ବିଜେପିର ସ୍ୱାଗତ, ପ୍ରତ୍ୟାଖ୍ୟାନ କଲା ବିଜେଡି

ଜୋର ଧରିଲା ମହାନଦୀ ରାଜନୀତି

ଭୁବନେଶ୍ୱର : ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ଜଳସଂପଦ ମନ୍ତ୍ରୀ ନୀତିନ ଗଡ଼କରୀ ସଂସଦରେ ରଖିଥିବା ଆଭିମୁଖ୍ୟକୁ ନେଇ ରାଜନୀତି ତେଜିଛି। ଆଜି ଏହି ପ୍ରସଙ୍ଗରେ ବିଜେଡି-ବିଜେପି ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ଶ୍ରୀ ଗଡ଼କରୀଙ୍କ ଆଲୋଚନା ପ୍ରସ୍ତାବକୁ ସ୍ୱାଗତ କରିଛି ବିଜେପି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶା ଲୋକଙ୍କ ସ୍ୱାର୍ଥ ପରିପ୍ରେକ୍ଷୀରେ ଏବେ ଆଲୋଚନା ଜରୁରି। ଅନ୍ୟପଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କରେ ଏଯାଏ ମୁହଁ ଖୋଲିନାହାନ୍ତି। କିନ୍ତୁ ଆଜି ବିଜୁ ଜନତା ଦଳ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀଙ୍କ ପ୍ରସ୍ତାବକୁ ରୋକ୍‌ଠୋକ୍‌ ପ୍ରତ୍ୟାଖ୍ୟାନ କରିଛି। ବିଜେଡି ରାଜ୍ୟ ସାଧାରଣ ସଂପାଦକ ସଂଜୟ ଦାସବର୍ମା କହିଛନ୍ତି, ଶ୍ରୀ ଗଡ଼କରି ଛତିଶଗଡ଼ ସରକାରଙ୍କ ମୁଖପାତ୍ର ଭଳି ମନ୍ତବ୍ୟ ରଖୁଛନ୍ତି। ଆଲୋଚନା ଛଳରେ ଛତିଶଗଡ଼କୁ ସମୟ ଦେବା ଲାଗି କେନ୍ଦ୍ର ବାଟ ଖୋଲିଛି। ଏହା ବିରୋଧରେ ଜୋରଦାର ଆନ୍ଦୋଳନ କରାଯିବ।

ଆଜି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଲୋକସଭାରେ ଶ୍ରୀ ଗଡକରୀ ଆପୋସ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି। ଓଡ଼ିଆ ଚାଷୀ, ଯୁବକ ଓ ସାଧାରଣ ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା କାଢିବା ସମସ୍ତଙ୍କର ଦାୟିତ୍ୱ। ଦୁଇ ରାଜ୍ୟ ମଧ୍ୟରେ ବିବାଦ ହେଲେ ଟ୍ରିବ୍ୟୁନାଲ ସାମ୍ବିଧାନିକ ଅଧିକାର । ମାତ୍ର ବିଗତ ଦିନର ଅନୁଭବ ହେଉଛି, ଟ୍ରିବ୍ୟୁନାଲ ଦୁଇ ତିନି ଦଶନ୍ଧି ଧରି ନ୍ୟାୟ ନ ଦେବା ଏକ ବାସ୍ତବିକତା।

ଶ୍ରୀ ପ୍ରଧାନ କହିଛନ୍ତି, ଅଣ ମୌସୁମୀ ସମୟରେ ଓଡିଶାକୁ ଜଳ ପ୍ରବାହ କମିବା କଥା ଶ୍ରୀ ଗଡ଼କରୀ ସ୍ୱୀକାର କରିଛନ୍ତି। କୌଣସି ପରିସ୍ଥିତିରେ ଓଡିଶାର ଲୋକଙ୍କର ସ୍ୱାର୍ଥ ସହିତ ବୁଝାମଣା କରିବାର ପ୍ରଶ୍ନ ଉଠୁ ନାହିଁ ବରଂ ପାଣିର ସୁବିନିଯୋଗ ପାଇଁ କେନ୍ଦ୍ର ସରକାର ଅର୍ଥ ବ୍ୟୟବରାଦ କରି ଓଡିଶାର ସମସ୍ୟା ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଟ୍ରିବ୍ୟୁନାଲ କାହା ପାଇଁ ବାହାନା ହୋଇ ପାରେ । ଗଣତନ୍ତ୍ରରେ ମତ ପାର୍ଥକ୍ୟ ଓ ବାଦ ବିବାଦ ରହିବା କିଛି ଭୁଲ କଥା ନୁହେଁ । ମାତ୍ର ମହାନଦୀ ମାମଲାରେ ଓଡିଆ ଲୋକଙ୍କର ସ୍ୱାର୍ଥ ରକ୍ଷା ପାଇଁ ଶ୍ରୀ ଗଡକରୀ ଦେଇଥିବା ପ୍ରସ୍ତାବ ସ୍ୱାଗତଯୋଗ୍ୟ।

ଅନ୍ୟପକ୍ଷରେ ବିଜେଡି ଆଜି ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଦଳ ପକ୍ଷରୁ ଶ୍ରୀ ଦାସବର୍ମା ପ୍ରେସ ବିଜ୍ଞପ୍ତିରେ କହିଛନ୍ତି, ମହାନଦୀ ଉପରେ ୧୬ଟି ଜିଲ୍ଲାର ଜନସାଧାରଣଙ୍କର ଜୀବନଜୀବିକା ନିର୍ଭରଶୀଳ। ମହାନଦୀ ଉପରେ ଦେବଗିରି, ସାତକୋଶିଆ, ଭିତରକନିକା, ଗହିରମଥା ଓ ଚିଲିକା ହ୍ରଦ ପରିବେଶ ସନ୍ତୁଳନ ନିର୍ଭରଶୀଳ। ଛତିଶଗଡ଼ ସରକାର ମହାନଦୀର ଉପର ମୁଣ୍ଡରେ ସମସ୍ତ ପ୍ରକାର ବୈଷୟିକ ଓ ପରିବେଶଗତ ପ୍ରସଙ୍ଗକୁ ବେଖାତିର କରି ଗୁଡିଏ ବେଆଇନ୍‌ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି। ରାଜ୍ୟ ସରକାର ଏସବୁକୁ ବନ୍ଦ କରିବା ପାଇଁ ଦାବି କରିଆସୁଛନ୍ତି। ମୁଖ୍ୟମନ୍ତ୍ରୀ ତତ୍କାଳୀନ କେନ୍ଦ୍ର ଜଳସଂପଦ ମନ୍ତ୍ରୀ ସୁଶ୍ରୀ ଉମା ଭାରତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଡ଼ିଶା ପ୍ରତି ହୋଇଥିବା ଅବିଚାର ସଂପର୍କରେ ଆଲୋଚନା କରିଥିଲେ। ବୈଠକ ବିଫଳ ହେବା ପରିପ୍ରେକ୍ଷୀରେ ରାଜ୍ୟ ସରକାର ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ରର ଦ୍ୱାରସ୍ଥ ହୋଇଥିଲେ। ଏହି ପ୍ରସଙ୍ଗରେ କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ଲୋକସଭା ଏବଂ ରାଜ୍ୟସଭାରେ ବକ୍ତବ୍ୟ ରଖିଥିଲେ ଯେ ଯେହେତୁ ଏହା ଦୁଇଟି ରାଜ୍ୟର ଜଳ ବିବାଦର ସମସ୍ୟା, ତେଣୁ ଟ୍ରିବ୍ୟୁନାଲ୍‌ ଗଠନ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି ଏବଂ ତୁରନ୍ତ ଏ ସଂକ୍ରାନ୍ତରେ କ୍ୟାବିନେଟ୍‌ ମେମୋରାଣ୍ଡମ୍‌ ପ୍ରସ୍ତୁତ କରାଯାଉଛି। ମାତ୍ର ପରେ ସୁପ୍ରିମକୋର୍ଟରେ କେନ୍ଦ୍ର ଜଳ ସଂପଦ ବିଭାଗ ଟ୍ରିବ୍ୟୁନାଲ୍‌ ଗଠନର ଆବଶ୍ୟକତା ନାହିଁ ବୋଲି ସତ୍ୟପାଠ ଦେବା କେନ୍ଦ୍ରର ଓଡ଼ିଶା ବିରୋଧୀ ଆଭିମୁଖ୍ୟ ସ୍ପଷ୍ଟ କରୁଛି।

ବିଜେଡି କହିଛି, ବର୍ତମାନ ଟ୍ରିବ୍ୟୁନାଲ୍‌ ଗଠନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଖୁବ୍‌ ଶୀଘ୍ର ନିଷ୍ପତ୍ତି ନେବାକୁ ଯାଉଥିଲା ବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ ଆଜି ଲୋକସଭାରେ କହିଛନ୍ତି, ୩ମାସ ଭିତରେ ଏକକ ଟ୍ରିବ୍ୟୁନାଲ୍‌ ଗଠନ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେବାକୁ ଯାଉଛନ୍ତି। ରାଜ୍ୟ ସରକାର ଆଲୋଚନାକୁ ଆସିବା ଲାଗି କହିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କର ଏହି ମନ୍ତବ୍ୟ ସ୍ପଷ୍ଟ କରିଛି, ଛତିଶଗଡ଼ ଦ୍ୱାରା ଜାରି ରହିଥିବା ବେଆଇନ୍‌ ନିର୍ମାଣକୁ ରୋକ୍‌ ଦେବା ପାଇଁ କେନ୍ଦ୍ର ବିଜେପି ସରକାରଙ୍କର କୌଣସି ଆଭିମୁଖ୍ୟ ନାହିଁ। ପରନ୍ତୁ ଚଳିତବର୍ଷ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ହେଉଥିବାରୁ ୩ମାସ ମଧ୍ୟରେ ତୁରନ୍ତ ସମସ୍ତ ବେଆଇନ୍‌ ନିର୍ମାଣ କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ପାଇଁ ଇସାରା ଦେଇଛନ୍ତି। ମହାନଦୀ ପ୍ରସଙ୍ଗରେ କେନ୍ଦ୍ରର ଏଭଳି ଆଭିମୁଖ୍ୟକୁ ଓଡ଼ିଶା ପ୍ରତ୍ୟାଖ୍ୟାନ କରିବା ସହିତ କେନ୍ଦ୍ରମନ୍ତ୍ରୀଙ୍କ ବିବୃତି ଓଡ଼ିଶା ବିରୋଧୀ ଓ ଓଡ଼ିଶାର ସ୍ୱାଭିମାନ ପ୍ରତି କୁଠାରଘାତ ବୋଲି ବିଜେଡି କହିଛି।

ସମ୍ବନ୍ଧିତ ଖବର