ସୁନ୍ଦରଗଡ଼ ସିଡିଏମ୍‌ଓ ନିଲମ୍ବନ ନେଇ ତେଜିଲା ରାଜନୀତି: ସରକାରଙ୍କୁ ଘେରିଲେ ବିଜେପି, କଂଗ୍ରେସ

ଭୁବନେଶ୍ବର : ସୁନ୍ଦରଗଡ଼ ସିଡିଏମ୍‌ଓ ପଙ୍କଜ ପଟେଲଙ୍କ ନିଲମ୍ବନ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ‌ଏହି ପ୍ରସଙ୍ଗରେ ସୁନ୍ଦରଗଡ଼ ବନ୍ଦ ଡାକରା ଦିଆଯାଇଥିଲା ବେଳେ ରାଜଧାନୀରେ ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିଜେପି ଓ କଂଗ୍ରେସ। ଏହି ଘଟଣାରେ ରାଜନୀତି ନ କରିବାକୁ ଜବାବ ଦେଇଛି ବିଜେଡି।

ଡାକ୍ତର ପଟେଲ୍‌ଙ୍କ ନିଲମ୍ବନକୁ ବିରୋଧ କରି ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଆଜି ପୂର୍ବାହ୍ନରେ ଲୋକସେବା ଭବନକୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଆସିଥିଲେ। ମୁଖ୍ୟମନ୍ତ୍ରୀ ସେହି ସମୟରେ ଅନୁପସ୍ଥିତ ଥିବାରୁ ସେ ତୃତୀୟ ମହଲା ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଦେଇଥିଲେ। ଏହା ପରେ ଗଣମାଧ୍ୟମକୁ ସେ କହିଥିଲେ, ବାସ୍ତବ ସ୍ଥିତିକୁ ଠିକ୍ ଭାବେ ନ ବୁଝି ସିଡିଏମ୍‌ଓଙ୍କୁ ନିଲମ୍ବନ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୪୦ରୁ ଅଧିକ ଡାକ୍ତର ପଦବି ଖାଲି ପଡ଼ିଛି। ସୁନ୍ଦରଗଡ଼ ଜିଲ୍ଲାର ଅନ୍ୟ ହସ୍ପିଟାଲ୍‌ଗୁଡ଼ିକରେ ୧୫୭ ଡାକ୍ତର ପଦବି ଖାଲି ଅଛି। ମୋଟ୍‌ ଉପରେ ଡାକ୍ତର, ନର୍ସ, ଫାର୍ମାସିଷ୍ଟ ଆଦି ୪୭୧ ପଦବି ଖାଲିଛି। ଏହି ପରିସ୍ଥିତି‌େର ସେଠାରେ ଠିକ୍ ଉପାୟରେ ରୋଗୀ ସେବା ଯୋଗାଇବା କଷ୍ଟକର ହୋଇପଡ଼ିଛି। କିଛି ମାସ ହେଲା ସିଡିଏମ୍‌ଓ ପଦବି ବି ଖାଲି ପଡ଼ିଛି। ଡାକ୍ତର ପଟେଲ୍‌ ଭାରପ୍ରାପ୍ତ ସିଡିଏମ୍‌ଓ ଭାବେ ଦାୟିତ୍ବ ତୁଲାଉଥିଲେ। ଖାଲି ପଦବି ପୂରଣ କରିବା ସରକାରଙ୍କ କାମ। ସିଡିଏମ୍‌ଓ ଜଣେ ଭଲ ଡାକ୍ତର ଓ ସମସ୍ତ ପ୍ରତିକୂଳ ପରିସ୍ଥିତିରେ ବି ଭଲ ଭାବେ ରୋଗୀ ସେବା ଯୋଗାଇ ଆସନ୍ତି। ଲୋକଙ୍କ ଭା‌ବାବେଗକୁ ଦୃଷ୍ଟିରେ ରଖି ଏହି ଘଟଣାର ତଦନ୍ତ କରାଯିବା ସହ ଡାକ୍ତର ପଟେଲ୍‌ଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାକୁ ଶ୍ରୀମତୀ ଟେଟେ ଦାବି କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଧାୟିକା କୁସୁମ ଟେଟେ
ଭିତ୍ତିଭୂମି କାହିଁକି ସଜଡ଼ା ଯାଇ ନ ଥିଲା ବୋଲି ପ୍ରଶ୍ନ କଲା କଂଗ୍ରେସ
ବିଜେଡିର ଜବାବ, ଏହି ପ୍ରସଙ୍ଗରେ ରାଜନୀତି କରା ନ ଯାଉ

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସୁନ୍ଦରଗଡ଼ ସିଡିଏମ୍‌ଓଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ‌ସରକାରଙ୍କ ଭିତ୍ତିଭୂମି ସେଠାରେ ଠିକ୍ ଥିଲା କି ନାହିଁ ପ୍ରଥମେ ସଚିବ ଅନୁଧ୍ୟାନ କରନ୍ତୁ। ଭିତ୍ତିଭୂମି ନ ସଜାଡ଼ି କର୍ମଚାରୀଙ୍କୁ ଦାୟୀ କରିବା କେତେଦୂର ଠିକ୍ ? କେବଳ ଡାକ୍ତରଖାନା ଓ ଡାକ୍ତରଙ୍କୁ ଦୋଷ ଦେଇ ଲାଭ କ’ଣ? ଭିତ୍ତିଭୂମି କେତେଦୂର ତିଆରି କରିଛନ୍ତି, ସରକାର ପ୍ରଥମେ ତାହାକୁ ଦେଖନ୍ତୁ। ୫ ଟି କିଛି ଗୋଟେ ଅଦ୍ଭୂତ କାର୍ଯ୍ୟ ନୁହେଁ। ୨୦ ବର୍ଷର ସରକାର କାହିଁକି ଶିକ୍ଷା, ସ୍ବାସ୍ଥ୍ୟ ଓ ଆଇନ କ୍ଷେତ୍ରରେ ଅବହେଳାର ଉପଲବ୍ଧି କରି ନ ଥିଲେ, ତାହାର ଜବାବ ମାଗିଛନ୍ତି ଶ୍ରୀ ପଟ୍ଟନାୟକ।

ଅପର ପକ୍ଷରେ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି, ବିଜେପି ବିଧାୟିକା କୁସୁମ ଟେଟେ ଲୋକଙ୍କ ହିତରେ ନା ଘରୋଇ ପାଥୋଲାବ୍‌, ହୋଟେଲମାନଙ୍କ ହିତରେ ଅଛନ୍ତି ? କର୍ତ୍ତବ୍ୟରେ ଅବହେଳା କରିଥିବା ଜଣେ ଡାକ୍ତରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହା ବିଧାୟିକାଙ୍କୁ କାହିଁକି ବାଧୁଛି ? ଏହି ପ୍ରସଙ୍ଗରେ ବିରୋଧୀ ଅଯଥା ରାଜନୀତି ନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର