ମାହାଙ୍ଗା/ସାଲେପୁର/ଟାଙ୍ଗୀ : ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ଜୋର୍ ଧରିଛି ରାଜନୀତି। ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାରେ ବିଜେପି ଓ କଂଗ୍ରେସ ମାହାଙ୍ଗା ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଟାର୍ଗେଟ କରିଥିବା ବେଳେ ଗତକାଲି ଠାରୁ ଏହି ଘଟଣାକୁ ନେଇ ରାଜନୀତି ଚାଲିଥିବା ଅଭିଯୋଗ ଆଣି ବିଜେପି ନେତୃବୃନ୍ଦଙ୍କ ବିରୋଧରେ ବିକ୍ଷୋଭ, କୁଶପୁତ୍ତଳିକା ଦାହ କାର୍ଯ୍ୟକ୍ରମ ଜୋର ଧରିଛି। ଗତକାଲି ଏହି ପ୍ରସଙ୍ଗରେ କଟକ ଜିଲ୍ଲା ଆଇନଜୀବୀ ସଂଘ ଓ ଅଟୋ ମହାସଂଘର କର୍ମକର୍ତ୍ତା ରାଜରାସ୍ତାକୁ ଓହ୍ଲାଇ ବିଜେପି ନେତୃବୃନ୍ଦଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଆଜି ଟାଙ୍ଗୀ, ସାଲେପୁର ଓ ମାହାଙ୍କା ଅଞ୍ଚଳରେ ବି ଏଭଳି କାର୍ଯ୍ୟକ୍ରମ ଆୟୋଜନ ହୋଇଛି।

Advertisment

ଅନ୍ୟପଟେ ଡବଲ ମର୍ଡର ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ଭାବେ ପଞ୍ଚାନନ ସେଠୀକୁ ଗିରଫ କରିଥିବା ବେଳେ ଆଜି ଦୁଇଟି ଦଳିତ ସଂଘ ପଞ୍ଚାନନର ମା ମାତାଜୀ ସେଠୀଙ୍କୁ ଭେଟିଛନ୍ତି। ରାଷ୍ଟୀୟ ଦଳିତ ଆଦିବାସୀ ମହାସଂଘ ଓ ରାଷ୍ଟ୍ରୀୟ ଦଳିତ ମହାସଂଘର ଦୁଇଟି ଟିମ ପୃଥକ ଭାବେ ଯାଇ ଦୁଇ ଅଭିଯୁକ୍ତ ପଞ୍ଚାନନ ଓ ଚୈତନ୍ୟ ସେଠୀଙ୍କ ମା ମାତାଜି ସେଠୀଙ୍କୁ ଭେଟିବା ପାଇଁ ତାଙ୍କ ଯଁକୋଟୀସ୍ଥିତ ଘରକୁ ଯାଇଥିଲେ। କିନ୍ତୁ ତାଙ୍କ ଘରେ ତାଲା ପଡିଥିବା ବେଳେ ପରିବାରର କାହାକୁ ନ ପାଇ ମାହାଙ୍ଗା ଅଞ୍ଚଳରେ ଥିବା ମାତାଜୀଙ୍କ ବାପଘରକୁ ଯାଇ ତାଙ୍କୁ ଭେଟିବା ସହିତ ଘଟଣା ସଂପର୍କରେ ପଚାରି ବୁଝିଥିଲେ। ଡିସେମ୍ବର ୨୭ ତାରିଖ ରାତିରେ ତାଙ୍କ ଉପରେ ଓ ତାଙ୍କ ପରିବାର ଉପରେ ମୃତ କୁଳମଣି ବରାଳଙ୍କ ଦୁଇ ପୁଅ ଓ ସେମାନଙ୍କର କେତେକ ସହଯୋଗୀ ଯେଉଁ ଅତ୍ୟାଚାର କରିଥିଲେ ସେ ତାହାକୁ ବଖାଣି ଥିଲେ। ସେ ଥାନାରେ ଅଭିଯୋଗ କରିଥିଲେ ବି ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା ବୋଲି ସେମାନେ କହିଥିଲେ। ତାଙ୍କ ଜୀବନ ପ୍ରତି ବିପଦ ରହୁଥିବାରୁ ସେ ଏବେ ଘର ଛାଡି ଏଠି ରହୁଛନ୍ତି ବୋଲି କହିଥିଲେ। ଏଭଳି ଘଟଣା ଶୁଣିବା ପରେ ଦଳିତ ସଂଘର କାର୍ଯ୍ୟକର୍ତ୍ତା ପୁଲିସର ନିଷ୍କ୍ରିୟତାକୁ ସମାଲୋଚନା କରିବା ସହିତ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ମାତାଜୀଙ୍କୁ ଉପଯୁକ୍ତ ନ୍ୟାୟ ନ ମିଳିଲେ ସେମାନେ ଏସପି ଓ ଡିଜି ଅଫିସ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି। ରାଷ୍ଟ୍ରୀୟ ଦଳିତ ଆଦିବାସୀ ମହାସଂଘ ରାଜ୍ୟ ସଭାପତି ଲିଟୁ ଦାସ, କାର୍ଯ୍ୟକାରୀ ସଭାପତି ପିତବାସ ନାୟକ, ଉପସଭାପତି ପ୍ରକାଶ ପ୍ରଧାନ, ସୁରେଶ ମଲିକ, ଜଗନ୍ନାଥ ଭୋଇ, ପ୍ରକାଶ ଭୋଇ, ଟିକିନ ପରିଡା, ରାଷ୍ଟ୍ରୀୟ ଦଳିତ ମହାସଂଘ ସଭାପତି ଅଶୋକ ମଲିକ, ପଛୁଆ ବର୍ଗ ରାଜ୍ୟ ସଭାପତି ଅନାଦି ଚରଣ ସାହୁ, ମନୋରଂଜନ ଜେନା, ଦିଲୀପ ମଲିକ, ସମୀର ଦାସ, ସଂଜୟ ଘଡାଇ, ପ୍ରତିମା ମଲିକ, ସଖି ସେଠୀ, ପ୍ରସନ୍ନ ନାୟକ, ପୂର୍ଣ୍ଣଚନ୍ଦ୍ର ମଲିକ, ରାଜକିଶୋର ମଲିକ, ଟୁନା ଚରଣ ମଲିକ ପ୍ରମୁଖ ମାତାଜୀଙ୍କୁ ଭେଟିଥିଲେ।

ଅନ୍ୟପଟେ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ବିଜେପି ମିଛ ଅଭିଯୋଗ ଆଣିବା ପ୍ରତିବାଦରେ ସାଲେପୁର ବଜାର ବ୍ୟବସାୟୀ ଓ ସ୍ଥାନୀୟ ଲୋକଙ୍କ ପକ୍ଷରୁ ସାଲେପୁର ବଜାରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ପ୍ରଭାରି ଡି ପୁରନ୍ଦେଶ୍ୱରୀଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ବିଶିଷ୍ଟ ବ୍ୟବସାୟ ନବ କିଶୋର କରଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ସେହିଭଳି ମାହାଙ୍ଗା ସଚେତନ ନାଗରିକ ମଞ୍ଚ ପକ୍ଷରୁ ମଧ୍ୟ ବିଜେପି ନେତାଙ୍କ କୁଶପୁତ୍ତଳିକା ଦାହ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶତାଧିକ କର୍ମୀ ଗୌଡପଡା ଠାରୁ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରି ବିଜେପି ବିରୋଧୀ ନାରା ଦେଇ କୁଆଁପାଳ ବ୍ଲକ ଛକ ଠାରେ ପ୍ରତିବାଦ କରିଛନ୍ତି। ମଙ୍ଗୁଳି ଛକଠାରେ ମଧ୍ୟ ଯୁବ ଜାଗ୍ରତ ଉନ୍ନୟନ ପରିଷଦ ପକ୍ଷରୁ ଜାତୀୟ ରାଜପଥ ପାର୍ଶ୍ବରେ ବିଜେପି ନେତାଙ୍କ କୁଶପୁ୍ତ୍ତଳିକା ଦାହ ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।