ଜବରଦଖଲ ଉଚ୍ଛେଦକୁ ନେଇ ରାଜରାସ୍ତାରେ ରାଜନୀତି: ବିଜେଡି-କଂଗ୍ରେସ ମୁହାଁମୁହିଁ

ବଲାଙ୍ଗୀର : ବଲାଙ୍ଗୀର ସହରରେ ଗତ କିଛିଦିନ ହେଲା ଜାରି ରହିଛି ଜବରଦଖଲ ଉଚ୍ଛେଦ ଅଭିଯାନ। ପୌରପାଳିକା ବିଭିନ୍ନ ବସ୍ତି ଅଞ୍ଚଳ ଉଚ୍ଛେଦ କରୁଛି। ଜାଗା ଜାଗାରେ ଆଇନଶୃଙ୍ଖଳା ପରିସ୍ଥିତି ବି ଦେଖାଦେଉଛି। ପୁଲିସ ଉପସ୍ଥିତିରେ ଉଚ୍ଛେଦ ପ୍ରକ୍ରିୟା ହେଉଛି। ଉଚ୍ଛେଦରେ କିଛି ନିର୍ଦ୍ଦିଷ୍ଟ ଦଳୀୟ ଲୋକଙ୍କ ଘରକୁ ବାଦ୍‌ ଦେଉଥିବା ଅଭିଯୋଗ ବି ଉଠୁଛି। ତେଣୁ ଏବେ ଉଚ୍ଛେଦ ପ୍ରକ୍ରିୟାକୁ ନେଇ ସହରରେ ଜୋର୍‌ ଧରିଛି ରାଜନୀତି। ତିନି ପ୍ରମୁଖ ଦଳ ଭିତରୁ ବିଜେପି ତୁନି ପଡ଼ିଥିବା ବେଳେ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ କଂଗ୍ରେସ। ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନଗର କଂଗ୍ରେସ ଧାରଣା ଦେଇଥିଲା। ଅନ୍ୟପଟେ ବିଜେଡି ଶୋଭାଯାତ୍ରାରେ ଆସି ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ରାସ୍ତାରୋକ କରିଥିଲା। ଦୁଇ ଘଣ୍ଟା ଧରି ମୁହାଁମୁହିଁ ହୋଇଥିଲେ ବିଜେଡି ଓ କଂଗ୍ରେସ ଦଳ।

ସକାଳୁ କୋଶଳ କଳାମଣ୍ଡଳ ପଡ଼ିଆରୁ ଜବରଦଖଲ ଉଚ୍ଛେଦର ଶିକାର ହୋଇଥିବା କ୍ଷତିଗ୍ରସ୍ତ ପରିବାର ସହିତ ଶୋଭାଯାତ୍ରାରେ ବହାରିଥିଲା ବିଜେଡି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ରାସ୍ତା ବନ୍ଦ କରି ଜବରଦଖଲ ଉଚ୍ଛେଦ ବିରୋଧରେ ବିଜେଡି ନେତା ଓ କ୍ଷତିଗ୍ରସ୍ତ ହୋଇଥିବା ମହିଳାମାନେ ଆନ୍ଦୋଳନ କରିଥିଲେ। ପ୍ରଥମେ ଥଇଥାନ ତାପରେ ଉଚ୍ଛେଦ ଦାବି କରାଯାଇଥିଲା। ଏକ ଦାବିପତ୍ର ମଧ୍ୟ ପ୍ରଶାସନକୁ ଦେଇଥିଲେ। ଠିକ୍‌ ସେହିପରି କଂଗ୍ରେସ ଦଳ କର୍ମକର୍ତ୍ତା ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ସକାଳୁ ଆସି ଜିଲ୍ଲାପାଳ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇଥିଲେ। ପ୍ରଥମେ ଜମି ଓ ଘର ଦିଅ ଏବଂ ପରେ ଉଚ୍ଛେଦ କରାଯାଉ ବୋଲି କଂଗ୍ରେସ ନେତାଗଣ ଦାବି କରିଥିଲେ। ଉଭୟ ଦଳର ଆନ୍ଦୋଳନରେ କଚେରି ଛକ ରାଜରାସ୍ତା ଆନ୍ଦୋଳନ, ନାରାବାଜି ଓ ଭାଷଣରେ ଜାମ ହୋଇଯାଇଥିଲା। ଜବରଦଖଲ ଉଚ୍ଛେଦ ପାଇଁ ନବୀନ ସରକାରଙ୍କୁ କଂଗ୍ରେସ ଦାୟୀ କରୁଥିବା ବେଳେ ବିଜେଡି ପ୍ରଶାସନକୁ ଦାୟୀ କରିଥିଲା। ସମାନ ପ୍ରସଙ୍ଗରେ ଉଭୟ ଦଳର ପ୍ରତିକ୍ରିୟା ଭିନ୍ନ ରହିଥିବା ଦେଖିବାକୁ ମିଳିଥିଲା। ପୌର ନିର୍ବାଚନ ଆଗକୁ ଥିବାରୁ ଜବରଦଖଲ ଉଚ୍ଛେଦ ପ୍ରସଙ୍ଗରେ ସହରରେ ରାଜନୀତି ସରଗରମ ହୋଇଥିବା ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପଟେ ଆଗକୁ ପ୍ରଶାସନ ଅନ୍ୟ ଯାହା ସବୁ ସ୍ଥାନ ଚିହ୍ନଟ କରିଛି ତାହାକୁ ବି ପର୍ଯ୍ୟାୟକ୍ରମେ ଉଚ୍ଛେଦ କରିବ ବୋଲି ସୂଚନା ମିଳିଛି।

ଜାରି ରହିବ ଉଚ୍ଛେଦ ପ୍ରକ୍ରିୟା: ଜିଲ୍ଲାପାଳ
ଜବରଦଖଲ ଉଚ୍ଛେଦ ପ୍ରସଙ୍ଗରେ ବିଜେଡି ଓ କଂଗ୍ରେସ ଦଳ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଜିଲ୍ଲାପାଳ ଏହାକୁ ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଜବରଦଖଲ ଉଚ୍ଛେଦ ପାଇଁ କୌଣସି ଆନ୍ଦୋଳନ ଆମକୁ ଅଟକାଇ ପାରିବ ନାହିଁ। ଗରିବ ଶ୍ରେଣୀର ଜମିବାଡ଼ି ନଥିଲାବାଲା ଲୋକଙ୍କୁ ଥଇଥାନ କରିବା ପାଇଁ ସରକାରୀ ନିୟମ ଅନୁଯାୟୀ ପଦକ୍ଷେପ ନିଆଯିବ। ହେଲେ ଯେଉଁମାନେ ଥିଲାବାଲା ଧନୀବର୍ଗ ଜବରଦଖଲ କରି ରହିଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର