ବିଜୁ ଯୁବ ବାହିନୀ ଅଡିଟ୍‌କୁ ନେଇ ରାଜନୀତି

ସହଯୋଗ କରିବାକୁ କ୍ରୀଡ଼ା ସଚିବଙ୍କୁ ଚିଠି ଲେଖିଲେ ଡେପୁଟି ଏଜି, ବିଧାନସଭାରେ ଚିଠି ଦେଖାଇ ବିଜେପି ସଭ୍ୟଙ୍କ ହୋହଲ୍ଲା

ଭୁବନେଶ୍ୱର : ବିଜୁ ଯୁବ ବାହିନୀ ପାଇଁ ବରାଦ ଅର୍ଥର ଅଡିଟ୍‌କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏହାର ଅଡିଟ୍‌ କରିବାକୁ ଆକାଉଣ୍ଟାଣ୍ଟ୍‌ ଜେନେରାଲ୍‌ଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲେ ବି ହକି ପ୍ରସ୍ତୁତିରେ କ୍ରୀଡ଼ା ଓ ଯୁବ ସେବା ବିଭାଗ ବ୍ୟସ୍ତ ଥିବାରୁ ସହଯୋଗ ନେଇ ଅକ୍ଷମତା ପ୍ରକାଶ କରିଛି। ବିଜେପି ସଭ୍ୟମାନେ ଏହାକୁ ପ୍ରସଙ୍ଗ କରି ଆଜି ବିଧାନସଭା ଭିତରେ ହୋହଲ୍ଲା କରିଛନ୍ତି। ଶୂନ୍ୟକାଳରେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ବିଜୁ ଯୁବ ବାହିନୀ ଅର୍ଥର ଅଡିଟ୍‌ କରିବା ପାଇଁ ଗତ ୪ ତାରିଖରେ ବିଜେପି ବିଧାୟକମାନଙ୍କ ପକ୍ଷରୁ ଆକାଉଣ୍ଟାଣ୍ଟ୍‌ ଜେନେରାଲ୍‌ଙ୍କ ନିକଟରେ ଲିଖିତ ଦାବି କରାଯାଇଥିଲା। ଗତ ୬ ତାରିଖରେ ଡେପୁଟି ଆକାଉଣ୍ଟାଣ୍ଟ୍‌ ଜେନେରାଲ୍‌ ଜ୍ୟୋତି ଚୌରାସିଆ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗର ସଚିବଙ୍କୁ ଏକ ପତ୍ର ଲେଖିଥିଲେ। ଏଥିରେ ଦର୍ଶାଇଥିଲେ, ୨୦୧୮ ମାର୍ଚ୍ଚରେ ରାଜ୍ୟ ସରକାର ବିଜୁ ଯୁବ ବାହିନୀ ଯୋଜନା ଆରମ୍ଭ କରିଛନ୍ତି। ୧୫ରୁ ୩୫ ବର୍ଷ ମଧ୍ୟରେ ଥିବା ଯୁବକ, ଯୁବତୀଙ୍କ ମଧ୍ୟରେ ସମାଜସେବା ମନୋଭାବ ଓ ଗ୍ରାମାଞ୍ଚଳ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ଏହାର ଉଦ୍ଦେଶ୍ୟ। ଏହି ଯୋଜନାର ଫଳପ୍ରଦ କାର୍ଯ୍ୟକାରିତା ପାଇଁ ଆକାଉଣ୍ଟାଣ୍ଟ୍‌ ଜେନେରାଲ୍‌ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହାର ଅଡିଟ୍‌ ପାଇଁ ନିଷ୍ପତ୍ତି ନିଆଯାଇଛି। ଏକ ଅଡିଟ୍‌ ଟିମ୍‌ ବିଭାଗକୁ ଯାଇ ଏହି ଯୋଜନା ବାବଦରେ ବିଭିନ୍ନ ସୂଚନା ସଂଗ୍ରହ କରିବେ। ତେଣୁ ଟିମ୍‌କୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ସେ ଅନୁରୋଧ କରିଥିଲେ।

ଗତ ୧୧ ତାରିଖରେ ଅଡିଟ୍‌ ଟିମ୍‌ର ଜଣେ ସଦସ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗକୁ ଯାଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ତେବେ ହକି ବିଶ୍ୱକପ୍‌ ପ୍ରସ୍ତୁତି ପାଇଁ ସମସ୍ତେ ବ୍ୟସ୍ତ ଥିବାରୁ ଅଡିଟ୍‌ରେ ସହଯୋଗ କରିବାକୁ ଅଧିକାରୀମାନେ ଅକ୍ଷମତା ପ୍ରକାଶ କରିଥିଲେ।

ଏ ନେଇ ଗତ ୧୪ ତାରିଖରେ ଡେପୁଟି ଆକାଉଣ୍ଟାଣ୍ଟ୍‌ ଜେନେରାଲ୍‌ କ୍ରୀଡ଼ା ଓ ଯୁବ ସେବା ବିଭାଗ ସଚିବଙ୍କୁ ପୁଣି ଚିଠି ଲେଖିଛନ୍ତି। ଏଥିରେ ଦର୍ଶାଇଛନ୍ତି, କିଛି ବିଧାୟକଙ୍କ ଅନୁରୋଧ କ୍ରମେ ଅଡିଟ୍‌ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଯେହେତୁ ଏହି ଯୋଜନାରେ ବହୁ ପରିମାଣରେ ସର୍ବସାଧାରଣଙ୍କ ଅର୍ଥ ଉପଯୋଗ ହେଉଛି, ତେଣୁ ପ୍ରାଥମିକତା ଭିତ୍ତିରେ ଏହାର ଅଡିଟ୍‌ କରାଯିବାର ଆବଶ୍ୟକତା ରହିଛି। ଅଡିଟ୍‌ ଟିମ୍‌କୁ ବିଭାଗ କେବଳ କିଛି ତଥ୍ୟ ଦେବାର ଆବଶ୍ୟକତା ରହିଛି। ହକି ପ୍ରସ୍ତୁତିରେ ଅଡିଟ୍‌ ଏହା କୌଣସି ବାଧା ସୃଷ୍ଟି କରିବ ନାହିଁ। ତେଣୁ ଅଡିଟ୍‌ ଟିମ୍‌କୁ ସହଯୋଗ କରିବାକୁ ସେ ପୁଣି ଅନୁରୋଧ କରିଛନ୍ତି।

ବିଜୁ ଯୁବ ବାହିନୀ ଅର୍ଥରେ ଅନିୟମିତତା ନେଇ ବିଜେପି ଆରମ୍ଭରୁ ଅଭିଯୋଗ ଉଠାଉଥିଲା ବେଳେ ଡେପୁଟି ଏଜିଙ୍କ ଚିଠି ଦଳକୁ ପୁଣି ଖୋରାକ ଯୋଗାଇଛି। ଗୃହ ଭିତରେ ବିଜେପି ପକ୍ଷରୁ ଏ ନେଇ କହିବାକୁ ସମ୍ପୂର୍ଣ୍ଣ ସୁଯୋଗ ମିଳି ନ ଥିବା ବେଳେ ବାହାରେ ବିଧାୟକ ଦଳ ନେତା ଶ୍ରୀ ସିଂହଦେଓ ଅସନ୍ତୋଷ ଉଗାଳିଥିଲେ। ସେ କହିଥିଲେ, ରାଜ୍ୟ ସରକାର ମିଛ ଆଳ ଦେଖାଇ ଶହ ଶହ କୋଟି ଟଙ୍କାର ଖର୍ଚ୍ଚକୁ ଅଡିଟ୍‌ରୁ ଦୂରେଇ ଦେବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି। ଦେଶର ବିଧି ଅନୁସାରେ ଟିକସଦାତାଙ୍କ ଟିକସରେ ହେଉଥିବା ବିଭିନ୍ନ ଯୋଜନାର ଖର୍ଚ୍ଚର ହିସାବ ଦେବା ପାଇଁ ରାଜ୍ୟ ସରକାର ବାଧ୍ୟ। ରାଜ୍ୟ ସରକାର ତୁରନ୍ତ ଅଡିଟ୍‌ ଟିମ୍‌କୁ ସହଯୋଗ କରିବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର