ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଞ୍ଚଳରେ ରାତିଅଧିଆ ଜିପିଆର୍‌ ସର୍ଭେକୁ ନେଇ ରାଜନୀତି ତେଜିଲା

ମିଛ ତଥ୍ୟ ଦେଇ ନ୍ୟାୟିକ ପ୍ରକ୍ରିୟାକୁ ବାଟବଣା କରାଯାଉଛି : ସମ୍ବିତ ପାତ୍ର
ଭୁବନେଶ୍ବର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଞ୍ଚଳରେ ରାତିଅଧିଆ ଜିପିଆର୍‌ ସର୍ଭେକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଆଜି ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ସେ କହିଛନ୍ତି ଯେ ଶ୍ରୀମନ୍ଦିର ପିରକ୍ରମା‌ ପ୍ରସଙ୍ଗରେ ଗୋଟିଏ ମିଛ ଲୁଚାଇବାକୁ ଯାଇ ରାଜ୍ୟ ସରକାର ଓ ଶାସକ ବିଜେଡି ବର୍ତ୍ତମାନ ହଜାରେ ମିଛ କହୁଛନ୍ତି। ରାତିଅଧିଆ ତରବରିଆ ଭାବେ ଦୁଇ ଦିନ ହେଲାଣି କାହିଁକି ଜିପିଆର୍‌ ସର୍ଭେ କରାଯାଉଛି? ମିଛ କଥା କହି ଓ ମିଛ ତଥ୍ୟ ଉପସ୍ଥାପନ କରି ନ୍ୟାୟିକ ପ୍ରକ୍ରିୟାକୁ ବାଟବଣା କରାଯିବା ଅତ୍ୟନ୍ତ ଲଜ୍ଜାଜନକ।

AajTak

ପୁରୀ ସାଂସଦ ପିନାକୀ ମିଶ୍ର ପୂର୍ବରୁ କହିଥିଲେ ଯେ ଜିପିଆର ସର୍ଭେ ହୋଇଛି। ଏହା ହୋଇନି ବୋଲି ଯାହା କୁହାଯାଉଛି, ତାହା ଭିତ୍ତିହୀନ। ତାଙ୍କର ଏହି ମନ୍ତବ୍ୟକୁ ସମାଲୋଚନା କରି ଶ୍ରୀ ପାତ୍ର କହିଛନ୍ତି, ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ମୁଖା ଖୋଲି ଯାଇଛି। ତାଙ୍କର ଆଉ ଏକ ମିଛ ଧରାପଡ଼ି ଯାଇଛି। ସେ କେଉଁ ଭଳି ଭାବେ ସତ୍ୟକୁ ଲୁଚାଇ ରଖିଥିଲେ ଓ ମିଛକୁ ଉପସ୍ଥାପିତ କରୁଥିଲେ, ତାହା ଧରାପଡ଼ିଛି। କିଛି ଦିନ ତଳେ ଏମାର ମଠ ପରିସରରେ ଖନନ ବେଳେ ଭଗ୍ନ ସିଂହମୂର୍ତ୍ତି ବାହାରିଥିଲା। ସେତେବେଳେ ଆମେ ଅଭିଯୋଗ କରିଥିଲୁ ଯେ ସରକାର ଓ ଓବିସିସି ଯାହା କରୁଛନ୍ତି, ତାହା ଠିକ୍ ନୁହେଁ। ଖନନ କାର୍ଯ୍ୟ କରିବା ପୂର୍ବରୁ ଜିପିଆର୍‌ ସର୍ଭେ କରିବାର ଥିଲା। ପୁରୀ ସାଂସଦଙ୍କ କହିବା ମୁତାବକ ଯଦି ଜିପିଆର୍‌ ସର୍ଭେ ହୋଇଥିଲା, ତା’ହେଲେ ଗତକାଲି ରାତି ଅଧରେ ଯାହା ଚାଲିଥିଲା, ତାହା କ’ଣ? ଶ୍ରୀମନ୍ଦିର ପରିକ୍ରମା ନିର୍ମାଣ ପାଇଁ ଠିକା ପାଇଥିବା ସଂସ୍ଥା ଓବିସିସି ଦ୍ବାରା ଆଉ ଗୋଟିଏ ସଂସ୍ଥା ସର୍ଭେ କାର୍ଯ୍ୟ କରୁଛି। ଚାରି ଦିନ ଭିତରେ ସର୍ଭେ ଶେଷ କରିବାକୁ କୁହାଯାଇଛି। ଏହି ସ୍ବଳ୍ପ ସମୟ ମଧ୍ୟରେ ସମସ୍ତ ସର୍ଭେ କାର୍ଯ୍ୟ ଠିକ୍ ଭାବେ ସମ୍ପାଦନ ହୋଇପାରିବ ତ? ଏଏସ୍‌ଆ‌ଇ ଉପସ୍ଥିତିରେ କାହିଁକି ସର୍ଭେ କରାଯାଉନି ବୋଲି ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି।

NandighoshaTV

ବାଧା ସୃଷ୍ଟି ପାଇଁ ନିୟମିତ ମିଛ କହୁଛନ୍ତି ବିଜେପି ନେତା: ବିଜେଡି
ଭୁବନେଶ୍ୱର : ପୁରୀ ପରିକ୍ରମା ପ୍ରକଳ୍ପର ରାତି ଅଧିଆ ଜିପିଆର୍‌ ସର୍ଭେ ନେଇ ବିବାଦ ସୃଷ୍ଟି ହେଲା ପରେ ତାହାର ଜବାବ ରଖିଛି ବିଜେଡି। ଦଳ ପକ୍ଷରୁ ସିଧାସଳଖ ବିଜେପି ନେତା ସମ୍ବିତ ପାତ୍ରଙ୍କୁ ଟାର୍ଗେଟ୍‌ କରାଯାଇଛି। ବିଜେଡି ମୁଖପାତ୍ର ସୁଲତା ଦେଓ କହିଛନ୍ତି ଯେ ପୁରୀ ପ୍ରକଳ୍ପ କାର୍ଯ୍ୟରେ ବାଧା ସୃଷ୍ଟି ପାଇଁ କିଛିଦିନ ହେଲା ସମ୍ବିତ ନିୟମିତ ଭାବେ ମିଥ୍ୟା ଓ ବିଭ୍ରାନ୍ତିକର ବିବୃତି ଜାରି କରୁଛନ୍ତି । ଏଥିଯୋଗୁଁ ଯେଉଁ ସେବାୟତ ଓ ଜଗନ୍ନାଥ ପ୍ରେମୀ ଏହି ପ୍ରକଳ୍ପ ପାଇଁ ଜମି ଦେଇଥିଲେ ସେମାନଙ୍କ କ୍ରୋଧ ବଢ଼ିବାରେ ଲାଗିଛି। ସେମାନେ କେବେ ହେଲେ କ୍ଷମା କରିବେ ନାହିଁ। ରାଜନୀତି କରିବା ପାଇଁ ବହୁ ପ୍ରସଙ୍ଗ ରହିଛି। ତେଣୁ ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ସେ ରାଜନୀତି ନ କରନ୍ତୁ। ଶ୍ରୀମତୀ ଦେଓ ଆହୁରି କହିଛନ୍ତି ଯେ ଆପଣ ବହୁତ ଭଲ ଭାବରେ ଜାଣିଛନ୍ତି ଯେ ଜିପିଆରଏସ୍ ଅଧ୍ୟୟନ ପୂର୍ବରୁ କରାଯାଇଥିଲା ଏବଂ ଜାତୀୟ ଐତିହ୍ୟ କର୍ତ୍ତୃପକ୍ଷ (ଏନ୍ଏମଏ)ଙ୍କୁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ସହିତ ଦାଖଲ କରାଯାଇଥିଲା। ଏହାପରେ ବି ଆପଣ ପୁରୀର ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି। କମ୍ ଉଚ୍ଚତା ସହିତ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣକୁ ଏନ୍ଏକମ୍ଏ ଅନୁମତି ଦେଇଥିଲା । ଯେହେତୁ ସେମାନେ ଏହାକୁ ଉଚ୍ଚା କରିବାକୁ ଚାହୁଁଥିଲେ, ତେଣୁ ସେମାନେ ଏହାକୁ ନିୟନ୍ତ୍ରିତ ଜୋନ୍‌କୁ ସ୍ଥାନାନ୍ତର କଲେ। ଶ୍ରୀମନ୍ଦିର ପ୍ରକଳ୍ପ ସହିତ ନିର୍ବାଚନୀ ରାଜନୀତି ନ ଖେଳିବାକୁ ବିଜେଡି ସମ୍ବିତଙ୍କୁ ପରାମର୍ଶ ଦେଇଛି।

ଅନ୍ଧାରରେ ଚୋରମାନେ କାମ କରନ୍ତି: ନରସିଂହ
ଭୁବନେଶ୍ବର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଞ୍ଚଳରେ ରାତି ଅଧରେ ହୋଇଥିବା ଜିପିଆର୍‌ ସର୍ଭେକୁ ନେଇ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ କହିଛନ୍ତି ଯେ ଘନ ଅନ୍ଧକାରରେ ଚୋରମାନେ ହିଁ କାମ କରନ୍ତି। ଯଦି କେହି କିଛି ଭୁଲ କରିନଥା’ନ୍ତେ ତେବେ ଏଭଳି କାମ କରିନଥା’ନ୍ତେ। ସେ ରାଜ୍ୟ ସରକାର ହେଉ କିମ୍ବା କେନ୍ଦ୍ର ସରକାର; ଯିଏ ଭୁଲ କାମ କରିଛନ୍ତି ତା’କୁ ପ୍ରଥମେ ବନ୍ଦ କରନ୍ତୁ। ଯଦି କାମ ଠିକ୍‌ରେ ଚାଲିଛି, ତେବେ ଦିନ ବେଳା ଜିପିଆର୍‌ ସର୍ଭେ କରିବାରେ କେଉଁଠି ଅସୁବିଧା ଅଛି? ଯେଉଁମାନେ ବି ଏଭଳି କାମ କରୁଛନ୍ତି ଏଏସ୍‌ଆଇ ସହ ମିଶିକି କାମ କରନ୍ତୁ। ଆଉ ସମସ୍ତଙ୍କ ସାମ୍ନାରେ କାମ ହେଉ, ଲୁଚାଛପାରେ କିଛି ନ ହେଉ। ବିଳମ୍ବରେ ହେଉ ପଛେ ସରକାରର ଜ୍ଞାନ ଉଦୟ ହେଉ। ସରକାର ଭୁଲ କରିଛନ୍ତି ଏଣୁ ମାନୁଛନ୍ତି। ହାଇକୋର୍ଟ ଏହା ଉପରେ ରହିତାଦେଶ ଜାରି କରିବାର ଥିଲା। ତେବେ ଶୀଘ୍ର ଏହାର ଶୁଣାଣି କରାଗଲେ ଆଉ ବେଆଇନ କାମ ହେବ ନାହିଁ। ବିଧାନସଭା ଗୃହ କମିଟି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରିଦର୍ଶନରେ ଯାଉ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଶ୍ରୀ ମିଶ୍ର। ଗୃହ କମିଟି ଗୋଟିଏ ସର୍ବଦଳୀୟ କମିଟି ହୋଇଥିବା ବେଳେ କାହିଁକି କମିଟି ଯାଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶୀଘ୍ର ଏଥିରେ ହସ୍ତକ୍ଷେପ କରିବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର