କୃଷି ଋଣ ଦୁର୍ନୀତିକୁ ନେଇ ରାଜନୀତି ସରଗରମ: ରାସ୍ତାରୋକ, ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧସ୍ତାଧସ୍ତି, ଚାଷୀଙ୍କୁ ମାଡ଼

କଟକ/ଆଠଗଡ: ସମବାୟ କୃଷି ଋଣ ଦୁର୍ନୀତିକୁ ନେଇ ଆଠଗଡ଼ ରାଜନୀତି ସରଗରମ ହୋଇଛି। କୃଷି ଋଣ ଦୁର୍ନୀତି ଘଟଣାରେ ସମବାୟ ମନ୍ତ୍ରୀ ତଥା ସ୍ଥା‌ନୀୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଇସ୍ତଫା ଓ ଗିରଫ ଦାବି ସହିତ ତାଙ୍କ ଭାଇ ପୂର୍ବତନ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ବୀରେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ନାମରେ ମାମଲା ଓ ଗିରଫ ଦାବିରେ ଆଜି ଶତାଧିକ ଚାଷୀ ଚାନ୍ଦବାଲି ଛକରେ ରାସ୍ତାରୋକ କରିଛନ୍ତି। ସେଠାରେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ଅନ୍ୟପଟେ ଆନ୍ଦୋଳନକାରୀଙ୍କ ସହିତ ପ୍ରଶାସନିକ ଅଧିକାରୀ ଆଠଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଲୋଚନା କରୁଥିବା ବେଳେ କାର୍ଯ୍ୟାଳୟରେ ଧସ୍ତାଧସ୍ତି ହୋଇଛି। କେତେକ ଚାଷୀଙ୍କୁ ମାଡ଼ ସହିତ ସେମାନଙ୍କ ସାର୍ଟ ଫାଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି।

କଟକ ଜିଲ୍ଲାର ଆଠଗଡ଼ ସମବାୟ ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହୋଇଥିବାବେଳେ ସେଠାରେ ମୃତ ଚାଷୀଙ୍କ ନାଁରେ ଋଣ ହଡ଼ପ, ଆଦୌ କିଛି ଜାଣି ନଥିବା ଚାଷୀଙ୍କ ନାମରେ ଋଣ ଉଠାଣ ଏବଂ ସେମାନଙ୍କୁ ଋଣ ପରିଶୋଧ ପାଇଁ ଚଠି ‌ଭଳି ଘଟଣାକୁ ନେଇ ଦୀର୍ଘଦିନରୁ ଆନ୍ଦୋଳନ ଜାରି ରହିଛି। ଏଭଳି ଦୁର୍ନୀତିର ଶିକାର କେତେକ ଚାଷୀ ପୂର୍ବରୁ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ ମଧ୍ୟ କରିଥିଲେ। ପୂର୍ବରୁ କେତେ ଜଣଙ୍କ ନାମରେ ‌ମାମଲା ରୁଜୁ ହୋଇଥିବା ବେଳେ କାର୍ଯ୍ୟାନୁଷ୍ଠାନ ନହେବା ପ୍ରତିବାଦରେ ଆଜି ରାସ୍ତାରୋକ ପାଇଁ ଆନ୍ଦୋଳନର ନେତୃତ୍ବ ନେଉଥିବା ଅଭୟ ବାରିକ ଘୋଷଣା କରିଥିଲେ। ଏହାର ଗୋଟିଏଦିନ ପୂର୍ବରୁ ଅର୍ଥାତ୍‌ ଗତକାଲି ପୁଲିସ ୭ ଜଣ ସମବାୟ ସମିତି କର୍ମଚାରୀଙ୍କୁ ଗିରଫ କରିବା ସହିତ ସେମାନଙ୍କୁ ବହିଷ୍କାର କରାଯାଇ ଦୋଷ ଖସାଇବାକୁ ଉଦ୍ୟମ ହୋଇଥିଲା।

ତେବେ, ମନ୍ତ୍ରୀ ଶ୍ରୀ ସ୍ବାଇଁ ଓ ତାଙ୍କ ଭାଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା, ସେମାନଙ୍କୁ ଖସାଇ ଦେବା ଉଦ୍ୟମ ଅଭିଯୋଗ ନେଇ ଶ୍ରୀ ବାରିକଙ୍କ ନେତୃତ୍ବରେ ଆଜି ଶତାଧିକ ଚାଷୀ ନଗର ପରିକ୍ରମା କରିବା ସହ ଚାନ୍ଦବାଲି ଛକରେ ରାସ୍ତାରୋକ କରିଥିଲେ। ଏହି ବିକ୍ଷୋଭ ଓ ରାସ୍ତାରୋକରେ ଚାଷୀ କୈଳାସ ଚନ୍ଦ୍ର ନାଏକ, ପ୍ରେମାନନ୍ଦ ପରିଡା, କବିଚନ୍ଦ୍ର ବାରିକ, ଧରଣୀ ନାଏକ, ଚିନ୍ତାମଣି ପ୍ରଧାନ, ଲମ୍ବୋଦର ସାହୁ, ପ୍ରକାଶ ଚନ୍ଦ୍ର ନାୟକ, ସଂଜୟ ସାହୁ, ଟୁକୁ ସାମଲ ପ୍ରମୁଖ ସାମିଲ ହୋଇଥିଲେ ବିକ୍ଷୋଭସ୍ଥଳରେ ତହସିଲଦାର ପହଞ୍ଚି ଚାଷୀମାନଙ୍କ ସହ ଆଲୋଚନା କରି ଅପରାହ୍ନରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ କରାଯିବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ଅପରାହ୍ନରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଉପଜିଲ୍ଲାପାଳ ଅଜାମ୍ଵର ମହାନ୍ତି, ତହସିଲଦାର ତପନ କୁମାର ଖୁଣ୍ଟିଆ, ଅଭୟ ବାରିକ, ଚାଷୀ ପ୍ରତିନିଧି, ପୁଲିସ ଉପସ୍ଥିତିରେ ଆଲୋଚନା ହୋଇଥିଲା। କିନ୍ତୁ ସେଠାରେ ହଠାତ୍‌ ମନ୍ତ୍ରୀଙ୍କ ସମର୍ଥକ କହୁଥିବା ବ୍ୟକ୍ତି ପହଞ୍ଚି ପାଟିତୁଣ୍ଡ କରିଥିଲେ।

ଉପସ୍ଥିତ ଥିବା ପୁଲିସ ଅଧିକାରୀମାନେ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ପୁଲିସ ସହ ଧସ୍ତାଧସ୍ତି କରିଥିଲେ। ପ୍ରାୟ ଏକ ଘଣ୍ଟା ଧରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଉତ୍ତେଜନା ଲାଗି ରହିଥିଲା। ସେମାନଙ୍କ ଭିତରୁ କେତେଜଣ ଉପଜିଲ୍ଲାପାଳଙ୍କ ଅଫିସ ଭିତରକୁ ପଶି ଯାଇ ଏଭଳି ଆଲୋଚନା ପାଇଁ ସେମାନଙ୍କୁ କିଏ ଅଧିକାର ଦେଲା ବୋଲି ପ୍ରଶ୍ନ କରିଥିଲେ। ସେଠାରେ ଥିବା କେତେ ଜଣ ଚାଷୀଙ୍କୁ ମାଡ଼ ମାରିବା ସହିତ ସାର୍ଟ ଫାଡି ଦେଇଥିଲେ। କଟକ ଗ୍ରାମାଞ୍ଚଳର ଅତିରିକ୍ତ ଏସପି ଅଲେଖ ଚନ୍ଦ୍ର ପହି, ଆଠଗଡ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଦେବେନ୍ଦ୍ର କୁମାର ମଲ୍ଲିକ, ଚୌଦ୍ବାର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ସତ୍ୟବ୍ରତ ଲେଙ୍କା, ଆଠଗଡ଼ ଥାନା ଅଧିକାରୀ ଶୁଭ୍ରାଂଶୁ ଶେଖର ପରିଡା ପ୍ରମୁଖ ଦୁଇ ପ୍ଲାଟୁନ ଫୋର୍ସ ସହିତ ଉପସ୍ଥିତ ରହି ସ୍ଥିତି ନିୟନ୍ତ୍ରଣ କରିଥିଲେ। ଅପରପକ୍ଷେ, ମନ୍ତ୍ରୀ ଓ ତାଙ୍କ ଭାଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ‌ରହିବ ଏବଂ ଏହି ଆନ୍ଦୋଳନ ଆଗକୁ ତୀବ୍ର ହେବ ବୋଲି ଶ୍ରୀ ବାରିକ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର