ଭବାନୀପାଟଣା: ସାଧାରଣ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଥମ କଳାହାଣ୍ଡି ଗସ୍ତ ନେଇ ଜିଲ୍ଲା ରାଜନୀତି ସରଗରମ ହେବାରେ ଲାଗିଛି। ଗୋଟିଏ ପଟେ ଭକ୍ତ ଚରଣ ଦାସଙ୍କୁ ପିସିସି ସଭାପତି ଦାୟିତ୍ବ ଓ ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କଳାହାଣ୍ଡି ଗସ୍ତକୁ ନେଇ ଆଲୋଚନା ଜୋର ଧରିଛି। ଆସନ୍ତା ୩୦ ତାରିଖ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହର ନିକଟସ୍ଥ ରିଷିଗାଁ ପଡ଼ିଆରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିବା ସହ ୫୦ ହଜାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିବେ। ଏହି କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନ ଜୋର୍ସୋର ପ୍ରସ୍ତୁତି ଆରମ୍ଭ କରିଛି।
ସାଧାରଣରେ ଉତ୍କଣ୍ଠା, ତିନି ଦଳର ରଣନୀତି ଉପରେ ନଜର
କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳଙ୍କ ଚିଠି ନମ୍ବର ୭୩୪/୨୪/୦୩/୨୦୨୫ରେ ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଶେଷ ପର୍ଯ୍ୟନ୍ତ କୌଣସି ଛୁଟି ମିଳିବ ନାହିଁ ଏବଂ ହେଡ୍କ୍ବାର୍ଟର୍ସ ଛାଡ଼ିବା ପୂର୍ବରୁ ଜିଲ୍ଲାପାଳଙ୍କ ଅନୁମତି ଆବଶ୍ୟକ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ଟେଣ୍ଟ ହାଉସ୍ରୁ ଆରମ୍ଭ କରି ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ତାରିଖ ପାଖେଇ ଆସୁଥିବାବେଳେ ରାଜନୀତି ତାତି ବି ବଢ଼ିବାରେ ଲାଗିଛି। ବିଜେଡିର ବହୁ ଛାମୁଆ ନେତା ଏବେ ବିଜେପି ଶିବିରରେ ଥିବା ବେଳେ କେତେକ ତୁଙ୍ଗ ନେତା ବିଜେପି ଆସିବା ପାଇଁ ଯୋଗସୂତ୍ରରେ ଅଛନ୍ତି। କଂଗ୍ରେସ ରାଜ୍ୟ ପିସିସି ସଭାପତି ଭାବେ ଭକ୍ତ ଚରଣ ଦାସ ମଙ୍ଗ ଧରିବା ପରେ ବର୍ତ୍ତମାନ ଶାସକ ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଅଧିକ ଲୋକ ସଂଗ୍ରହ ପାଇଁ ପ୍ରଶାସନ ସହିତ ଶାସକ ଦଳ ଅଣ୍ଟା ଭିଡ଼ିଛନ୍ତି। କଂଗ୍ରେସ ପକ୍ଷରୁ ବିଜେପି ସରକାରଙ୍କ ଅପାରଗତା ଓ ମହିଳାମାନଙ୍କ ଉପରେ ନିର୍ଯାତନା ତଥା ଅପରାଧ ବୃଦ୍ଧି ପ୍ରତିବାଦରେ ୨୭ ତାରିଖରେ ବିଧାନସଭା ଘେରାଉ କରାଯିବ।
ଏଥିପାଇଁ ଭୁବନେଶ୍ବର ଚାଲ ଅଭିଯାନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ଏହି କଂଗ୍ରେସ ସୋ’ ଶାସକ ଦଳ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବିଜେଡି ଶିବିର ବର୍ତ୍ତମାନ ସରକାରଙ୍କ ବିରୋଧରେ ରଣହୁଙ୍କାର ପାଇଁ ବଳ ଗୋଟାଇ ପାରୁ ନଥିବା ନେଇ ଛାମୁଆ ନେତାମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଜେଡି ଗୋଷ୍ଠୀକନ୍ଦଳର ଫାଇଦା ଏବେ କଂଗ୍ରେସ ନେଉଥିବା ଦେଖିବାକୁ ମିଳୁଛି। ସେହିଭଳି ବିଜେପି ଶିବିରରେ ମଧ୍ୟ ବିଭିନ୍ନ ଗୋଷ୍ଠୀ କରି ନିଜର ପତିଆରାକୁ ଜାହିର କରିବା ପାଇଁ ଗୋଟିଚାଳନା ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ କଳାହାଣ୍ଡି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ କିଛି ବଡ଼ ଯୋଜନା ଘୋଷଣା କରିବେ ବୋଲି ଶାସକ ଦଳ କର୍ମୀମାନେ ଅପେକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସାଧାରଣରେ ଉତ୍କଣ୍ଠା ଦେଖା ଦେଇଥିବାବେଳେ ଆଗକୁ ୩ ଦଳ କିଭଳି ରଣନୀତି ଆପଣାଉଛନ୍ତି ଏହା ଉପରେ ସଭିଁଙ୍କ ନଜର ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/03/26/g1czZTe2W1ipvLR0PDaO.jpg)