପାଇଁ ମୁଣ୍ଡରେ ହାତ ଦେଇ ବିଲ ମଝିରେ ବସି ରହିବା ଦୃଶ୍ୟ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ବିଜେଡି ସରକାର କେବଳ କଥାରେ ସୀମିତ। ଘୋଷଣା କରିଥିବା ବିଭିନ୍ନ ଜଳସେଚନ ପ୍ରକଳ୍ପ ଓ କୃଷକ କଲ୍ୟାଣ ଯୋଜନାକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛନ୍ତି। ରାଜ୍ୟରେ ବହୁ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି। ଚାରି ବର୍ଷ ତଳେ ୧୫୪ଟି ମେଗାଲିଫ୍ଟ ପଏଣ୍ଟ ପ୍ରକଳ୍ପ ସ୍ଥାପନ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ମାତ୍ର ୩୨ଟି ସମ୍ପୂର୍ଣ୍ଣ ହୋଇଥିଲା ବେଳେ ୧୨୨ଟି ଅସମ୍ପୂର୍ଣ୍ଣ ରହିଛି। ଗଣମାଧ୍ୟମରେ ବହୁଳ ପ୍ରଚାର ଓ ପ୍ରସାର କରାଯାଇଥିବା ପାର୍ବତୀ ଗିରି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ଅଚଳ ହୋଇ ପଡ଼ି ରହିଛି। ମରୁଡ଼ି ସ୍ଥିତି ଆକଳନ ପାଇଁ ସାଂସଦ ବସନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଓ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ନେତୃତ୍ବରେ ବିଜେପି ପକ୍ଷରୁ ଚାରିଟି ଟିମ୍ ଗଠନ କରାଯାଇଛି। ସେମାନେ ମରୁଡ଼ି ଅଞ୍ଚଳ ଗସ୍ତ କରି ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ରିପୋର୍ଟ ଦେବେ। ରିପୋର୍ଟ ମିଳିବା ପରେ କିପରି ଚାଷୀକୂଳକୁ ସାହାଯ୍ୟ କରିହେବ, ସେ ସମ୍ପର୍କରେ ରାଜନୈତିକ ଖସଡ଼ା ପ୍ରସ୍ତୁତ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Royal Sundaram

ବିଜେପିକୁ ଜବାବ ଦେବା ପାଇଁ ବିଜେଡି ପକ୍ଷରୁ ପାଲଟା ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ (ପିଏମ୍ଏଫ୍‌ବିୱାଇ) ଦାବି ସମାଧାନ ନ ହେବା କାରଣରୁ ଓଡ଼ିଶାର ଲକ୍ଷାଧିକ ଚାଷୀ ଯନ୍ତ୍ରଣା ଭୋଗୁଛନ୍ତି। ପିଏମ୍ଏଫ୍‌ବିୱାଇ ଅଧୀନରେ ବୀମା କମ୍ପାନିଗୁଡ଼ିକ ଦ୍ବାରା ହଜାରେ କୋଟିରୁ ଅଧିକ ଟଙ୍କାର କ୍ଷତିପୂରଣ ଦାବି ସମାଧାନ ହୋଇ ନାହିଁ ବୋଲି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି। ଶ୍ରୀ ପାତ୍ର କହିଲେ ଯେ ବରଗଡ଼, ସମ୍ବଲପୁର, ସୋନପୁର, ଦେବଗଡ଼, ବଲାଙ୍ଗୀର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାର ଲକ୍ଷ ଲକ୍ଷ କୃଷକ ପିଏମ୍ଏଫ୍‌ବିୱାଇ ଦ୍ବାରା ପ୍ରଭାବିତ ହୋଇଛନ୍ତି। ସମଗ୍ର ଭାରତରେ ପାଞ୍ଚ ବର୍ଷ ମଧ୍ୟରେ ଫସଲ ବୀମା ପ୍ରିମିୟମ୍ ବାବଦରେ ୧.୨୬ ଲକ୍ଷ କୋଟି ଟଙ୍କା ଦିଆଯାଇଥିଲା ବେଳେ କ୍ଷତିପୂରଣ ବାବଦରେ ୮୭,୩୨୦ କୋଟି ଟଙ୍କା ମିଳିଛି। ବୀମା କମ୍ପାନିଗୁଡ଼ିକ ପିଏମ୍ଏଫ୍‌ବିୱାଇରେ ୪୦ ହଜାର କୋଟି ଟଙ୍କା ରୋଜଗାର କରିଥିଲା ବେଳେ ଚାଷୀଙ୍କ ସ୍ବାର୍ଥ ପ୍ରଭାବିତ ହୋଇଛି। ଓଡ଼ିଶାରେ ରାଜ୍ୟ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ୩୨୫୦.୪୮ କୋଟି ଏବଂ ଓଡ଼ିଶାର କୃଷକମାନେ ୧୦୦୯.୪୮ କୋଟି ଟଙ୍କା ବୀମା କମ୍ପାନିଗୁଡ଼ିକୁ ପଇଠ କରିଛନ୍ତି। କେନ୍ଦ୍ରର ଅଂଶ ଯୋଗ କଲେ ୨୦୨୧ ଖରିଫ ପର୍ଯ୍ୟନ୍ତ ମୋଟ ଦେୟ ହେଉଛି ୭୫୧୦.୮ କୋଟି ଟଙ୍କା। ଖରିଫ ୨୦୨୦ ପର୍ଯ୍ୟନ୍ତ ବୀମା କମ୍ପାନିଗୁଡ଼ିକୁ ପ୍ରିମିୟମ ବାବଦରେ ମୋଟ ୬୧୬୩.୨୮ କୋଟି ଟଙ୍କା ଦିଆଯାଇଥିଲା ବେଳେ କୃଷକମାନଙ୍କ କ୍ଷତିପୂରଣ ଦାବି ମୁତାବକ ବୀମା କମ୍ପାନିଗୁଡ଼ିକ ୫୦୯୮.୬୪ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହିପରି ବୀମା କମ୍ପାନିଗୁଡ଼ିକ ୧୦୬୪.୬୪ କୋଟି ଟଙ୍କା ଲାଭ କରିଛନ୍ତି, ଯାହା କି ସମୁଦାୟ ପ୍ରିମିୟମ୍‌ର ୧୭.୨୭% ଅଟେ। ଓଡ଼ିଶାରେ ୨୦୧୮ରୁ ୨୦୨୦ ମଧ୍ୟରେ କୃଷକମାନେ ଫସଲ ବୀମା ବାବଦରେ ୨୦୯୦ କୋଟି ଟଙ୍କା ଦାଖଲ କରିଥିଲା ବେଳେ ବୀମା କମ୍ପାନିଗୁଡ଼ିକ ଦାବିର ମାତ୍ର ୫୦% ଅର୍ଥାତ ୧୦୨୬ କୋଟି ଟଙ୍କା ପ୍ରଦାନ କରିଛନ୍ତି। ପିଏମ୍‌ଏଫ୍‌ବିୱାଇ ଅଧୀନରେ ଓଡ଼ିଶାରେ କୃଷକମାନେ ସେମାନଙ୍କ ବୀମା ଦାବି ଓ କ୍ଷତିପୂରଣ ପାଇବା ନେଇ ବାରମ୍ବାର ହଇରାଣର ସମ୍ମୁଖୀନ ହେଉଛନ୍ତି। କେନ୍ଦ୍ର ସରକାର ତାଙ୍କ ତ୍ରୁଟି ସୁଧାରିବା ସହିତ ଅସୁବିଧା ସମୟରେ କୃଷକମାନଙ୍କୁ ସାହାଯ୍ୟ କରିବାର ସମୟ ଆସିଛି। କେବଳ ସରକାରୀ ବୀମା କମ୍ପାନିଗୁଡ଼ିକୁ ପିଏମ୍ଏଫ୍‌ବିୱାଇରେ ଅନୁମତି ଦେବା ଉଚିତ, ଯାହା ଦ୍ବାରା କି କୃଷକଙ୍କ ସ୍ବାର୍ଥ ରକ୍ଷା ହୋଇପାରିବ। କୃଷକମାନଙ୍କ ଦାବି ସମାଧାନ ନ ହେବା ପର୍ଯ୍ୟନ୍ତ ବିଜେଡି ତାହାର ସଂଗ୍ରାମ ଜାରି ରଖିବ ବୋଲି ଶ୍ରୀ ପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର