ୟେସ୍‌ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ଜମାକୁ ନେଇ ରାଜନୀତି ତେଜିଲା : ‌ଘେରିଲେ ବିଜେପି, କଂଗ୍ରେସ

କେନ୍ଦ୍ର ସରକାର ଜଗନ୍ନ‌ାଥଙ୍କ ଅର୍ଥର ସୁରକ୍ଷା କରନ୍ତୁ: ବିଜେଡି

ଭୁବନେଶ୍ବର : ଦେବାଳିଆ ଅବସ୍ଥାକୁ ଆସିଥିବା ୟେସ୍‌ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଜମାକୁ ନେଇ ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି। କେଉଁ ପରିସ୍ଥିତିରେ ଏହି ବ୍ୟାଙ୍କକୁ ଶ୍ରୀମନ୍ଦିର ପ୍ରଶାସନ ଚୟନ କଲା, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ପ୍ରସଙ୍ଗରେ ରାଜ୍ୟ ରାଜନୀତି ବେଶ୍‌ ସରଗରମ ହୋଇଛି। ବିଜେପି ଓ କଂଗ୍ରେସ ଲଗାତର ସରକାରଙ୍କୁ ଆକ୍ରମଣ ଜାରି ରଖିଥିଲା ବେଳେ ବିଜେଡି ଆଜି କେନ୍ଦ୍ର ସରକାରଙ୍କ ଉପରକୁ ଦୋଷ ଠେଲିଛି। ମହାପ୍ରଭୁଙ୍କ ଅର୍ଥର ସୁରକ୍ଷା ଦାୟିତ୍ବ କେନ୍ଦ୍ର ସରକାରଙ୍କର ବୋଲି ବିଜେଡି କହିଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନା‌ୟକ ଗଣମାଧ୍ୟମକୁ କହିଛନ୍ତି ଯେ ଜାତୀୟକରଣ ବ୍ୟାଙ୍କରେ ଟଙ୍କା ରଖିବା ନେଇ ଗାଇଡ୍‌ଲାଇନ୍ ଥିଲା ବେଳେ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ୟେସ୍‌ ବ୍ୟାଙ୍କରେ ଟଙ୍କା ରଖିବାକୁ କିଏ ଅଧିକାର ଦେଲା? ୟେସ୍‌ ବ୍ୟାଙ୍କରେ ଟଙ୍କା ରଖି ବିଦେଶ ବୁଲିଯାଇଥିବାର ଶୁଣାଯାଉଛି। ପୁଣି ଏହି ବ୍ୟାଙ୍କରେ ଟଙ୍କା ରଖିବା ପଛରେ କମିସନ କାରବାର ଅଛି ‌କି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ରତ୍ନଭଣ୍ଡାର ଚାବି ହଜିଲା ବେଳେ ବାରମ୍ବାର ଆମେ କହିଥିଲୁ ଯେ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି ସୁରକ୍ଷିତ ନୁହେଁ। କିନ୍ତୁ ଦୁଇ ବର୍ଷ ବିତିଯାଇଥିଲେ ବି ସରକାର କୌଣସି ସ୍ପଷ୍ଟୀକରଣ ଦେଲେ ନାହିଁ। ଏବେ ପୁଣି ୟେସ୍‌ ବ୍ୟାଙ୍କରେ ଜମା ଥିବା ଅର୍ଥରାଶି ଅନିନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ତିନି ମାସ ତଳୁ ଏହି ବ୍ୟାଙ୍କ ତଳକୁ ତଳ ଗଲାଣି। ଏହା ଜାଣି ତିରୁପତି ମନ୍ଦିରର ଜମାଥିବା ୧୨୦୦ କୋଟି ଟଙ୍କା ମନ୍ଦିର କର୍ତ୍ତୃପକ୍ଷ ଉଠାଇ ନେଲେ। କିନ୍ତୁ ଓଡ଼ିଶା ସରକାର ଏ ବିଷୟରେ କିପରି ଜାଣି‌ପାରିଲେ ନାହିଁ ? ସରକାର ତୁରନ୍ତ ସ୍ପଷ୍ଟୀକରଣ ଦେବା ସହ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପିସିସି ସଭାପତି ଦାବି କରିଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀ‌ରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ରାଜ୍ୟ ସରକାରଙ୍କ ଦ୍ବାରା ଦିଆଯାଇଥିବା ତିନିଟି ଚିଠିକୁ ଉଲ୍ଲେଖ କରି ସରକାରଙ୍କୁ ଘେରିଥିଲେ। ସେ କହିଥିଲେ ଯେ ଏସ୍‌ଏଲ୍‌ବିସି ଗାଇଡ୍‌ଲାଇନ୍‌କୁ ଆଧାର କରି ତତ୍‌କାଳୀନ ଉନ୍ନୟନ କମିସନର୍‌ ରାଜ୍ୟ ସରକାରଙ୍କ ଅର୍ଥ କେଉଁ କେଉଁ ବ୍ୟାଙ୍କରେ ଜମା ରହିବ, ତାହାର ଏକ ତାଲିକା ୨୦୧୭ ମସିହାରେ ଦେଇଥିଲେ। ଏହି ତାଲିକାରେ ୨୨ଟି ରାଷ୍ଟ୍ରାୟତ୍ତ ଓ ବୃହତ ବ୍ୟାଙ୍କ ଏବଂ ୩ଟି ସମବାୟ ବ୍ୟାଙ୍କର ନାମ ଉଲ୍ଲେଖ ରହିଥିଲା। ଏଥିରେ ୟେସ୍‌ ବ୍ୟାଙ୍କର ନାମ ନ ଥିଲା। ୨୦୧୯ ମାର୍ଚ୍ଚ ମାସରେ ତାଲିକାଭୁକ୍ତ ହୋଇ ନ ଥିବା ୟେସ୍‌ ବ୍ୟାଙ୍କରେ ଫିକ୍ସଡ୍‌ ଡିପୋଜିଟ୍‌ ମାଧ୍ୟମରେ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ଏବଂ ଫ୍ଲେକ୍ସି ଡିପୋଜିଟ୍‌ ମାଧ୍ୟମରେ ୪୭ କୋଟି ଟଙ୍କା ଜମା କରାଯାଇଥିଲା।

୨୦୧୯ ମସିହା ଜୁଲାଇ ମାସରେ ତତ୍‌କାଳୀନ ଅର୍ଥ ସଚିବ ଅଶୋକ ମୀନାଙ୍କ ନିର୍ଦ୍ଦେଶାବଳୀ ଆଧାରରେ ୟେସ୍‌ ବ୍ୟାଙ୍କକୁ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଯଦିଓ ଏହି ବ୍ୟାଙ୍କର ଯୋଗ୍ୟତା ଓ ଗ୍ରହଣୀୟତା ନ ଥିଲା। ତାଲିକାଭୁକ୍ତ ହେବାର ୪ ମାସ ପୂର୍ବରୁ ୟେସ୍‌ ବ୍ୟାଙ୍କରେ କେଉଁ ଆଧାରରେ ଓ କାହା ନିର୍ଦ୍ଦେଶରେ ଏତେ ବଡ଼ ମାତ୍ରାରେ ଅର୍ଥ ରାଶି ଜମା କରାଯାଇଥିଲା ? ସେହିପରି ବ୍ୟାଙ୍କରେ ଗଚ୍ଛିତ ଥିବା ସରକାରୀ ଅର୍ଥରାଶିକୁ ଅନ୍ୟ ବ୍ୟାଙ୍କରେ ଟ୍ରାନ୍ସଫର୍‌ କରିବା ଦ୍ବାରା ବ୍ୟାପକ ଅନିୟମିତତା ଓ ଦୁର୍ନୀତିର ଆଶଙ୍କା ରହିଛି ବୋଲି ତତ୍‌କାଳୀନ ଅର୍ଥ ସଚିବ ସିଏଜିଙ୍କ ନିର୍ଦ୍ଦେଶକୁ ଆଧାର କରି ଏହା ଉପରେ ରୋକ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସତ୍ତ୍ବେ କାହିଁକି ଓ କାହା ନିର୍ଦ୍ଦେଶରେ ମାନ୍ୟତା ହ୍ରାସ ପାଉଥିବା ୟେସ୍‌ ବ୍ୟାଙ୍କରେ ଟଙ୍କା ଜମା ରଖାଗଲା ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି। ଏହି ତିନିଟି ଚିଠିକୁ ଅନୁଧ୍ୟାନ କଲେ ସ୍ପଷ୍ଟ ହେଉଛି ଯେ ରାଜ୍ୟ ସରକାର ନିଜେ ଦେଇଥିବା ନିଜ ନିର୍ଦ୍ଦେଶକୁ ଭଙ୍ଗ କରିଛନ୍ତି। ଏପରିକି ‌ୟେସ୍‌ ବ୍ୟାଙ୍କରେ ଜମାଥିବା ଅର୍ଥ ଆଦୌ ସୁରକ୍ଷିତ ନୁହେଁ ବୋଲି ସରକାର ଜାଣିଥିଲେ। ଏହି ନିୟମ ଭାଙ୍ଗିବା ପଛରେ ବହୁ ହିତାଧିକାରୀ ଅଛନ୍ତି ଓ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବି କରିଛି।

ବିଜେପି ଅଭିଯୋଗର ଜବାବ ଦେଇ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି, କେନ୍ଦ୍ର ସରକାରଙ୍କ ତାଲିକାରେ ୟେସ୍‌ ବ୍ୟାଙ୍କ ରହିଛି। ଭାରତ ସରକାରଙ୍କ ଅଧୀନରେ ଥିବା ରିଜର୍ଭ ବ୍ୟାଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବ୍ୟାଙ୍କଗୁଡ଼ିକ କାର୍ଯ୍ୟ କରିଥାଏ। ୟେସ୍‌ ବ୍ୟାଙ୍କ ସିଡ୍ୟୁଲ୍‌ ବ୍ୟାଙ୍କ ହୋଇଥିବା ବେଳେ କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ ଦେଇଥିବା ସାର୍ବଭୌମତ୍ବ ଗ୍ୟାରେଣ୍ଟିକୁ ଉପଭୋଗ କରୁଛି। ବିଜେପି ମୁଖପାତ୍ର ଭଲ ଭାବେ ଜାଣିଥିଲେ ମଧ୍ୟ ମିଥ୍ୟା ଓ ଅବାସ୍ତବ ମନ୍ତବ୍ୟ ଦେଇ ନିୟମିତ ଭାବେ ଲୋକଙ୍କୁ ବିଭ୍ରାନ୍ତ କରିବା ଲାଗି ଉଦ୍ୟମ ଜାରି ରଖିଛନ୍ତି।

ଶ୍ରୀ ମହାନ୍ତି ଆହୁରି କହିଛନ୍ତି, ୟେସ୍‌ ବ୍ୟାଙ୍କରେ ଜମା ଥିବା ଅର୍ଥର ସୁରକ୍ଷା ଓ ନିରାପତ୍ତାର ଦାୟିତ୍ବ ହେଉଛି ବିଜେପି ପରିଚାଳିତ କେନ୍ଦ୍ର ସରକାରଙ୍କର। କାରଣ କେନ୍ଦ୍ର ସରକାର ହିଁ ଆଇନ୍ ଅନୁଯାୟୀ ବ୍ୟାଙ୍କଗୁଡ଼ିକୁ ନିୟନ୍ତ୍ରଣ କରିଥା’ନ୍ତି। ବିଜେପି ନେତାମାନେ ଏହା ଭଲ ଭାବେ ଜାଣିଥିଲେ ମଧ୍ୟ ଏଠାରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ବିଜେପି ମୁଖପାତ୍ର ନିଜ ଦଳର ଲୋକଙ୍କୁ ଧରି ଦିଲ୍ଲୀ ଯାଇ ସେଠାରେ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁ ଭେଟି ଶ୍ରୀଜଗନ୍ନାଥଙ୍କ ଅର୍ଥ କିପରି ସୁରକ୍ଷିତ ଭାବେ ଫେରିବ, ତାହା ଉପରେ ପଦକ୍ଷେପ ନେବାକୁ ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି। ଯଦି ଅର୍ଥକୁ ସୁରକ୍ଷା ନ ଦିଆଯାଏ, ତେବେ ଓଡ଼ିଶାବାସୀ ବିଜେପିକୁ କ୍ଷମା କରିବେ ନାହିଁ ବୋଲି ସେ ‌ସତର୍କ କରାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର