ଭୁବନେଶ୍ବର: ‘ସୁଭଦ୍ରା’ ଯୋଜନାରେ ସବୁ ମହିଳାଙ୍କୁ ସାମିଲ କରିବ ବୋଲି କହିଥିଲ। ଏବେ ପୁଣି ମାର୍ଗଦର୍ଶିକା ଜାରି କରି କାଟୁଛ କାହିଁକି? ଏମିତି ପ୍ରଶ୍ନ କରି ବିରୋଧୀ ବିଜେଡି ଓ କଂଗ୍ରେସ ଆଜି ବିଧାନସଭାରେ ସରକାରଙ୍କୁ ଘେରିଥିଲେ। ଏପରି ବିରୋଧ କରିଥିଲେ ଯେ ପ୍ରଥମାର୍ଦ୍ଧରେ ଗୃହ କାର୍ଯ୍ୟ ଆଦୌ ହୋଇପାରି ନଥିଲା।  ଆଜି ଗୃହରେ ପ୍ରଥମେ ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁଙ୍କ ପରଲୋକରେ ଶୋକପ୍ରକାଶ କରାଯାଇଥିଲା। ଏହା ପରେ ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରି ଗୃହ ବିଭାଗ ସଂକ୍ରାନ୍ତୀୟ ଏକ ପ୍ରଶ୍ନର ଉତ୍ତର ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କହିଥିଲେ। ମୁଖ୍ୟମନ୍ତ୍ରୀ ଉତ୍ତର ଦେଉଥିଲା ବେଳେ ବିଜେଡି ବିଧାୟକମାନେ ଠିଆ ହୋଇପଡ଼ିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ, ବିଜେପି ନିର୍ବାଚନୀ ପ୍ରତିଶ୍ରୁତିରେ କହିଥିଲା ସୁଭଦ୍ରା ଯୋଜନାରେ ସମସ୍ତ ମହିଳା ସାମିଲ ହେବେ। କିନ୍ତୁ ଏବେ ଏସ୍ଓପି ଯୋଗୁ ବହୁ ମହିଳା ବାଦ୍ ପଡ଼ିବେ। କେବଳ ନିର୍ବାଚନ ଜିତିବା ପାଇଁ ବିଜେପି ମିଛ କହିଥିଲା। ସବୁ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯାଉ। ଏଥିରୁ ସବୁ ମାନଦଣ୍ଡ ହଟାଇ ଦିଆଯାଉ। ଏହା ପରେ ବିଜେଡି ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ସବୁ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବାକୁ ନାରାବାଜି କଲେ। କଂଗ୍ରେସ ସଭ୍ୟମାନେ ମଧ୍ୟ ଗୃହ ମଧ୍ୟ ଭାଗକୁ ଆସି ସ୍ବର ମିଳାଇଲେ। 

Advertisment

ସବୁ ମହିଳାଙ୍କୁ ସାମିଲ ପାଇଁ ଦାବି
ବିଧାନସଭା କମ୍ପାଇଲେ ବିରୋଧୀ
ପ୍ରଥମାର୍ଦ୍ଧରେ ଚାଲିପାରିଲାନି ଗୃହ

ବାଚସ୍ପତି, ବିରୋଧୀ ଦଳ ସଭ୍ୟମାନଙ୍କ ସହଯୋଗ ନିବେଦନ କରିଥିଲେ। ଯେହେତୁ ସୁଭଦ୍ରା ଯୋଜନା ସଂକ୍ରାନ୍ତରେ ବିଜେଡି ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ଆଲୋଚନା ପାଇଁ ଗୃହିତ ହୋଇଛି, ତେଣୁ ଏହି ପ୍ରସଙ୍ଗ ସେମାନେ ଆଲୋଚନା ବେଳେ ଉଠାଇପାରିବେ ବୋଲି ବାଚସ୍ପତି କହିଥିଲେ। କିନ୍ତୁ ବିରୋଧୀ ଦଳ ନାରାବାଜି ଜାରି ରଖିବାରୁ ବାଚସ୍ପତି ଗୃହକୁ ଏକ ଘଣ୍ଟା ମୁଲତବୀ ରଖିଥିଲେ। ଘଣ୍ଟାଏ ପରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ସମାନ ସ୍ଥିତି ଲାଗି ରହିଲା। ଫଳରେ ତିନିଟି ପର୍ଯ୍ୟାୟରେ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ରଖାଗଲା। ୪ଟା ବେଳେ ବିଜେଡି ଓ କଂଗ୍ରେସ ସଭ୍ୟମାନେ ସମାନ ପ୍ରସଙ୍ଗ ଉଠାଇ କକ୍ଷତ୍ୟାଗ କରିଥିଲେ। ବିନା ବିରୋଧୀ ଦଳରେ ସ୍ବାସ୍ଥ୍ୟ ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇ ପାରିତ ହୋଇଥିଲା। ବିରୋଧୀ ଦଳକୁ ସମାଲୋଚନା କରି ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଗଣମାଧ୍ୟମକୁ କହିଥିଲେ, ବିରୋଧୀ ଦଳ ବିଜେଡି ସୁଭଦ୍ରାକୁ ନେଇ ମୁଲତବୀ ଆଣିଥିଲେ। ଆଲୋଚନା ପାଇଁ ଆମେ ରାଜି ଥିଲୁ। କିନ୍ତୁ ଆଲୋଚନା ନ କରି ବନ୍ଦ କରିବା କେତେ ଯୁକ୍ତିଯୁକ୍ତ। ଲୋକଙ୍କ ଅର୍ଥରେ ବିଧାନସଭା ଚାଲୁଛି। କିନ୍ତୁ ବିରୋଧୀ ଗୃହ ଚଳାଇ ଦେଉ ନାହାନ୍ତି।