ବଡ଼ଚଣା ରାଜନୀତି: ଶଙ୍ଖଭବନରେ ମାନଭଞ୍ଜନ

ବରିଷ୍ଠ ନେତାଙ୍କୁ ନେଇ ବୈଠକ, ୨୬ରେ ନିର୍ବାଚନମଣ୍ଡଳୀ ଯିବେ ବର୍ଷା

ଯାଜପୁର/ଚଣ୍ଡିଖୋଲ/ଛତିଆ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିବାପରେ ଅସ‌ନ୍ତୋଷ ଦୂରୀଭୂତ କରିବାପାଇଁ ବିଜେଡି ପକ୍ଷରୁ କସରତ ଆରମ୍ଭ ହୋଇଛି। ଆଜି ଭୁବନେଶ୍ବରସ୍ଥିତ ଶଙ୍ଖଭବନଠାରେ ଦଳୀୟ ନେତା ଏକାଠିହୋଇ ଏ ସମ୍ପର୍କ‌ରେ ଆଲୋଚନା କରିଛନ୍ତି। ଆଜି ପୂର୍ବାହ୍ନରେ ବଡ଼ଚଣା ବ୍ଲକ ବିଜେଡି ସଭାପତି ଅରବିନ୍ଦ ସାମଲଙ୍କ ସଭାପତିତ୍ୱରେ ବଡ଼ଚଣାର ବିଭିନ୍ନ ଗୋଷ୍ଠୀର ନେତୃତ୍ୱ, ନିର୍ବାଚିତ ପ୍ରତିନିଧି, ପଞ୍ଚାୟତ ସଭାପତି ଓ ବିଭିନ୍ନ ସଙ୍ଗଠନର ମୁଖ୍ୟମାନଙ୍କୁ ନେଇ ଏହି ବୈଠକ ବସିଥିଲା। ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଭିସି ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ। ଏଥିରେ ଜିଲ୍ଲା ପର୍ଯ୍ୟବେକ୍ଷକ ଅଶୋକ ପଣ୍ଡା, ସାଂସଦ ପ୍ରାର୍ଥୀ ଶର୍ମିଷ୍ଠା ସେଠୀଙ୍କ ସମେତ ବିଧାୟକ ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶିନୀ ଉପସ୍ଥିତ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଦଳର ରାଜ୍ୟ ସମ୍ପାଦକ ଜନ୍ମଜୟ ଲେଙ୍କା, ରାଜନାରାୟଣ ମହାପାତ୍ର, ଗଣେଶ୍ୱର ବରାଳ, ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତି ସେନାପତି, ଉପଧାକ୍ଷ ବିଭାସ ଚନ୍ଦ୍ର ନନ୍ଦଙ୍କ ସମେତ ପଞ୍ଚାୟତ ପ୍ରତିନିଧିମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ହସ୍ତଗତ ସୂଚନା ଅନୁସାରେ, ଦଳୀୟ ନିଷ୍ପତ୍ତିକୁ ସମ୍ମାନ ଜଣାଇ ବର୍ଷାଙ୍କୁ ସମର୍ଥନ କରିବାକୁ ବୈଠକରେ ଆହ୍ବାନ ଦିଆଯାଇଥିଲା। ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ଆଧାର କରି ପ୍ରଚାର ସହ ବର୍ଷା ପ୍ରିୟଦର୍ଶିନୀଙ୍କୁ ଭୋଟରଙ୍କ ନିକଟରେ ପରିଚିତ କରିବାପାଇଁ ସାଙ୍ଗଠନିକ ସମ୍ପାଦକ ସ୍ଥାନୀୟ ନେତାମାନଙ୍କୁ ପରାମର୍ଶ ଦେଇଥିଲେ। ଆସନ୍ତା ୨୬ ତାରିଖ ଦିନ ବର୍ଷା ପ୍ରିୟଦର୍ଶିନୀ ପ୍ରଥମକରି ବଡ଼ଚଣା ଗସ୍ତରେ ଆସିବେ। ତେବେ, ଏହି ବୈଠକରେ ବିଧାୟକ ଅମର ପ୍ରସାଦ ଶତପଥୀ ଉପସ୍ଥିତ ନଥିଲେ।

ସମ୍ବନ୍ଧିତ ଖବର