ବିମାନବନ୍ଦର ଅଘଟଣକୁ ନେଇ ରାଜନୀତି

ଦୁର୍ଘଟଣାକୁ ନେଇ ଆମେ ରାଜନୀତି କରୁନୁ: ବିଜେଡି, ଠିକାଦାରଙ୍କ ସଂପର୍କ ନେଇ ଖୁଲାସା ହେଉ: ବିଜେପି

ଭୁବନେଶ୍ବର : ବିମାନବନ୍ଦରରେ ଛାତ ଭୁଶୁଡ଼ିବା ଘଟଣାକୁ ନେଇ ରାଜନୀତି ଜୋର୍‌ ଧରିଛି। ବିଜେଡି ଓ ବିଜେପି ଏହାକୁ ନେଇ ମୁହାଁମୁହିଁ ହୋଇଥିଲା ବେଳେ କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛି।

ଆଜି ସକାଳେ ପ୍ରଥମେ ବିଜେଡି ପକ୍ଷରୁ ଏହି ଘଟଣାରେ ପ୍ରତିକ୍ରିୟା ରଖିଥିଲେ ମୁଖପାତ୍ର ସସ୍ମିତ ପାତ୍ର। ଦୁର୍ଘଟଣାକୁ ସେ ଦୁର୍ଭାଗ୍ୟଜନକ ବୋଲି ବର୍ଣ୍ଣନା କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ। ଆହତକୁ ମାଗଣା ଚିକିତ୍ସା ଓ ମୃତକଙ୍କ ପରିବାରକୁ ଯଥେଷ୍ଟ କ୍ଷତିପୂରଣ ଦେବାକୁ ଦାବି କରିଥିଲେ। ଏହା ସହ ଶ୍ରୀ ପାତ୍ର ବିଜେପିକୁ କଟାକ୍ଷ କରି କହିଥିଲେ ଯେ ଏପରି ମର୍ମନ୍ତୁଦ ଦୁର୍ଘଟଣାକୁ ବିଜେପି ପରି ଆମେ ରାଜନୀତିକରଣ କରୁନା। ଏମିତି ରାଜନୀତିରେ ଆମେ ବିଶ୍ବାସ କରୁନା। ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଦୋଷୀ ବ୍ୟକ୍ତିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ବିଜେଡିର ଏପରି କଟାକ୍ଷକୁ ହଜମ କରିପାରି ନ ଥିଲା ବିଜେପି। ଦଳର ମୁଖପାତ୍ର ଗୋଲକ ମହାପାତ୍ର କହିଲେ ଯେ ବମିଖାଲ ଫ୍ଲାଏ ଓଭର୍‌ ଦୁର୍ଘଟଣା ବେଳେ ଏହାର ତଦନ୍ତ ନିମନ୍ତେ ଏସ୍‌୍ଆର୍‌ସି ଯାଇ ନ ଥିଲେ। ଏଠି କ’ଣ ପାଇଁ ଏହି ତଦନ୍ତରେ ଆବଶ୍ୟକ ପଡ଼ିଲା। ସେତେବେଳର ପୂର୍ତ୍ତ ସଚିବଙ୍କୁ ଡାକି ନିର୍ବାଚନରେ ଟିକେଟ୍‌ ଦିଆଯାଇଥିଲା। ଠିକାଦାର ଦିଲ୍ଲୀପଙ୍କୁ ବଞ୍ଚାଇବା ପାଇଁ ସସ୍ମିତ ପାତ୍ର ଏପରି ମନ୍ତବ୍ୟ ଦେଇଥାଇପାରନ୍ତି। ଦିଲ୍ଲୀପଙ୍କ ସହ କେଉଁ ଅଫିସର୍‌, କେଉଁ ବିଜେଡି ନେତା ଓ କେଉଁ ବିଜେଡି ସାଂସଦଙ୍କ ସହ ସମ୍ପର୍କ ଅଛି ଏବଂ ରାଜ୍ୟ ସରକାର ତାଙ୍କୁ କେତୋଟି କାମ ଦେଇଛନ୍ତି, ତାହାର ଖୁଲାସା କରାଯାଉ।

ବିଜେପିର ଏପରି ମନ୍ତବ୍ୟର ଜବାବ ଦେବାରେ ହେଳା କରିନି ବିଜେଡି। ଦଳର ମୁଖପାତ୍ର ଶ୍ରୀ ପାତ୍ର କହିଛନ୍ତି ଯେ ବିମାନବନ୍ଦର ଘଟଣା ନେଇ ବିଜେଡି ଦେଇଥିବା ମନ୍ତବ୍ୟକୁ ବିଜେପି ଠିକଣା ଭାବେ ବୁଝି ପାରୁ ନାହିଁ। ଅଭ୍ୟାସଗତ ଭାବେ ବିଜେପି ଦୁର୍ଘଟଣାକୁ ନେଇ ରାଜନୀତି କରିବା ସହ ସେମାନେ ଭୁଲି ଯାଉଛନ୍ତି ଯେ ବିମାନବନ୍ଦରରେ ଘଟୁଥିବା ସମସ୍ତ ଘଟଣାର ଦାୟିତ୍ବ କେନ୍ଦ୍ର ସରକାରଙ୍କ। ବିଜେପି ‌େନତାମାନେ ଘଟଣା ପାଇଁ କିଏ ଦାୟୀ ତାହା ନ ବୁଝି ନିଜ ମୁଣ୍ଡର ଅଠାକୁ ଅନ୍ୟ ମୁଣ୍ଡରେ ବୋଳିବାକୁ ଚେଷ୍ଟା କରୁଛନ୍ତି। ବିଜେପି ପରି ବିଜେଡି ଏତେ ନିମ୍ନ ସ୍ତରକୁ ଯାଇ ରାଜନୀତି କରେ ନାହିଁ। କାରଣ ବିଜେପିର ଏପରି ହୀନ ରାଜନୀତି ଯୋଗୁ ଓଡ଼ିଶାସୀ ଏହି ଜାତୀୟ ଦଳକୁ ନିୟମିତ ଭାବେ ପ୍ରତ୍ୟାଖ୍ୟାନ କରୁଛନ୍ତି।

କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଯୁବନେତା ରାଜୀବ ପଟ୍ଟନାୟକ ଏହି ଘଟଣାରେ ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ୍‌ କରିଛନ୍ତି। ସେ ଅଭିଯୋଗ କରିଛନ୍ତି, ଦିଲ୍ଲୀପ କନ୍‌ଷ୍ଟ୍ରକ୍ସନ୍ ଏହି କାର୍ଯ୍ୟକୁ ହାତେଇବାରେ ପିସି କାରବାର ହୋଇଛି। ସେଥିପାଇଁ ବିଜେପିର ବରିଷ୍ଠ ନେତାମାନେ ପାଟି ଖୋଲୁ ନାହାନ୍ତି। ସେହିପରି ରାଜ୍ୟ ସରକାରଙ୍କର ମଧ୍ୟ ଏହି ସଂସ୍ଥା ଗେହ୍ଲା ପୁଅ। ବିଜେଡିର ଜଣେ ସାଂସଦ ଏହି ସଂସ୍ଥାର ପୃଷ୍ଠପୋଷକ। ବିମାନବନ୍ଦର ଦୁର୍ଘଟଣାର ଉଚିତ ତଦନ୍ତ କରାଯିବ ସହ କମ୍ପାନିର ଲାଇସେନ୍ସ ବାତିଲ କରାଯାଉ। ଯେଉଁ ସରକାରୀ କର୍ତ୍ତୃପକ୍ଷ ଏହାର ତଦାରଖ ଦାୟିତ୍ବରେ ଥିଲେ, ‌ତାହାର ମଧ୍ୟ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଓ ପରିବାରର ଜଣଙ୍କୁ ଚାକିରି ଏବଂ ଆହତଙ୍କୁ ମାଗଣା ଚିକିତ୍ସା ସହ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର