ଭୁବନେଶ୍ବର: ଭର୍ତ୍ତୃହରି ମହତାବଙ୍କ ସଂପର୍କରେ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ବୟାନକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବାକଯୁଦ୍ଧ । ସୋସିଆଲ ମିଡିଆରେ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି ନେତା । ବିଜେପି ମୁଖପାତ୍ର ସମ୍ବିତ ପାତ୍ର ବିଜେଡି ବିଧାୟକ ତଥା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଟାର୍ଗେଟ କରିବା ସହ ଟୁଇଟରରେ କହିଛନ୍ତି, ‘‘ମହତାବଙ୍କ ନାଁ ଶୁଣି ଏତେ ଅସହିଷ୍ଣୁ କାହିଁକି ? ଭର୍ତ୍ତୃହରି ବାବୁଙ୍କ ପ୍ରଚେଷ୍ଟା ଯୋଗୁ ୨୬ ନଭେମ୍ବରକୁ ଆଜି ଦେଶ ସମ୍ବିଧାନ ଦିବସ ଭାବରେ ପାଳନ କରୁଛି । ତାଙ୍କର ଯୋଗଦାନକୁ ଦଳ ମତ ନିର୍ବିଶେଷରେ ସମସ୍ତେ ପ୍ରଶଂସା କରୁଛନ୍ତି । ମହତାବ ବାବୁ ଓଡ଼ିଆ ଲୋକ ଓ ଆପଣଙ୍କ ଦଳର । ଆପଣ ଖୁସି ହେବା ବଦଳରେ କାହିଁକି ରାଗି ଯାଉଛନ୍ତି ? ମହତାବ ପରିବାରର ଦେଶର ସ୍ୱାଧୀନତା ସଂଗ୍ରାମ ଏବଂ ଓଡ଼ିଶାର ବିକାଶ ପାଇଁ ଯୋଗଦାନ ବିଷୟରେ ରାଜ୍ୟବାସୀ ଜାଣିଛନ୍ତି।’’
ବବି ବାବୁ @pranabpdas ଆପଣ ମହତାବଙ୍କ ନାଁ ଶୁଣି ଏତେ ଅସହିଷ୍ଣୁ କାହିଁକି ? ଭର୍ତ୍ତୃହରି ବାବୁଙ୍କ ପ୍ରଚେଷ୍ଟା ଯୋଗୁଁ 26 ନଭେମ୍ବରକୁ ଆଜି ଦେଶ ସମ୍ବିଧାନ ଦିବସ ଭାବରେ ପାଳନ କରୁଛି । ତାଙ୍କର ଯୋଗଦାନକୁ ଦଳ ମତ ନିର୍ବିଶେଷରେ ସମସ୍ତେ ପ୍ରଶଂସା କରୁଛନ୍ତି ।
(1/3)— Sambit Patra (@sambitswaraj) April 13, 2021
‘‘ବବି ବାବୁ ଏହି କଥା ଆପଣ ଆପଣଙ୍କ ବାପାଙ୍କ ଠାରୁ ଶୁଣିଥିବେ । ନ ହେଲେ ବରିଷ୍ଠମାନଙ୍କ ସହ ପରାମର୍ଶ କରି ଆପଣ ମନ୍ତବ୍ୟ ଦିଅନ୍ତୁ । ମୋର ନେତା ଧର୍ମେନ୍ଦ୍ର ପ୍ରଧାନ କଲମ୍ଵସ ନୁହନ୍ତି । ସେ ଓଡ଼ିଶାର ବିକାଶ ପାଇଁ ଗୁଣ୍ଡୁଚି ମୂଷାର ଯୋଗଦାନ ଦେଉଛନ୍ତି ।’’ କିଛି ଏଭଳି ଢଙ୍ଗରେ ପ୍ରଣବ ପ୍ରକାଶ ଦାସଙ୍କୁ ଟାର୍ଗେଟ କରିଛନ୍ତି ସମ୍ବିତ ।
ଏହାପୂର୍ବରୁ ବିଜେଡ଼ିର ଲୋକସଭା ସାଂସଦ ଭର୍ତ୍ତୃହରି ମହତାବଙ୍କୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ମନ୍ତବ୍ୟକୁ ନାପସନ୍ଦ କରିଥିଲେ ବିଜେଡି ବିଧାୟକ ତଥା ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ଟ୍ୱିଟ ମାଧ୍ୟମରେ ଆକ୍ଷେପ କରି କହିଛନ୍ତି ଯେ କଲମ୍ବସ ପରି ଭର୍ତ୍ତୃହରି ବାବୁଙ୍କ ବୁଦ୍ଧି ଓ ଅଭିଜ୍ଞତାର ଆବିଷ୍କାର କରିଛନ୍ତି ଧର୍ମେନ୍ଦ୍ର । ଲାଲକୃଷ୍ଣ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କ ଭଳି ବିଜେପିର ବରିଷ୍ଠ ନେତାଙ୍କ ଅମାପ ଅଭିଜ୍ଞତା ଓ ଦକ୍ଷତାର ମଧ୍ୟ ସେହିଭଳି ସଦୁପଯୋଗ କରନ୍ତୁ କେନ୍ଦ୍ରମନ୍ତ୍ରୀ । କାରଣ ସେମାନେ ମଧ୍ୟ ଯଥେଷ୍ଟ ବୁଦ୍ଧିମାନ ଓ ବିଜେପି ପାଇଁ ସମର୍ପିତ।
ଭାଇ @dpradhanbjp, ଆପଣ କଲମ୍ଵସ ପରି ଭର୍ତ୍ତୃହରି ବାବୁଙ୍କ ବୁଦ୍ଧି ଓ ଅଭିଜ୍ଞତାର ଆବିଷ୍କାର କରିଛନ୍ତି। ମୋର ଅନୁରୋଧ, ଆପଣ ଲାଲକୃଷ୍ଣ ଆଡଭାନୀ ଜୀ ଓ ମୂରଲୀ ମନୋହର ଯୋଶୀ ଜୀଙ୍କ ଅମାପ ଅଭିଜ୍ଞତା ଓ ଦକ୍ଷତାର ମଧ୍ୟ ସେଇଭଳି ସଦୁପଯୋଗ କରନ୍ତୁ। ସେମାନେ ମଧ୍ୟ ଯଥେଷ୍ଟ ବୁଦ୍ଧିମାନ ଓ ବିଜେପି ପାଇଁ ସମର୍ପିତ।
— Pranab Prakash Das (@pranabpdas) April 13, 2021
ତେବେ ପ୍ରଜାତନ୍ତ୍ରର ବିଷୁବ ମିଳନ ଉତ୍ସବରେ ଭର୍ତ୍ତୃହରି ମହତାବଙ୍କୁ ନେଇ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ପରେ ଏହି ରାଜନୈତିକ ବାକଯୁଦ୍ଧ ଆରମ୍ଭ ହୋଇଥିଲା । କଟକରେ ୭୨ତମ ବିଷୁବ ମିଳନ ଉତ୍ସବକୁ ଉଦଘାଟନ କରି ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ସାରା ଦେଶ ନଭେମ୍ବର ୨୬ ତାରିଖକୁ ଏବେ ସମ୍ବିଧାନ ପ୍ରତିଷ୍ଠା ଦିବସ ଭାବେ ପାଳନ କରୁଛି । ଏହାପଛରେ ଭର୍ତ୍ତୃହରି ମହତାବଙ୍କ ପ୍ରମୁଖ ଭୂମିକା ରହିଛି । କିନ୍ତୁ ବିଜେଡି ଏବେ ତାଙ୍କୁ କାହିଁକି ଗୁରୁତ୍ୱ ଦେଉନାହିଁ, ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିଛି । ଧର୍ମେନ୍ଦ୍ରଙ୍କ ଏଭଳି ମନ୍ତବ୍ୟ ରାଜନୈତିକ ଚର୍ଚ୍ଚାର ପ୍ରମୁଖ ପ୍ରସଙ୍ଗ ହୋଇଛି।