ଭୁବନେଶ୍ବର: ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଭବନକୁ ଯାଇ ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କୁ ଭେଟି ଆଲୋଚନା କରିଛନ୍ତି। ଏହାର କିଛି ଘଣ୍ଟା ପରେ (ସନ୍ଧ୍ୟାରେ) ରାଜ୍ୟପାଳ ଶ୍ରୀ କମ୍ଭମପାଟି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସରକାରୀ ବାସଭବନକୁ ଯାଇ ଆଲୋଚନା କରିଥିଲେ। ଅପରାହ୍ନ ଓ ସନ୍ଧ୍ୟାରେ ମାତ୍ର ୩ଘଣ୍ଟା ମଧ୍ୟରେ ଘଟିଥିବା ଏହି ଆଲୋଚନା ଏବେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ରାଜ୍ୟରେ ଗୋଟିଏ ପରେ ଗୋଟିଏ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇ ଚାଲିଥିବା ବେଳେ ହଠାତ୍ ମୁଖ୍ୟମନ୍ତ୍ରୀ-ରାଜ୍ୟପାଳ-ଆଇନମନ୍ତ୍ରୀଙ୍କ ଆଲୋଚନା ବିଭିନ୍ନ ଦିଗକୁ ଇସାରା ଦେଉଛି।
ମୁଖ୍ୟମନ୍ତ୍ରୀ ଅପରାହ୍ନରେ ରାଜ୍ୟପାଳଙ୍କୁ ଭେଟିବା ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଜୋର୍ ଧରିଥିଲା। ୧୩ ମାସର ସରକାରରେ ଏବେ ବି ୬ଟି ମନ୍ତ୍ରୀ ପଦ ଖାଲି ପଡ଼ିଛି। ବିଜେପି ରାଜ୍ୟ ସଭାପତି ନିର୍ବାଚନ ସରିବା ପରେ ଏହା ପୂରଣ ହେବ ବୋଲି କୁହାଯାଉଥିଲା। କିନ୍ତୁ ମନମୋହନ ସାମଲ ସଭାପତି ନିର୍ବାଚିତ ପରେ ମଧ୍ୟ ଏହି ପ୍ରସଙ୍ଗଟି ସେହି ଚର୍ଚ୍ଚାରେ ଅଟକିଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ରାଜଭବନ ଯିବା, ରାଜନୈତିକ ମହଲରେ ଆଲୋଚନା ପାଇଁ ଖୋରାକ ଯୋଗାଇଛି। ବିଜେପି ଏକ ଜାତୀୟ ଦଳ ହୋଇଥିବାରୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନିଷ୍ପତ୍ତି ଆପାତତଃ କେନ୍ଦ୍ରୀୟ ନେତୃତ୍ବ ନେବେ। କେନ୍ଦ୍ରରୁ ଏ ନେଇ ସବୁଜ ସଙ୍କେତ ମିଳିଥିବା କୁହାଯାଉଛି। କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କେବେ ସମ୍ପ୍ରସାରଣ ହେବ, ସେ ନେଇ କେହି ସୁରାକ୍ ପାଉନାହାନ୍ତି। ବିଜେପିର ଗୋଟିଏ ମହଲର କହିବାନୁଯାୟୀ, ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟପାଳଙ୍କୁ ଭେଟି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ବିସ୍ତୃତ ଆଲୋଚନା କରିଛନ୍ତି। ଏପରିକି କେଉଁ ଦିନ ହେବ ଏବଂ କେତେ ଜଣ ଶପଥ ନେବେ, ସେ ସଂପର୍କରେ ଆଲୋଚନା କରିଛନ୍ତି। ଦିନେ ଦୁଇ ଦିନ ଭିତରେ ବିଭିନ୍ନ ନିଗମ, ବୋର୍ଡ ଓ ବିଭିନ୍ନ କମିସନ୍ର ପଦବି ପୂରଣ କରିବା ପରେ ଶୁକ୍ରବାର ଆଡ଼କୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ। କିନ୍ତୁ ବିଜେପିର ଆଉ ଏକ ମହଲରୁ ଭିନ୍ନ ସୂଚନା ମିଳୁଛି। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ କୌଣସି ଆଲୋଚନା ହୋଇନାହିଁ।
ରାଜ୍ୟପାଳଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟପାଳ
ଆଇନଶୃଙ୍ଖଳା ପରିସ୍ଥିତି ନା ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଆଲୋଚନା
ଆଇନଶୃଙ୍ଖଳା ପରିସ୍ଥିତି ନା ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଆଲୋଚନା
ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଭେଟି ରାଜ୍ୟର ସାମ୍ପ୍ରତିକ ଆଇନଶୃଙ୍ଖଳା ପରିସ୍ଥିତି ବିଷୟରେ ଅବଗତ କରିଛନ୍ତି। ଏବେ ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରୁଥିବାବେଳେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ଦିଲ୍ଲୀରେ କଥା ଉଠିଲାଣି। ସାଧାରଣତଃ ବିଭିନ୍ନ ସମୟରେ ବଡ଼ ବଡ଼ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଆଲୋଚନା କରିଥା’ନ୍ତି। ନିକଟରେ ଘଟିଥିବା ସବୁ ସମ୍ବେଦନଶୀଳ ଘଟଣା ସମ୍ପର୍କରେ ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ସବିଶେଷ ଅବଗତ କରାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ କିଛି କୁହାଯାଇନି। କେବଳ କୁହାଯାଇଛି ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହାର ପ୍ରାୟ ୧ ଘଣ୍ଟା ପରେ ରାଜ୍ୟପାଳ ନିଜେ ଆଇନ ମନ୍ତ୍ରୀଙ୍କ ସରକାରୀ କ୍ବାର୍ଟର୍ସରେ ପହଞ୍ଚିଯାଇଥିଲେ। ଏମିତି କ’ଣ ଆବଶ୍ୟକ ପଡ଼ିଲା, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ମଧ୍ୟରେ ଏମିତି କ’ଣ ଆଲୋଚନା ହେଲା ଯେ ରାଜ୍ୟପାଳ ପ୍ରୋଟୋକଲ୍ ଭାଙ୍ଗି ଆଇନ ମନ୍ତ୍ରୀଙ୍କ ଘରେ ପହଞ୍ଚିଗଲେ? କିନ୍ତୁ କୌଣସି ରାଜନୈତିକ ଆଲୋଚନାକୁ ଶ୍ରୀ ହରିଚନ୍ଦନ ଅସ୍ବୀକାର କରିଛନ୍ତି। ଗଣମାଧ୍ୟମକୁ ସେ କହିଛନ୍ତି ଯେ ରାଜ୍ୟପାଳଙ୍କ ସହ କୌଣସି ରାଜନୈତିକ ଆଲୋଚନା ହୋଇନି। କିଛି ସମୟ ବ୍ୟକ୍ତିଗତ ଆଲୋଚନା ହୋଇଥିଲା। ଆଇନ ବିଭାଗ ସମ୍ପର୍କରେ ପଚାରି ବୁଝିଲେ ଓ କିପରି ଭଲ ଭାବେ କାର୍ଯ୍ୟ କରିବ, ସେ ନେଇ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଦିଶା ଓ ନିର୍ଦ୍ଦେଶରେ ସରକାର ଚାଲିବା ଉପରେ ବି କଥା ହୋଇଛନ୍ତି। ଯଦି ରାଜ୍ୟପାଳଙ୍କର କେବଳ ଆଇନ ବିଭାଗ ସମ୍ପର୍କରେ ପରାମର୍ଶ ଦେବାର ଥିଲା, ତେବେ ସେ ଆଇନ ମନ୍ତ୍ରୀଙ୍କୁ ରାଜଭବନ ଡାକି କହି ପାରିଥା’ନ୍ତେ। ଏମିତି କେଉଁ ବିଶେଷ ଆବଶ୍ୟକତା ପଡ଼ିଲା ଯେ ସେ ଆଇନ ମନ୍ତ୍ରୀଙ୍କ ବାସଭବନକୁ ସିଧା ପଳାଇ ଆସିଲେ, ତାହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି।