ଚିଟ୍‌ଫଣ୍ଡ୍ ତଦନ୍ତରେ ଅସ୍ଥାନାଙ୍କ ଭୂମିକା ନେଇ ବିଜେପିର ସନ୍ଦେହ

କାହିଁକି ଜମାକାରୀ ଟଙ୍କା ପାଉ ନାହାନ୍ତି ବୋଲି ପ୍ରଶ୍ନ, ବିଜେଡି କହିଲା, କେନ୍ଦ୍ର ମନ୍ତ୍ରୀ ରାଜ୍ୟ ବିଜେପିର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ

ଭୁବନେଶ୍ବର : ସିବିଆଇର ସ‌େର୍ବାଚ୍ଚ ସ୍ତରରେ ଚାଲିଥିବା ବିବାଦ ଓଡ଼ିଶା ରାଜନୀତିକୁ ବି ପ୍ରଭାବିତ କରିଛି। ଯେହେତୁ ଚିଟ୍‌ଫଣ୍ଡ୍ ତଦନ୍ତ ସିବିଆଇ କରୁଛି ଓ ବିବାଦୀୟ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନା ଏହି ଦାୟିତ୍ବରେ ଥିଲେ, ତେଣୁ ରାଜନୈତିକ ବୟାନବାଜି ଜୋର୍ ଧରିଛି। ଆଜି ରାଜ୍ୟ ବିଜେପି ଅସ୍ଥାନାଙ୍କ ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠାଇବା ସହ ଶାସକ ବିଜେଡି ଦ୍ବାରା ସେ ‘ମ୍ୟାନେଜ୍’ ହୋଇଥିବା ନେଇ ଆଶଙ୍କା ପ୍ରକାଶ କରିଛି। କିନ୍ତୁ ବିଜେଡି ଏହାକୁ ଅସ୍ବୀକାର କରିବା ସହ ରାଜ୍ୟ ବିଜେପିର ଆଭିମୁଖ୍ୟ ସ୍ପଷ୍ଟ ନୁହେଁ ବୋଲି ଆରୋପ ଲଗାଇଛି।

ବିଜେପି ଉପସଭାପତି ସମୀର ମହାନ୍ତି ଗଣମାଧ୍ୟମକୁ କହିଛନ୍ତି, ସିବିଆଇ ନିର୍ଦ୍ଦେଶକ ଓ ସ୍ବତନ୍ତ୍ର ନିର୍ଦ୍ଦେଶକଙ୍କ ମଧ୍ୟରେ ବିବାଦ କଥା ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିଛି। ଅସ୍ଥାନାଙ୍କ ନାମରେ ଦୁର୍ନୀତି ଅଭିଯୋଗ ଆସୁଛି। ତେଣୁ ଓଡ଼ିଶାରେ ସେ ଚିଟ୍‌ଫଣ୍ଡ୍ ତଦନ୍ତ ଦାୟିତ୍ବରେ ଥିବାରୁ ଏଠି ବି ସେପରି କିଛି ଡିଲ୍ ହୋଇଥିବାର ସନ୍ଦେହ ସୃଷ୍ଟି ହେଉଛି। କାରଣ ସିସୋର୍ ଚିଟ୍‌ଫଣ୍ଡ୍ କମ୍ପାନି ସହ ରାଜ୍ୟ ସରକାରଙ୍କ ଖୋଲା ସମ୍ପର୍କ ଥିଲା। ବହୁ ପ୍ରକଳ୍ପରେ ସେ ରାଜ୍ୟ ସରକାରଙ୍କ ଅଂଶୀଦାର ଥିଲା। ୨୦୧୨ ମସିହାରେ ଉମରକୋଟରେ ହୋଇଥିବା ଉପନିର୍ବାଚନରେ ବିଜେଡି ଜିତିଥିଲା। ସେଠି ଦଳ ଘୋଷଣା କରିଥିଲା ଯେ ସିସୋର ମକା କାରଖାନା କରିବ। ଟିଟିଲାଗଡ଼ରେ ସୋଲାର୍ ପ୍ଲାଣ୍ଟ୍ କରିବ ବୋଲି ଇଡ୍‌କୋରୁ ସିସୋର୍ ଜାଗା ନେଇଥିଲା। କୋରାପୁଟରେ ୨୪ଟି ପିଏଚ୍‌ସିକୁ ସିସୋର୍‌କୁ ଦିଆଯାଇଥିଲା। କଟକରେ ପର୍ଯ୍ୟଟନ ବିଭାଗର ନୌକା ଚଳାଇବା ଦାୟିତ୍ବ ସିସୋର ନେଇଥିଲା। ତେଣୁ ସିସୋର ତଦନ୍ତରେ ସରକାର କଳର ମନ୍ତ୍ରୀ ଓ ଅଧିକାରୀ ପଡ଼ିବା କଥା। କିନ୍ତୁ ସେମାନେ କିପରି ତଦନ୍ତର ପରିସରଭୁକ୍ତ ହେଲେ ନାହିଁ ? ଆମ ଓଡ଼ିଶାର ୨୦ ଲକ୍ଷ ଜମାକାରୀ ପଇସା ପାଇ ନାହାନ୍ତି। ତେଣୁ ଏଥିରେ ଅସ୍ଥାନା ମ୍ୟାନେଜ୍ ନ ହୋଇଥିବେ ବୋଲି କିଏ କହିବ ? ପ୍ରମାଣ ଥିବା ସତ୍ତ୍ବେ ତଦନ୍ତ ତ୍ବରାନ୍ବିତ ହୋଇନି। ବିଜେପି ବି ତଦନ୍ତ ତ୍ବରାନ୍ବିତ କରିବାକୁ ସିବିଆଇ କତ୍ତୃର୍ପକ୍ଷଙ୍କୁ ପୂର୍ବରୁ ଭେଟି ଦାବି ଜଣାଇଛି।

ନବନିଯୁକ୍ତ ନିର୍ଦ୍ଦେଶକ (ଅନ୍ତରୀଣ) ନାଗେଶ୍ବର ରାଓଙ୍କ ପ୍ରତି ବିଜେଡିର ଆଭିମୁଖ୍ୟ ନେଇ ବି ବିଜେପି ପ୍ରଶ୍ନ ଉଠାଇଛି। ଶ୍ରୀ ମହାନ୍ତି କହିଛନ୍ତି, ଗତକାଲି ବିଜେଡି ମୁଖପାତ୍ର ଓଡ଼ିଶା କ୍ୟାଡର୍ ଆଇପିଏସ୍ ନିଯୁକ୍ତି ପାଇଥିବାରୁ ଭଲ ହେଲା ବୋଲି କହିଛନ୍ତି। ଏହା ବି ମନ ଭିତରେ ସନ୍ଦେହ ସୃଷ୍ଟି କରୁଛି। ସିବିଆଇ ନିର୍ଦ୍ଦେଶକ ଜଣେ ଆଇପିଏସ୍ ଅଫିସର୍ ହୁଅନ୍ତି। ତେଣୁ ଓଡ଼ିଶା କ୍ୟାଡର୍ କଥା କହି ଖୁସି ହେବାର କିଛି ମାନେ ନାହିଁ। ତେଣୁ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ।

ଅପର ପକ୍ଷରେ ବିଜେଡି ମୁଖପାତ୍ର ତଥା ସାଂସଦ ପ୍ରତାପ ଦେବ କହିଛନ୍ତି, ସିବିଆଇରେ ନିର୍ଦ୍ଦେଶକ ଓ ସ୍ବତନ୍ତ୍ର ନିର୍ଦ୍ଦେଶକକୁ ନେଇ ଚାଲିଥିବା ବିବାଦ ‌େକନ୍ଦ୍ର ସରକାରଙ୍କ ଆଭ୍ୟନ୍ତରୀଣ ବ୍ୟାପାର। କିନ୍ତୁ କେନ୍ଦ୍ର ଓ ରାଜ୍ୟ ବିଜେପି କଥାରେ ତାଳମେଳ ରହୁନି। ବିଜେପି ଆଜି ଯେପରି ଚିଟ୍‌ଫଣ୍ଡ୍ ତଦନ୍ତ ପ୍ରସଙ୍ଗରେ ସ୍ବତନ୍ତ୍ର ନିର୍ଦ୍ଦେଶକଙ୍କ ଉପରକୁ ଆଙ୍ଗୁଠି ଉଠାଇଛି, ‌ତାଙ୍କ ନେତା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖପାତ୍ରମାନଙ୍କ ସହ ଏଥିରେ ଏକମତ କି ନାହିଁ, ସ୍ପଷ୍ଟ କରନ୍ତୁ।

ସମ୍ବନ୍ଧିତ ଖବର