ଚାଷୀ କ୍ଷତକୁ ନେଇ ରାଜନୀତି

ଭୁବନେଶ୍ୱର : ଫାଇଲିନ୍‌, ହୁଡ୍‌ହୁଡ୍‌ ଭଳି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଦିଗରେ ଓଡ଼ିଶା ପ୍ରଶଂସନୀୟ କାର୍ଯ୍ୟ କରିଥିଲା। ହେଲେ ଚାଷୀର ଧାନ ଜମିକୁ ପୋକ ଆକ୍ରମଣରୁ ରକ୍ଷା ଦିଗରେ ଯେମିତି ପଦକ୍ଷେପ ନେବା କଥା, ରାଜ୍ୟ ସରକାର ସେମିତି ନେଇନାହାନ୍ତି। ରାଜ୍ୟରେ ଚକଡ଼ା ଓ ଅନ୍ୟାନ୍ୟ ପୋକ ଆକ୍ରମଣ ଜନିତ କ୍ଷୟକ୍ଷତି ଓ ସରକାରୀ ପଦକ୍ଷେପ ନେଇ ସମୀକ୍ଷା କରିବା ପରେ ଆଜି ଭୁବନେଶ୍ୱରରେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ଵତ ଏମିତି ଭାଷାରେ ନିଜର ଅସନ୍ତୋଷ ଝାଡ଼ିଛନ୍ତି। କେବଳ ସେତିକି ନୁହେଁ, କୃଷିର ବିକାଶ ନେଇ କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ କ୍ଷେତ୍ରରେ ଓଡ଼ିଶାର ବିଫଳତା ସଂପର୍କରେ ବି ଠାରିବାକୁ ଭୁଲିନଥିଲେ ଶ୍ରୀ ଶେଖାଓ୍ଵତ।

ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୋଗକୁ ହଜମ କରିପାରିନାହାନ୍ତି ରାଜ୍ୟ ସରକାର। ରାଜ୍ୟ କୃଷି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ପୁଣି ଥରେ ମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଉପରେ ଆପତ୍ତି ଉଠାଇ କ଼ଡ଼ା ସମାଲୋଚନା କରିଛନ୍ତି। ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ଦେଇ କହିଛନ୍ତି, ସେ ଓଡ଼ିଶା ଗସ୍ତ କରିବାକୁ ମନା ନାହିଁ, କିନ୍ତୁ ସାଧାରଣ ଲୋକଙ୍କ ଟିକସ ଅର୍ଥରେ ଆସି କେହି ଦଳୀୟ ପ୍ରଚାର କରିପାରିବେନି। କେନ୍ଦ୍ର ମନ୍ତ୍ରୀ ମନକୁ ମନ ଆସି ଏମିତି ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ। ସବୁ ରାଜ୍ୟ ସ୍ୱୟଂଶାସିତ। ସଂଘୀୟ ବ୍ୟବସ୍ଥାର ମୁଖ୍ୟ ହେଉଛନ୍ତି କେନ୍ଦ୍ର। ଏକଥାକୁ କୃଷି ମନ୍ତ୍ରୀ ଭୁଲିଯିବା ଉଚିତ୍‌ ନୁହେଁ। ସେ ତୁଚ୍ଛା ସମାଲୋଚନା ନ କରି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ଦରକାର। ଅଣବିଜେପି ରାଜ୍ୟକୁ ଆସି କେନ୍ଦ୍ରମନ୍ତ୍ରୀ କୁତ୍ସାପ୍ରଚାର କରି ବିବେକ ବିରୋଧୀ କାର୍ଯ୍ୟ କରୁଛନ୍ତି।

ଏଥିସହିତ ପୋକ ଆକ୍ରମଣ ପ୍ରସଙ୍ଗକୁ ନେଇ ବିବାଦ ଜୋର ଧରିଛି ଓ କେନ୍ଦ୍ର-ରାଜ୍ୟ ସରକାର ମୁହାଁମୁହିଁ ସ୍ଥିତିକୁ ଚାଲିଆସିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ଓ ରାଜ୍ୟ ସରକାରଙ୍କ ସମାଲୋଚନାରେ ଚାଷୀର ସମସ୍ୟା କେତେ ଲାଘବ ହେବ, ତାହା ସମୟ କହିବ। ମାତ୍ର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ଦୁଇ ରାଜନୈତିକ ଦଳ ବିଜେପି-ବିଜେଡି କିନ୍ତୁ ଚାଷୀର କ୍ଷତକୁ ଆୟୂଧ କରି ଫୁଲ୍‌ଦମରେ ରାଜନୀତି ଆରମ୍ଭ କରୁଥିବା ଘଟଣା ଗାଁ ଗଣ୍ଡା ପର୍ଯ୍ୟନ୍ତ କାହାକୁ ଆଉ ଅଛପା ନାହିଁ।

ଏଠାରେ ଉଲ୍ଲେଖଥାଉକି, ଆଜି କେନ୍ଦ୍ରମନ୍ତ୍ରୀ ବିଜେପି ନେତାଙ୍କ ଉପସ୍ଥିତିରେ ରାଜ୍ୟ ଅତିଥି ଭବନରେ ସରକାରଙ୍କ କାର୍ଯ୍ୟ ସମୀକ୍ଷା କରିବା ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୂର୍ବରୁ ବିଜେପି ନେତାମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ଦେଇଥିଲେ। ହେଲେ କେଉଁ କ୍ଷମତା ବଳରେ ବିଜେପି ବିଧାୟକ ରବି ନାଏକ ଓ କୃଷକ ମୋର୍ଚ୍ଚାର ସାଧାରଣ ସଂପାଦକ ରବି ମହାପାତ୍ରଙ୍କୁ ବସାଇ ଶ୍ରୀ ଶେଖାଓ୍ଵତ ସମୀକ୍ଷା କଲେ ତାହା ବୁଝାପଡୁନାହିଁ।

ଆଜି କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଶେଖାଓ୍ଵତ ଭୁବନେଶ୍ୱର ବିମାନ ବନ୍ଦରରେ ଓହ୍ଲାଇବା ପରେ ଡାକ୍ତର ରାଉତଙ୍କ ମନ୍ତବ୍ୟ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ, କେହି ଡାକିବା ଦରକାର ନାହିଁ। ୧୩୦ କୋଟି ଭାରତୀୟଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଦାୟିତ୍ୱ ରହିଛି। ଏମିତିରେ ବି କେନ୍ଦ୍ର ସରକାର କୃଷିର ବିକାଶ ପାଇଁ ଅର୍ଥ ପ୍ରଦାନ କରୁଛନ୍ତି। ଏଣୁ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ଆସିବାର କୌଣସି ଆବଶ୍ୟକତା ନାହିଁ। ବାସ୍ତବରେ ଓଡ଼ିଶାର ଚାଷୀ ଘୋର ସଙ୍କଟରେ ଅଛନ୍ତି ଓ ୧୪ ଜିଲ୍ଲାରେ ଭୟାନକ ମରୁଡି ଦେଖାଦେଇଛି। ଓଡ଼ିଶାର ଭାତହାଣ୍ଡି ଜିଲ୍ଲାରେ ପୋକ ଦାଉରେ ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି। ଚାଷୀକୁ ଅନ୍ନଦାତା ବୋଲି ଅଭିହିତ କରି ମନ୍ତ୍ରୀ କହିଥିଲେ, ସେମାନଙ୍କୁ ସହଯୋଗ କରିବା ଲାଗି ତାଙ୍କ ଗସ୍ତ ଉଦ୍ଦିଷ୍ଟ।

ପରେ ରାଜ୍ୟ ଅତିଥିଭବନରେ କେନ୍ଦ୍ରମନ୍ତ୍ରୀ ଦୁଇଟି ପର୍ଯ୍ୟାୟରେ ସମୀକ୍ଷା କରିଥିଲେ। ପ୍ରଥମେ କେନ୍ଦ୍ରୀୟ ସଂସ୍ଥାର କୃଷି ବୈଜ୍ଞାନିକ ଓ ପରେ ରାଜ୍ୟ ସରକାରୀ ଅଧିକାରୀଙ୍କ ସହିତ ତାଙ୍କର ଆଲୋଚନା ହୋଇଥିଲା। ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଥିଲେ, ବର୍ତମାନ ଦୋଷ ଲଦାଲଦିର ସମୟ ନୁହେଁ। ବରଂ ସହାୟତାର ହାତ ବଢାଇ ଚାଷୀଙ୍କୁ ଏ ପରିସ୍ଥିତିରୁ ମୁକୁଳାଇବା ଦରକାର।

ଏପଟେ କିନ୍ତୁ ପରିସ୍ଥିତିରୁ ଫାଇଦା ଉଠାଇ କେନ୍ଦ୍ରକୁ ଅକଳରେ ପକାଇବା ପାଇଁ ରାଜ୍ୟ ସରକାରଙ୍କ ଅଧିକାରୀମାନେ ମନ୍ତ୍ରୀଙ୍କ ସାମ୍ନାରେ ଏକାଧିକ ଦାବି ରଖି ତାହାକୁ ପୂରଣ କରିବା ଲାଗି ଅନୁରୋଧ କରିଛନ୍ତି। ଯାହାକୁ ନେଇ ରାଜ୍ୟ ସରକାର ଭବିଷ୍ୟତରେ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ଓ ଓଡ଼ିଶାର ସ୍ୱାର୍ଥ ହାସଲ ସଂପର୍କରେ ପ୍ରଶ୍ନ ଉଠାଇ ପାରିବେ।

କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ କହିଛନ୍ତି, ରାଜ୍ୟରେ ପୋକ ଆକ୍ରମଣ ଜନିତ କ୍ଷତିର ଭରଣା ପାଇଁ ସରକାର କ’ଣ କ’ଣ ପଦକ୍ଷେପ ନେଇଛନ୍ତି ସେ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଆଜି ଅବଗତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜ୍‌ ନେଇ ସୂଚଚନା ଦିଆଯାଇଥିଲା। ଏହି ଅବସରରେ ଚାଷୀ ସମସ୍ୟାର ସ୍ଥାୟୀ ପ୍ରତିକାର ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଉଠାଜଳସେଚନ ପଏଣ୍ଟ ସ୍ଥାପନ ଠାରୁ ଆରମ୍ଭ କରି ଓୟୁଏଟିକୁ ସଶକ୍ତିକରଣ ପର୍ଯ୍ୟନ୍ତ ଏକାଧିକ ଦାବି ରଖାଯାଇଥିଲା। ୩ ପ୍ରତିଶତ ସୁଧ ଛା଼ଡ ଲାଗି ଅନୁରୋଧ କରିଥିଲେ ସଚିବ। କେନ୍ଦ୍ର ମନ୍ତ୍ରୀ ଅନୁଧ୍ୟାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଶ୍ରୀ ଗର୍ଗ ଜଣାଇଛନ୍ତି।

ସେହିପରି ସ୍ୱତନ୍ତ୍ର ରିଲିଫ୍‌ କମିସନର ବିଷ୍ଣୁପଦ ସେଠୀ କହିଛନ୍ତି, ରାଜ୍ୟରେ ପୋକ ଆକ୍ରମଣ ଜନିତ କ୍ଷତି ସଂପର୍କରେ କେନ୍ଦ୍ରମନ୍ତ୍ରୀଙ୍କୁ ତଥ୍ୟ ଦିଆଯାଇଥିଲା। ସଂପ୍ରତି ଅଣ ଜଳସେଚିତ ଅଞ୍ଚଳରେ ହେକ୍ଟର ପିଛା ୬୮୦୦ ଟଙ୍କା ଇନ୍‌ପୁଟ୍‌ ସବ୍‌ସିଡି ପ୍ରଦାନ ଲାଗି ବ୍ୟବସ୍ଥା ଥିବା ବେଳେ ଏହା ଚାଷୀଙ୍କ ପାଇଁ ପର୍ଯ୍ୟାପ୍ତ ହେଉନାହିଁ। ଏଣୁ ଅତିକମ୍‌ରେ ଏଥିରେ ୫୦ ପ୍ରତିଶତ ବୃଦ୍ଧି କରିବା ଲାଗି ସରକାର ପ୍ରସ୍ତାବ ଦେଇଛନ୍ତି। ସେହିଭଳି ଏସ୍‌ଡିଆର୍‌ଏଫ୍‌ରେ ଉଠା ଜଳସେଚନ ପଏଣ୍ଟ ମରାମତି ପାଇଁ ବ୍ୟବସ୍ଥା ନାହିଁ। ଏ ନେଇ କ୍ଷମତା ଦେବା ଲାଗି କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଥିଲା। ପ୍ରାକୃତିକ ଦୁର୍ବିପାକ ସମୟରେ ସଡ଼କ ଆଦିର ସ୍ଥାୟୀ ମରାମତିି ଲାଗି ଅନୁମତି ଦେବାକୁ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

ସମ୍ବନ୍ଧିତ ଖବର