ପାଇକ ବିଦ୍ରୋହ ସ୍ମାରକୀକୁ ନେଇ ରାଜନୀତି

ମଦ କମ୍ପାନିକୁ ଜାଗା ମିଳୁଛି, ପାଇକ ବିଦ୍ରୋହ ସ୍ମାରକୀକୁ ଜାଗା ମିଳୁନି : ଧ‌ର୍ମେନ୍ଦ୍ର
ଯେତିକି ଡିପିଆର୍‌ ଯାଇଛି, ତାହା ଉପରେ ପଦ‌କ୍ଷେପ ନିଅ : ସଂସ୍କୃତି ମନ୍ତ୍ରୀ
କେନ୍ଦ୍ର ମନ୍ତ୍ରୀ ବିତଣ୍ଡା ଯୁକ୍ତି କରୁଛନ୍ତି : ବିଜେଡି

ଭୁବନେଶ୍ବର : ପା‌ଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ବରୁଣେଇ ଠାରେ ପ୍ରସ୍ତାବିତ ସ୍ମାରକୀ ନିର୍ମାଣ ନେଇ ରାଜନୀତି ଜୋର୍ ଧରିଛି। ରାଜ୍ୟ ସରକାର ୫୦ ଏକର ଜାଗା ଦେଉ ନ ଥିବାରୁ ଭର୍ତ୍ସନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ଏହାର ପାଲଟା ଜବାବ ଦେବା ସହ ବିଜେଡି ବି କେନ୍ଦ୍ର ମନ୍ତ୍ରୀଙ୍କୁ ସମାଲୋଚନା କରିଛି।

ହରେକୃଷ୍ଣ ମହତାବଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହି‌େଲ, ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ବରୁଣେଇ ନିକଟରେ ଏକ ସ୍ମାରକୀ ନିର୍ମାଣ ପାଇଁ କେନ୍ଦ୍ର ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଏଥି ପାଇଁ ଅର୍ଥ ବରାଦ ବି ହୋଇଛି। ରାଜ୍ୟ ସରକାରଙ୍କୁ ବରୁଣେଇ ନିକଟରେ ୫୦ ଏକର ଜାଗା ମଗାଯାଇଛି। କିନ୍ତୁ ସରକାର ଦେଉ ନାହାନ୍ତି। ଅଥଚ ମଦ କମ୍ପାନିର ଫ୍ୟାକ୍ଟ୍ରି ପାଇଁ ଜାଗା ନିର୍ଦ୍ବନ୍ଦ୍ବରେ ଦେଉଛନ୍ତି। ଏହା କି ପ୍ରକାର ବ୍ୟବସ୍ଥା‌ ?

ରାଜ୍ୟ ସଂସ୍କୃତି ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି, ବର୍ଷକ ତଳେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ରାଜ୍ୟରେ ଏକ ପାଇକ ସାଂସ୍କୃତିକ କେନ୍ଦ୍ର ଓ କମ୍ପ୍ଲେକ୍ସ ପ୍ରତି‌ଷ୍ଠା ପାଇଁ ରାଜ୍ୟ ସଂସ୍କୃତି ବିଭାଗକୁ ଡିପିଆର୍ ମାଗିଥିଲେ। ତାହାକୁ ମଧ୍ୟ ରାଜ୍ୟ ସରକାର ଦାଖଲ କରିସାରିଛନ୍ତି। କିନ୍ତୁ ବର୍ଷେ ହେଲାଣି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ତାହା ଉପରେ କୌଣସି ପଦକ୍ଷେପ ନେଉ ନାହିଁ। ସେହିପରି ପାଇକ ବିଦ୍ରୋହର ସ୍ମାରକୀ ଡାକଟିକଟ ପ୍ରଚଳନ ପାଇଁ‌ ମଧ୍ୟ କେନ୍ଦ୍ରକୁ ଲେଖାଯାଇଥିଲେ ବି କିଛି କରାଯାଇ ନାହିଁ। ତେଣୁ କେନ୍ଦ୍ର ମନ୍ତ୍ରୀ ବରୁଣେଇ ନିକଟରେ ଜାଗା କଥା କହୁଥିଲା ବେଳେ ଏ କାମଗୁଡ଼ିକ କିପରି ତ୍ବରାନ୍ବିତ ହେବ, ତାହାକୁ କାହିଁକି ଦିଲ୍ଲୀରେ ଦେଖୁ ନାହାନ୍ତି ?

ବିଜେଡି ପକ୍ଷରୁ ଏହାର ଜବାବ ଦେଇ ସାଂସଦ ପ୍ରତାପ ଦେବ କହିଛନ୍ତି, ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପରି ଏକ ଗମ୍ଭୀର ପରିବେଶରେ କେନ୍ଦ୍ର ମନ୍ତ୍ରୀ ଯେପରି ଭାବେ ରାଜନୀତି କରିବାକୁ ଚେଷ୍ଟା କଲେ, ତାହା ଆଦୌ ସ୍ପୃହଣୀୟ ନୁହେଁ। ବକ୍ସି ଜଗବନ୍ଧୁ ଆମ ରାଜ୍ୟର ଜଣେ ସୁଯୋଗ୍ୟ ସନ୍ତାନ। ରାଜ୍ୟ ସରକାର ଏହି ବରପୁତ୍ରଙ୍କୁ ସମ୍ମାନ ଦେବାକୁ ଯାଇ ତାଙ୍କ ନାମରେ ବୃହତ ପାନୀୟ ଜଳ ଯୋଜନା ‘ବସୁଧା’ ଆରମ୍ଭ କରିଛନ୍ତି। ବକ୍ସି ଜଗବନ୍ଧୁଙ୍କ ନାମରେ ଏକ ଟ୍ରେନ୍ ଓଡ଼ିଶାରୁ ଚଳାଚଳ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିଲା ନାହିଁ। ତେଣୁ ଶ୍ରୀ ପ୍ରଧାନ ଏ ସମ୍ପର୍କରେ ଯେଉଁ ବିତଣ୍ଡା ଯୁକ୍ତି କରୁଛନ୍ତି, ତାହାକୁ ଲୋକ ଗ୍ରହଣ କରିବେ ନାହିଁ।

ସମ୍ବନ୍ଧିତ ଖବର