ମାରିଦେବା ପାଇଁ ଧମକ ଦେଉଥିଲେ, ଶେଷରେ ମାରିଦେଲେ
କଟକ/ମାହାଙ୍ଗା : ବହୁଚର୍ଚ୍ଚିତ ମାହାଙ୍ଗା ଡବଲ୍ ମର୍ଡର ଘଟଣାକୁ ନେଇ ରାଜ୍ୟ ରାଜନୀତି ଆଜି ସରଗରମ ହୋଇଉଠିଛି। ମାହାଙ୍ଗା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ତଥା ସାଲେପୁରର ବିଜେପି ପ୍ରଭାରୀ କୁଳମଣି ବରାଳ(୭୩) ଓ ତାଙ୍କ ସହଯୋଗୀ-ଦାଦା ଦିବ୍ୟସିଂହ ବରାଳ (୮୦)ଙ୍କ ହତ୍ୟାକୁ ଦଳମତ ନିର୍ବିଶେଷରେ ସମସ୍ତେ ନିନ୍ଦା କରିଛନ୍ତି। କହିଛନ୍ତି ଯେ ରାଜନୀତିରେ ହିଂସାର ସ୍ଥାନ ନାହିଁ। ଏହି ଘଟଣା ପଛରେ ସ୍ଥାନୀୟ ବିଧାୟକ ତଥା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ୧୨ଜଣଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ମୃତକଙ୍କ ପୁଅ ତଥା ସମିତି ସଭ୍ୟ ରମାକାନ୍ତ ବରାଳ। ହତ୍ୟା ପଛରେ ମନ୍ତ୍ରୀଙ୍କ ପ୍ରଚ୍ଛନ୍ନ ହାତ ରହିଛି। ମନ୍ତ୍ରୀ ମଧ୍ୟ ଜୀବନରେ ତାଙ୍କୁ ମାରିଦେବାକୁ ଧମକ ଦେଇଥିବା ନେଇ ଏତଲାରେ ଦର୍ଶାଇଛନ୍ତି ରମାକାନ୍ତ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ପ୍ରସଙ୍ଗ ଉଠାଇବା ତଥା ପୂର୍ବରୁ ହୋଇଥିବା ବିକାଶ ଜେନା ହତ୍ୟାକାଣ୍ଡରେ ନ୍ୟାୟ ପାଇଁ ଲଢ଼ିବା କାରଣରୁ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଛି ବୋଲି ମୃତକଙ୍କ ପୁଅ ରମାକାନ୍ତ ଅଭିଯୋଗ କରିଛନ୍ତି। ଫେରାର ଥିବା ସରପଞ୍ଚଙ୍କ ସ୍ବାମୀ ଓ ଅନ୍ୟ ୧୧ଜଣ ମିଶି ହତ୍ୟାକାଣ୍ଡ ଘଟାଇଥିବା ସେ କହିଛନ୍ତି। ଅନ୍ୟପଟେ ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କଟକ ଏସ୍ପି ମାହାଙ୍ଗାରେ ଡେରା ପକାଇଛନ୍ତି। ଡିଆଇଜି ଆଶିଷ ସିଂହ ମାହାଙ୍ଗାରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ପୁଲିସ ଏ ସମ୍ପର୍କରେ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ତଥା ଅପରାଧୀଙ୍କୁ ଧରିବା ପାଇଁ ୫ଜଣିଆ ଟିମ୍ ଗଠନ କରିଛି। ଘଟଣାରେ ପୁଲିସ ହାତରେ ଏକ ଅଡିଓ ଟେପ୍ ଲାଗିଥିବା ଚର୍ଚ୍ଚା ହେଉଛି। ଏହାକୁ ନେଇ ଅଞ୍ଚଳରେ ତୀବ୍ର ଉତ୍ତେଜନା ଲାଗିରହିଥିବା ବେଳେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଆଶିଷ କୁମାର ସିଂହଙ୍କ ସୂଚନା ଅନୁସାରେ, ହତ୍ୟାରେ ୧୨ଜଣ ସଂପୃକ୍ତ ଥିବା ପୁଅ ଅଭିଯୋଗ କରିଛନ୍ତି। ସେମାନଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି। ମନ୍ତ୍ରୀଙ୍କ ସଂପୃକ୍ତି ନେଇ ସେମାନେ ସନ୍ଦେହ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି ଓ ଆଜିକାଲି ଭିତରେ, ଯିଏ ବି ମାମଲାରେ ସଂପୃକ୍ତ, ସମସ୍ତଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି।
ଏସ୍ସିବିରେ ଶବ ବ୍ୟବଚ୍ଛେଦ ପରେ ଆଜି ଉଭୟଙ୍କ ମୃତଦେହକୁ କଟକରୁ ସାଲେପୁର ଦେଇ ତାଙ୍କ ଗ୍ରାମ ନୃତ୍ତାଙ୍ଗ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ନିଆଯାଇଥିଲା। ଗତକାଲିଠାରୁ ଏହି ବୀଭତ୍ସ ହତ୍ୟାକାଣ୍ଡକୁ ନେଇ ମାହାଙ୍ଗାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ବିଜେପି ରାଜ୍ୟ ନେତୃମଣ୍ଡଳୀ ଖନ୍ଦୋଳ ପାଖରେ ଉଭୟଙ୍କ ଶବ ରଖି ଏସ୍ପିଙ୍କ ସହିତ ଆଲୋଚନା କରିବା ସହ ତୁରନ୍ତ ଅପରାଧୀଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ୭ଦିନ ଭିତରେ ଅପରାଧୀଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଏସ୍ପି ବି. ଯୁଗଳ କିଶୋର। ବିରୋଧୀ ଦଳ ନେତା ପ୍ରଦୀପ ନାୟକ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ମହିଳା ରାଜ୍ୟ ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ, ଲେଖାଶ୍ରୀ ସାମନ୍ତସିଂହାର, ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା, ମାହାଙ୍ଗା ବିଜେପି ନେତା ସାରଦା ପ୍ରଧାନ, ପୂର୍ବତନ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା, ପିଙ୍କି ପ୍ରଧାନ, ଦିଲ୍ଲୀପ ମଲ୍ଲିକଙ୍କ ସମେତ ତୁଙ୍ଗ ନେତୃମଣ୍ଡଳୀ ଶବାଧାରରେ ସାମିଲ ହୋଇଥିଲେ।
ପୁଲିସ ନିକଟରେ ହୋଇଥିବା ଅଭିଯୋଗ ଅନୁସାରେ, ଶନିବାର ରାତି ସାଢ଼େ ୭ଟା ୧୫ ସମୟରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ତଥା ଦାଦା ଦିବ୍ୟସିଂହ ବରାଳ ଯଁକୋଟି ଗ୍ରାମ ରାସ୍ତାଦେଇ ବାଇକ୍ରେ ସେମାନଙ୍କ ଗାଁ ନୃତ୍ତାଙ୍ଗକୁ ଫେରୁଥିଲେ। ଯଁକୋଟି ବ୍ରାହ୍ମଣସାହି ନିକଟରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଭିକାରୀ ଚରଣ ସ୍ବାଇଁ, ପୁଅ ଉମାକାନ୍ତ, ସରପଂଚଙ୍କ ସ୍ବାମୀ କାବୁଆ ଓରଫ୍ ପ୍ରଫୁଲ୍ଲ ବିଶ୍ବାଳ, ଦିଅର ପ୍ରମୋଦ ବିଶ୍ବାଳ, ଲଳିତ ବରାଳ, ବିଜୟ ବରାଳ, କ୍ଷୀତୀଶ ଆଚାର୍ଯ୍ୟ, ମଳୟ ବାରିକ, ସନ୍ତୋଷ ପାଣି, ପଂଚାନନ ସେଠୀ, ଚୈତନ୍ୟ ସେଠୀ, କୈଳାସ ଖଟୁଆଙ୍କ ସମେତ ଅନ୍ୟମାନେ ସଂଘବଦ୍ଧ ହୋଇ ଖଣ୍ଡା, କଟୁରୀ, ବନ୍ଧୁକ, ଚାପଡ ପ୍ରଭୃତି ମାରଣାସ୍ତ୍ରରେ ଉଭୟଙ୍କ ମୁଣ୍ଡ ଓ ବେକକୁ ନୃଶଂସ ଭାବେ ହାଣି ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ କୁଳମଣି ଓ ଏସ୍ସିବିରେ ତାଙ୍କ ଦାଦା ଦିବ୍ୟ ସିଂହଙ୍କ ମୃତ୍ୟୁ ଘଟିଥିଲା।
୨୦୧୮ ଡିସେମ୍ବର ୧୩ ତାରିଖ ରାତିରେ ମାହାଙ୍ଗା ନୃତ୍ତାଙ୍ଗ ପଂଚାୟତର ବିଜେପି ସହ ପ୍ରମୁଖ ଥିବା ଯଁକୋଟି ଗ୍ରାମର ବିକାଶ ଜେନାଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଥିଲା। ସେହି ଘଟଣାରେ ସଂପୃକ୍ତ ଥିବା ଅପରାଧୀମାନେ ବି କୁଳମଣିଙ୍କ ହତ୍ୟା କରିଥିବା ପୁଅ ରମାକାନ୍ତ ଏତଲାରେ ଦର୍ଶାଇଛନ୍ତି। ଅନ୍ୟପଟେ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ବାହୁଛାୟା ତଳେ ବିକାଶ ଜେନା ହତ୍ୟାକାଣ୍ଡର ଅଭିଯୁକ୍ତ ରହିଥିବାରୁ ସେମାନଙ୍କୁ ପୁଲିସ ଜାଣିଶୁଣି ଗିରଫ କରୁ ନଥିଲା। ଯେହେତୁ ବିକାଶ ଜେନା ପରିବାରକୁ ନ୍ୟାୟ ପ୍ରଦାନ ପାଇଁ କୁଳମଣି ସଂଗ୍ରାମ ଜାରି ରଖିଥିଲେ ସେଥିପାଇଁ ବିଭିନ୍ନ ସମୟରେ ହତ୍ୟାକାଣ୍ଡରେ ସଂପୃକ୍ତ ଅପରାଧୀମାନେ ତାଙ୍କୁ ହତ୍ୟା କରିବା ପାଇଁ ଧମକ ଦେଉଥିଲେ। ସେ ଲେଖିଛନ୍ତି, ମନ୍ତ୍ରୀ ତଥା ବିଧାୟକ ମୋତେ ଓ ମୋ ବାପାଙ୍କୁ ଜୀବନରୁ ମାରିଦେଇ ରାସ୍ତାରୁ କଣ୍ଟା ହଟାଇଦେବା ପାଇଁ ଧମକ ଦେଉଥିବା ସଂପର୍କରେ ବାପା ମୋତେ କହିଥିଲେ। ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ମଧ୍ୟ କହିଥିଲେ। ଏ ନେଇ ବିଭିନ୍ନ ସମୟରେ ପୁଲିସ ପ୍ରଶାସନ, ଏପରିକି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛି ସୁଫଳ ପାଇ ନଥିବା ରମାକାନ୍ତ ଏତଲାରେ ଦର୍ଶାଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ଓ ଅନ୍ୟାନ୍ୟ ଦୁର୍ନୀତି ବିରୋଧରେ ସ୍ବର ଉଠାଇବା, ବିଶେଷ କରି ଆବାସ ଯୋଜନାରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଭିକାରୀ ସ୍ବାଇଁ ଚଞ୍ଚକତା କରି ତାଙ୍କ ବଡ଼ଭାଇ ନାଁ ଆବାସ ଯୋଜନାରେ ସାମିଲ କରିବା ଘଟଣା ଧରାପଡିବା ପରେ ତନାଘନା ହୋଇଥିଲା। ଏ ସବୁ ଘଟଣାକୁ ନେଇ ମୋ ବାପାଙ୍କୁ ଟାର୍ଗେଟରେ ରଖାଯାଇଥିବା ରମାକାନ୍ତ ଦର୍ଶାଇଛନ୍ତି।
ଇତିମଧ୍ୟରେ ଜଣେ ଅତିରିକ୍ତ ଏସ୍ପି, ଦୁଇଜଣ ଡିଏସ୍ପି ଓ ୫ଜଣ ଇନ୍ସପେକ୍ଟରଙ୍କୁ ନେଇ ୫ଜଣିଆ ଟିମ୍ ଗଠନ କରାଯାଇ ଅପରାଧୀଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ଯିଏ ବି ହତ୍ୟାକାଣ୍ଡରେ ସାମିଲ ସେମାନଙ୍କୁ ଗିରଫ କରାଯିବ ବୋଲି ଏସ୍ପି ସୂଚନା ଦେଇଛନ୍ତି। ପୁଲିସ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଭିକାରୀ ଚରଣ ସ୍ବାଇଁ, ପୁଅ ଉମାକାନ୍ତ, ସରପଂଚଙ୍କ ସ୍ବାମୀ ପ୍ରଫୁଲ୍ଲ ବିଶ୍ବାଳ, ଦିଅର ପ୍ରମୋଦ ବିଶ୍ବାଳ, ଲଳିତମୋହନ ବରାଳ, ବିଜୟ ବରାଳ, କ୍ଷୀତୀଶ ଆଚାର୍ଯ୍ୟ, ମଳୟ ବାରିକ, ସନ୍ତୋଷ ପାଣି, ପଞ୍ଚାନନ ସେଠୀ, ଚୈତନ୍ୟ ସେଠୀ, କୈଳାସ ଖଟୁଆଙ୍କ ନାମରେ ପୁଲିସ ମାମଲା (୫/୨୧) ରୁଜୁ କରିଥିବା ଜଣାଯାଇଛି। ଜଣେ ଅଜଣା ବ୍ୟକ୍ତିଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରାଯାଇଛି।