ପେଟ୍ରୋଲ ଦର ନିୟନ୍ତ୍ରଣରେ ବି ରାଜନୀତି

ମହମ୍ମଦ ହିଫ୍‌ଜୁର ‌ରହେମାନ୍

ଭୁବନେଶ୍ବର: ଦୀପାବଳିର ଗୋଟିଏ ଦିନ ପୂର୍ବରୁ ପେଟ୍ରୋଲ ଏବଂ ଡିଜେଲ ଦାମରେ କାଟ୍ କରି କେନ୍ଦ୍ର ସରକାର ଉଚିତ ପଦକ୍ଷେପ ନେଇଛନ୍ତି। ତେଲ ଦର ହୁ ହୁ ହୋଇ ବଢ଼ୁଥିବା ବେଳେ ସାଧାରଣ ଜନତା ଅଣନିଶ୍ବାସୀ ହୋଇପଡ଼ିଥିଲେ। ଏହି ସମୟରେ ପେଟ୍ରୋଲ ଉପରେ ୫ ଟଙ୍କା ଏବଂ ଡିଜେଲ ଉପରେ ୧୦ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରି ସାଧାରଣ ଲୋକଙ୍କ ଉପରେ ବୋଝକୁ କିଛି ମାତ୍ରାରେ କମାଇଛନ୍ତି। ଏହ‌ା ଯ‌େଥଷ୍ଟ ନୁହେଁ ବୋଲି ହୃଦୟଙ୍ଗମ କରି ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ ସେମାନେ ମଧ୍ୟ ଭାଟ୍ ହ୍ରାସ କରନ୍ତୁ। କେନ୍ଦ୍ର କଥାକୁ ମାନି ୨୨ରୁ ଅଧିକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଭାଟ୍ ହ୍ରାସ କଥା ଘୋଷଣା କରିଛନ୍ତି। ‌େଲାକମାନଙ୍କ ଉପରୁ ବୋଝ ହଟାଇବା ଲାଗି କିଏ ଅଧିକ କମାଇବ, ତାହାକୁ ନେଇ ରାଜ୍ୟମାନଙ୍କ ମଧ୍ୟ‌େରେ ପ୍ରତିଯୋଗିତା ହେବ ବୋଲି ଅାଶା କରାଯାଉଥିଲା। କିନ୍ତୁ ସେମିତି କିଛି ହେଲାନି। କାରଣ ଏଥିରେ ବି ରାଜନୀତିର ଗନ୍ଧ ବାହାରିଲା। ନିକଟରେ ଯେଉଁ ରାଜ୍ୟମାନଙ୍କରେ ନିର୍ବାଚନ ହେବାକୁ ଯାଉଛି ସେମାନେ ଅଧିକ କମାଇଲେ ଏବଂ ଅନ୍ୟମାନେ ସେମିତି ଆଖିଦୃଶିଆ ହ୍ରାସ ଘୋଷଣା କଲେନାହିଁ। ଏପରିକି କିଛି ରାଜ୍ୟ କମାଇବାକୁ ସ୍ପଷ୍ଟ ଭାବେ ମନା କରିଦେଇଛନ୍ତି।

ସରକାରଙ୍କ ଏହି ରିହାତି ଘୋଷଣା ଉପଭୋକ୍ତାମାନଙ୍କୁ କିଛି ପରିମାଣର ଆଶ୍ବସ୍ତ କରିଛି ନିଶ୍ଚୟ। କିନ୍ତୁ କେତେ ଦିନ ପର୍ଯ୍ୟନ୍ତ ଏହି ରିହାତି କାମ ଦେବ, ତାହା ବିରାଟ ପ୍ରଶ୍ନ ହେଲାଣି। ତେବେ ଏହା ସ୍ପଷ୍ଟ ଯେ ଏଭଳି ରିହାତି ଦୀର୍ଘସ୍ଥାୟୀ ନୁ‌େହଁ। କାରଣ ଆନ୍ତର୍ଜାତିକ ବଜାରରେ ତେଲ ଦର ଯେଉଁ ହାରରେ ବଢ଼ିଚାଲିଛି, ତାହା ଚିନ୍ତାର କାରଣ। ଏହି ଧାରା ଜାରି ରହିଲେ ଆସନ୍ତା ମାସ ବେଳକୁ ପେଟ୍ରୋଲ ଓ ଡିଜେଲ ଦାମ ପୁଣି ଉଚ୍ଚ ସ୍ତରକୁ ଛୁଇଁବ। ଏହାର ମୁଖ୍ୟ କାରଣ ହେଲା ‌େତଲ ପାଇଁ ଆମେ ଅନ୍ୟ ଦେଶ ଉପରେ ନିର୍ଭର କରୁଛୁ। ଆମ ଦେଶରେ ତେଲର ଯେତେ ଚାହିଦା ରହିଛି ତାହାର ୮୬ ଭାଗ ଆମେ ଆମଦାନୀ କରୁ। ତେଣୁ ବିଶ୍ବ ବଜାରରେ ଦାମ ବଢ଼ିଲେ ଆମ ଉପରେ ମଧ୍ୟ ବୋଝ ପଡ଼ିବ। ହ୍ରାସ ପାଇଲେ ଆଶ୍ବସ୍ତି ମିଳିବ।

ବିଶ୍ବ ବଜାରକୁ ଯୋଡ଼ି ସରକାର ଏଭଳି ବ୍ୟବସ୍ଥା କରିଥିଲେ ମଧ୍ୟ ଗତ ବର୍ଷ କୋଭିଡ୍ ଲକଡାଉନ ବେଳେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଏହି ସମୟରେ ତେଲ ଚାହିଦା ୩୫ରୁ ୪୦ ଭାଗ କମିଯିବାରୁ ତେଲ ଦର ମଧ୍ୟ ଅସମ୍ଭବ ସ୍ତର (୧୯ ଡଲାର)କୁ ଖସି ଆସିଥିଲା। କିନ୍ତୁ ଏହାର ଲାଭ ଉପଭୋକ୍ତାମାନଙ୍କୁ ଦିଆଯାଇନଥିଲା। ରାଜସ୍ବ ହରାଇବା ଭୟରେ କେନ୍ଦ୍ର ସରକାର ତେଲ ଉପରେ ଉତ୍ପାଦ ଶୁଳ୍କ ବଢ଼ାଇଦେଲେ। ଏହାର ସୁଯୋଗ ନେଇ ଅନେକ ରାଜ୍ୟ ସରକାର ମଧ୍ୟ ଭାଟ୍ ବୃଦ୍ଧି କରିବାକୁ ପଛାଇଲେ ନାହିଁ। ଫଳରେ କମ୍ ଦାମରେ ତେଲ କିଣିବାରୁ ବଞ୍ଚିତ ହେ‌ଲେ ଉପଭୋକ୍ତା। ଅନ୍ୟପକ୍ଷରେ ଏବେ ତେଲ ଚାହିଦା ବଢ଼ିଲାଣି। କିନ୍ତୁ ଚାହିଦା ଅନୁସାରେ ତେଲ ଉତ୍ପାଦନ ବଢ଼ୁନଥିବାରୁ ବିଶ୍ବ ବଜାରରେ ତେଲ ଦର ପୁଣି ବୃଦ୍ଧି ପାଇବାରେ ଲାଗିଛି। ଏହାର ପ୍ରଭାବ ଆମ ତେଲ ବଜାର ଉପରେ ପଡ଼ିଲାଣି। ସରକାର ଏଥିରେ ହସ୍ତକ୍ଷେପ ନକରିବାରୁ ବିଶ୍ବ ବଜାର ମୂଲ୍ୟ ଅନୁଯାୟୀ ଉପଭୋକ୍ତାମାନଙ୍କ ଉପରେ ବୋଝ ବଢ଼ିବାକୁ ଲାଗିଲା। ବୋଝ ଅସହ୍ୟ ହେଲା ଏବଂ ଦେଶବ୍ୟାପୀ ଅସନ୍ତୋଷ ସୃଷ୍ଟି ହେଲା। ଫଳରେ ସରକାର ଉତ୍ପାଦ ଶୁଳ୍କ‌ରେ ହ୍ରାସ ଘୋଷଣା କରିବାକୁ ବାଧ୍ୟ ହେଲେ।

ଏଭଳି ନିଷ୍ପତ୍ତି ପଛରେ ରାଜନୀତି ଥାଉ କି ଜନକଲ୍ୟାଣ, କିନ୍ତୁ ଏହା ସ୍ପଷ୍ଟ ଯେ ଆମ ଦେଶରେ ତେଲ ଦର ନିୟନ୍ତ୍ରଣ କଂପାନୀ ନୁହେଁ, ସରକାରଙ୍କ ହାତରେ ହିଁ ରହିଛି। ସରକାର ଚାହିଁଲେ ଦର ବଢ଼ୁଛି, ସରକାର ଚାହିଁଲେ ଦର କମୁଛି। ଏହାର ଅନେକ ଉଦାହରଣ ରହିଛି। ସେଥିମଧ୍ୟରୁ ଗୋଟିଏ ହେଲା ନିର୍ବ‌ାଚନ ସମୟରେ ଦରବୃଦ୍ଧି ଅଟକିଯାଏ। ପଶ୍ଚିମ ବଙ୍ଗ ନିର୍ବାଚନ ବେଳେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା। ଏହି କଥା ଆଉ ଅଛପା ରହିଲା ନାହିଁ। ତେଣୁ ବିଶ୍ବ ବଜାର ଉପରେ ସବୁ ଦୋଷ ଲଦି ନିଜେ ଖସିଯିବାକୁ ଉଦ୍ୟମ କରିବା ଠିକ୍ ନୁହେଁ। ଲୋକମାନଙ୍କ ହିତ ଦୃଷ୍ଟିରୁ ସରକାରଙ୍କୁ ତେଲ ଦର ନିୟନ୍ତ୍ରଣରେ ରଖିବାକୁ ପଡ଼ିବ। ଏହାର ଦୁଇଟି ଉପାୟ ରହିଛି। ପ୍ରଥମଟି ହେଲା ପେଟ୍ରୋଲିୟମ ସାମଗ୍ରୀକୁ ଜିଏସଟିରେ ସାମିଲ କରାଯାଉ। କିମ୍ବା ତେଲ ଦରରେ ସଂଶୋଧନ ପ୍ରତିଦିନ ନକରି ୧୫ ଦିନ କିମ୍ବା ୩୦ ଦିନରେ ଥରେ କରାଯାଉ।
ଏକ୍ଷେତ୍ରରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ରାଜ୍ୟମାନେ ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍ ବସାଉଥିବା ବେଳେ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ସହିତ ବିଭିନ୍ନ ପ୍ରକାର ସେସ୍ ବସାଉଛନ୍ତି। ଉଭୟ ସରକାର ମନଇଚ୍ଛା ଶୁଳ୍କ ଧାର୍ଯ୍ୟ କରି ସାଧାରଣ ଉପଭୋକ୍ତାମାନଙ୍କ ଉପରେ ବୋଝ ଲଦୁଛନ୍ତି। ଏଥିରେ ଲଗାମ୍ ଲାଗିବା ଜରୁରୀ।

ସମ୍ବନ୍ଧିତ ଖବର