ତେଲ ରାଜନୀତି : କେନ୍ଦ୍ର ଅଧିକ ନେଉଛି, ଓଡ଼ିଶା କମ୍‌

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଭାଟ୍‌ କମ୍‌ ଥିବା କାରଣରୁ ପେଟ୍ରୋଲ ଓ ଡିଜେଲ ଦର ଅପେକ୍ଷାକୃତ କମ୍‌ ଦରରେ ମିଳୁଛି। ଦେଶର ପ୍ରମୁଖ ୧୦ଟି ସହର ଠାରୁ କମ୍‌। କାରଣ ମହାରାଷ୍ଟ୍ର ଭଳି କିଛି ରାଜ୍ୟ ଭାଟ୍‌ ନେଉଛନ୍ତି ଓ ଏହା ଉପରେ ସେସ୍‌ ଆଦାୟ ହେଉଛି। ଆଜି ରାଜ୍ୟ ଅର୍ଥ ବିଭାଗ ଏଭଳି ଯୁକ୍ତି ସହିତ ଟିକସ ସଂକ୍ରାନ୍ତ ପରିସଂଖ୍ୟାନ ରଖିଛି। କେବଳ ସେତିକି ନୁହେଁ, ସୂଚାଇଛି ଯେ ପେଟ୍ରୋଲ ଉପରେ ଓଡ଼ିଶା ଠାରୁ କେନ୍ଦ୍ର ଅଧିକ ଟିକସ ନେଉଛି। ଡିଜେଲ କ୍ଷେତ୍ରରେ ଉଭୟଙ୍କ ଟିକସ ହାର ସମାନ।

ଅର୍ଥ ବିଭାଗ ତଥ୍ୟ ଦେଇଛି, ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୭୮ ଟଙ୍କା ୨୯ ପଇସା ରହିଛି। ଏହି ସମୟରେ କିନ୍ତୁ ବାଙ୍ଗାଲୋରରେ ପେଟ୍ରୋଲ ଦର ଲିଟର ପ୍ରତି ୮୧ ଟଙ୍କା ୮୯ ପଇସା ଥିବା ବେଳେ ଚେନ୍ନାଇରେ ୮୨ ଟଙ୍କା ୪୧ ପଇସା, ମୁମ୍ବାଇରେ ୮୬ ଟଙ୍କା ୭୨, କୋଲକାତାରେ ୮୨ ଟଙ୍କା ୨୨, ଦିଲ୍ଲୀରେ ୭୯ ଟଙ୍କା ୩୧, ହାଇଦ୍ରାବାଦ ୮୪ ଟଙ୍କା, ଜୟପୁରରେ ୮୪ ଟଙ୍କା ୫୦ ପଇସା, ଲକ୍ଷ୍ନୋରେ ୭୯ ଟଙ୍କା ୫୪ ପଇସା, ପାଟନାରେ ୮୫ ଟଙ୍କା, ତିଭେନ୍ଦ୍ରମ୍‌ରେ ୮୨ ଟଙ୍କା ୬୦ ପଇସା ରହିଛି।

ଅର୍ଥ ବିଭାଗ କହିଛି, ପେଟ୍ରୋଲ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଲିଟର ପ୍ରତି ଟିକସ ହାର ୧୯ ଟଙ୍କା ୪୨ ପଇସା ରହିଛି। ଏ କ୍ଷେତ୍ରରେ ଭାଟ୍‌ ପରିମାଣ ୧୫ ଟଙ୍କା ୪୪ ପଇସା। ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ଡିଜେଲ କ୍ଷେତ୍ରରେ ୧୫ ଟଙ୍କା ୩୩ ପଇସା ଲେଖାଏଁ ନେଉଛନ୍ତି। ଉଲ୍ଲେଖଥାଉକି, ପେଟ୍ରୋଲ ଓ ଡିଜେଲ କ୍ଷେତ୍ରରୁ ଗତବର୍ଷ ୪୮୦୦ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ଏବର୍ଷ ୫୬୦୦ କୋଟି ଟଙ୍କା ଆଦାୟ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର