ବିଜୁ ସେତୁ ଶିଳାନ୍ୟାସରେ ରାଜନୀତି: ପ୍ରକାଶଙ୍କ ଫଳକ ବନାମ ପ୍ରଶାନ୍ତଙ୍କ ଫଳକ

ପୂର୍ବାହ୍ନରେ ପୂର୍ବତନ ବିଧାୟକ, ଅପରାହ୍ନରେ ବିଧାୟକ
ଗୋଟିଏ ଫଳକ ଦୁଇଥର ଶିଳାନ୍ୟାସକୁ ନେଇ ଚର୍ଚ୍ଚା

ସାଲେପୁର :କଟକ ଜିଲ୍ଲା ସାଲେପୁର ବ୍ଲକ୍‌ ମଧ୍ୟକଚ୍ଛ ପଞ୍ଚାୟତ ଅନ୍ତର୍ଗତ ଆତୋଡ଼ାରେ ବିଜୁ ସେତୁ ନିର୍ମାଣ ପାଇଁ ରବିବାର ସ୍ଥାନୀୟ ବିଧାୟକ ଓ ପ୍ରାକ୍ତନ ବିଧାୟକ ଦୁଇ ଦୁଇଥର ଶିଳାନ୍ୟାସ କରିଛନ୍ତି। ଅପରାହ୍ନରେ ବିଧାୟକ ଏହାର ଶିଳାନ୍ୟାସ କରିବାକୁ ଥିବାବେଳେ ପୂର୍ବାହ୍ନରେ ପୂର୍ବତନ ବିଧାୟକ ନିଜ ସମର୍ଥକଙ୍କ ସହ ଆସି ଶିଳାନ୍ୟାସ କରିଥିଲେ। ଅଳ୍ପ ଦୂରତାରେ ଗୋଟିଏ ପ୍ରକଳ୍ପ ପାଇଁ ଦୁଇଟି ଶିଳାନ୍ୟାସ ଫଳକ ଲାଗିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମଧ୍ୟକଚ୍ଛ ପଞ୍ଚାୟତର ଆତୋଡ଼ାସ୍ଥିତ କେନ୍ଦ୍ରାପଡ଼ା କେନାଲ ଉପରେ ବିଜୁ ସେତୁ ନିର୍ମାଣ ପାଇଁ ୧ କୋଟି ୮୪ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ରାଜ୍ୟ ସରକାର ଏହି ଅର୍ଥ ମଞ୍ଜୁର କରିଥିବା ଜଣାପଡ଼ିଛି। ଆଜି ଅପରାହ୍ନରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଉକ୍ତ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର, ଏହାପୂର୍ବରୁ ପୂର୍ବାହ୍ନରେ ଆତୋଡ଼ା ବ୍ରାହ୍ମଣସାହି ନିକଟରେ ପୂର୍ବତନ ବିଧାୟକ ପ୍ରକାଶଚନ୍ଦ୍ର ବେହେରା ପ୍ରକଳ୍ପର ଶିଳାନ୍ୟାସ କରିଦେଇଥିଲେ। ସେଠାରେ ବି ଏକ ଫଳକ ଲଗାଇଥିଲେ, ଯେଉଁଥିରେ ପୂର୍ବତନ ବିଧାୟକ ପ୍ରକାଶଚନ୍ଦ୍ର ବେହେରା ମୁଖ୍ୟଅତିଥି ଏବଂ ପଞ୍ଚାୟତ ସମିତି ଅଧ୍ୟକ୍ଷା ମମତା ରାଉତ ସମ୍ମାନିତ ଅତିଥି ବୋଲି ଉଲ୍ଲେଖ ରହିଛି।

ଅନ୍ୟପଟେ, ସାଲେପୁର ବିଧାୟକ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆତୋଡ଼ା କନକେଶ୍ୱର ମନ୍ଦିର ନିକଟରେ ବିଜୁ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଉକ୍ତ ଫଳକରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ମୁଖ୍ୟ ଅତିଥି ଏବଂ ଜିଲ୍ଲାପରିଷଦ ସଭ୍ୟ ଶୁଭାଶିଷ ପ୍ରଧାନ, ମଧ୍ୟକଚ୍ଛ ସରପଞ୍ଚ ସୋଫିଆ ରାଉତରାୟ ସମ୍ମାନିତ ଅତିଥି ବୋଲି ଉଲ୍ଲେଖ କରାଯାଇଛି। ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ବେହେରାଙ୍କ ସମେତ ବହୁସଂଖ୍ୟାରେ ବିଜେଡି କର୍ମୀ ଓ ଜନସାଧାରଣ ଯୋଗଦେଇଥିଲେ। ବିଧାୟକ ପ୍ରଶାନ୍ତ ବେହେରାଙ୍କ ଉଦ୍ୟମରେ ଏହି ସେତୁ ନିର୍ମାଣ ପାଇଁ ରାଜ୍ୟ ସରକାର ଅର୍ଥ ମଞ୍ଜୁର କରିଛନ୍ତି ବୋଲି ବିଜେଡି ଯୁବନେତା ସଞ୍ଜୟ ବେହୁରା କହିଛନ୍ତି। ଅପରପକ୍ଷରେ ଗୋଟିଏ ପ୍ରକଳ୍ପ ପାଇଁ ଦୁଇଟି ସ୍ଥାନରେ ଶିଳାନ୍ୟାସ କରାଯିବା ଘଟଣା ନେଇ ଆଜି ଅଞ୍ଚଳରେ ରାଜନୈତିକ ଚର୍ଚ୍ଚା ଜୋର୍‌ ଧରିଛି।

ସମ୍ବନ୍ଧିତ ଖବର