ପାଇକ ବିଦ୍ରୋହର ଡାକଟିକଟକୁ ନେଇ ରାଜନୀତି

ଭୁବନେଶ୍ୱର : ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳନ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଏବେ ପାଇକ ବିଦ୍ରୋହର ସ୍ମାରକୀ ଡାକଟିକଟ ପ୍ରକାଶନକୁ ନେଇ ରାଜନୀତି ଆରମ୍ଭ ହୋଇଛି। ପାଇକ ବିଦ୍ରୋହ ସ୍ମାରକୀ ଡାକଟିକଟ ଖୁବ୍‌ ଶୀଘ୍ର ପ୍ରକାଶ ପାଇବ ବୋଲି ଗତ ସପ୍ତାହରେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଆଜି ଏହି ପ୍ରସଙ୍ଗରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ମନୋଜ ସିହ୍ନାଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସରକାର ଏ ନେଇ ଆଗରୁ ପ୍ରସ୍ତାବ ଦେବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଏଥିରେ ସ୍ମରଣ କରାଇଛନ୍ତି। ଡାକଟିକଟକୁ ନେଇ ଏହି ଛକାପଞ୍ଝା ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଲେଖିଥିବା ଚିଠିରେ ଦର୍ଶାଇଛନ୍ତି, ରାଜ୍ୟ ସରକାର ପାଇକ ବିଦ୍ରୋହ ୨୦୦ ବର୍ଷ ପୂର୍ତ୍ତି ମହା ଆଡ଼ମ୍ବରରେ ପାଳନ କରୁଛନ୍ତି। ପାଇକ ବିଦ୍ରୋହର ଏକ ସ୍ମାରକୀ ଡାକଟିକଟ ପ୍ରକାଶ ପାଇଁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ଅନୁରୋଧ କରିଥିଲେ। ପ୍ରସ୍ତାବିତ ଡାକଟିକଟର ଡିଜାଇନ୍‌, ଇଂରାଜୀ ଓ ହିନ୍ଦୀରେ ଲେଖା ଓଡ଼ିଶା ସର୍କଲ୍‌ ପୋଷ୍ଟ୍‍ ମାଷ୍ଟର୍‌ ଜେନେରାଲ୍‌ଙ୍କୁ ଗତ ଜୁନ୍‌ ମାସରୁ ଦିଆସରିଛି। ଗତ ସେପ୍ଟମ୍ବର ମାସରେ ମୁଖ୍ୟ ଶାସନ ସଚିବ ମଧ୍ୟ ଡାକ ବିଭାଗକୁ ଚିଠି ଲେଖିଛନ୍ତି। ତେଣୁ ତୁରନ୍ତ ଡାକଟିକଟ ପ୍ରକାଶନ ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

ପାଇକ ବିଦ୍ରୋହର ୨୦୦ ବର୍ଷ ପାଳନ ପାଇଁ ଗଠିତ କମିଟିର ନିଷ୍ପତ୍ତିକ୍ରମେ ଡାକଟିକଟ ଓ ମୁଦ୍ରା ପ୍ରଚଳନ ପାଇଁ ସଂସ୍କୃତି ମନ୍ତ୍ରଣାଳୟ ସମ୍ମତି ପ୍ରଦାନ କରିଛି ବୋଲି ଗତ ୮ ତାରିଖରେ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଏକ ଚିଠି ଲେଖାଯାଇ ଅବଗତ କରାଯାଇଥିଲା। କମିଟିର ସଦସ୍ୟ ଭାବେ ଶ୍ରୀ ପ୍ରଧାନଙ୍କ ଠାରୁ ଡାକଟିକଟ ଓ ମୁଦ୍ରାର ଡିଜାଇନ୍‌ ଉପରେ ପ୍ରସ୍ତାବ ଦେବାକୁ ଅନୁରୋଧ କରାଯାଇଥିଲା। ସଂସ୍କୃତି ମନ୍ତ୍ରଣାଳୟର ଏହି ଚିଠି ଆଧାରରେ ଶ୍ରୀ ପ୍ରଧାନ ଗତ ସପ୍ତାହରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର