ବଲାଙ୍ଗୀର: ବଲାଙ୍ଗୀର ଆସନରେ ନରସିଂହ ମିଶ୍ର ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିସାରିଛନ୍ତି। ପୁଅ ସମରେନ୍ଦ୍ର ହିଁ କଂଗ୍ରେସରୁ ଲଢ଼ିବା ଏକପ୍ରକାର ନିଶ୍ଚିତ। ଏହାରିଭିତରେ କିଛିଦିନ ହେଲା ଜିଲ୍ଲାରେ ଅନ୍ୟ ଏକ ଚର୍ଚ୍ଚା ମୁଣ୍ଡ ଟେକିଛି। ସମରେନ୍ଦ୍ର ଦିଲ୍ଲୀ ଗସ୍ତକରି ସେଠାରେ ବିଜେପି ନେତୃବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି ଏବଂ ବଲାଙ୍ଗୀର ଆସନରେ ବିଜେପି ଟିକେଟ୍ରୁ ଲଢ଼ିବା ପାଇଁ ସେ ଆଗ୍ରହ ଦେଖାଇଛନ୍ତି। ତେବେ, ଏହା ଏକ ଗୁଜବ ମାତ୍ର ବୋଲି ସମରେନ୍ଦ୍ର ପ୍ରତିକ୍ରିୟା ରଖିଛନ୍ତି। କିନ୍ତୁ ଜିଲ୍ଲାରେ ରାଜନୈତିକ ବାତାବରଣ କୌଣସି ସମୟରେ ବଦଳିପାରେ ବୋଲି ସମୀକ୍ଷକମାନେ ଆକଳନ କରୁଛନ୍ତି।
ବିଜେପିରେ ଯୋଗଦେବାକୁ ଖଣ୍ଡନ କଲେ
ପୂର୍ବତନ ବିଧାୟକ ସୁରେନ୍ଦ୍ର ଭୋଇଙ୍କ ଇସ୍ତଫା
ବିଜେଡିରୁ ଅସିତ, ସୁରେନ୍ଦ୍ରଙ୍କ ନଁା ଚର୍ଚ୍ଚାରେ
ଅନ୍ୟପକ୍ଷରେ, ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲେ ହେଁ ଏଥିରୁ ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀ ବାଦ୍ ପଡ଼ିଛି। ସେଠାରେ ପ୍ରାର୍ଥିତ୍ବକୁ ନେଇ ଅଡ଼ୁଆ ସ୍ଥିତି ରହିଛି। ପୂର୍ବତନ ବିଧାୟକ ଆୟୁବ ଖାନ୍, ତାଙ୍କ ପୁଅ ଅମଜାଦ୍ ଏବଂ ଗତଥରର ପ୍ରାର୍ଥୀ ଅଜୟ ଦାସଙ୍କ ସମେତ ଆହୁରି ଅନେକ ଆଶାୟୀ ଅଛନ୍ତି। ଆଶାୟୀମାନେ ଆଗରୁ ପୃଥକ୍ ପୃଥକ୍ ଭାବେ ବିଭିନ୍ନ କାର୍ଯ୍ୟକ୍ରମ କରିଛନ୍ତି। ଟିକେଟ୍ ପାଇଁ ଆଗରୁ ଲବି ବି କରିଛନ୍ତି। ତେଣୁ ଜଣକୁ ଟିକେଟ ମିଳିଲେ, ଅନ୍ୟ ଆଶାୟୀ ଅନ୍ୟ ଦଳକୁ ଡେଇଁବା କିମ୍ବା ସ୍ବାଧୀନ ଭାବେ ଲଢ଼ିବା ଆଶଙ୍କା ରହିଛି। ଏହି ଆଶଙ୍କାକୁ ପ୍ରଶମିତ କରିବାକୁ କଣ୍ଟାବାଞ୍ଜି ପାଇଁ ଦ୍ବିତୀୟ ପର୍ଯ୍ୟାୟରେ ନିଷ୍ପତ୍ତି ହେବ ବୋଲି କହାଯାଉଛି। ଏସବୁ କଳ୍ପନାଜଳ୍ପନା ଭିତରେ କିନ୍ତୁ ବିଜେଡି ପାଇଁ ଲୋକସଭା ଆସନ ପ୍ରାର୍ଥୀ କସରତ ଜୋର୍ସୋର୍ ଚାଲିଛି। ପୂର୍ବରୁ ବଲାଙ୍ଗୀର ଲୋକସଭା ଟିକେଟ୍ ତାଲିକାରେ ମନ୍ତ୍ରୀ ଟୁକୁନି ସାହୁ, କଳିକେଶ ସିଂହଦେଓ, ଡବ୍ଲୁଓଡିସି ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ନାମ ଚର୍ଚ୍ଚାରେ ଥିଲା। ଇତିମଧ୍ୟରେ ଟୁକୁନି ଏବଂ କଳିକେଶଙ୍କୁ ବିଧାନସଭା ଟିକେଟ୍ ମିଳିସାରିଛି। ତେଣୁ ଶ୍ରୀ ତ୍ରିପାଠୀ ଏଯାଏ ଚର୍ଚ୍ଚା ପରିଧିରେ ରହିଛନ୍ତି। ଇତ୍ୟବସରରେ କଂଗ୍ରେସର ପୁରୁଖା ନେତା ସୁରେନ୍ଦ୍ର ସିଂ ଭୋଇ କିଛିଦିନ ହେଲା ସମର୍ଥକଙ୍କ ସହ ରାଜଧାନୀ ଭୁବନେଶ୍ବରରେ ଡେରା ପକାଇଥିବା ବେଳେ ଆଜି କଂଗ୍ରେସରୁ ବିଧିବଦ୍ଧ ଭାବେ ଇସ୍ତଫା ଦେଇଛନ୍ତି। ସେ ବିଜେଡିରେ ସାମିଲ ହୋଇ ଲୋକସଭା ଟିକେଟ୍ ହାତେଇବେ ବୋଲି ଜୋର୍ ଚର୍ଚ୍ଚା ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/bjp-party-logo.jpg)