ମୟୂରଭଞ୍ଜରେ ତେଜିଲା ସାମାଜିକ ଦୂରତା ରାଜନୀତି

ପ୍ରଶାସନର ପାତରଅନ୍ତର ନୀତିକୁ ବିଜେପିର ସମାଲୋଚନା

ବାରିପଦା : କରୋନାରେ ମୟୂରଭଞ୍ଜରେ ତେଜିଛି ସାମାଜିକ ଦୂରତା ରାଜନୀତି। କରୋନା ସମୟରେ ଏକ ଭର୍ଚୁଆଲ୍ ର‍୍ୟାଲିରେ ଯୋଗଦେବା ସହିତ ବାରିପଦା ପୌରପରିଷଦର ୱାର୍ଡ ନଂ-୨୫ରେ କିଛି ମହିଳାଙ୍କୁ ଭେଟିଥିବାରୁ ପୁଲିସ୍ ପକ୍ଷରୁ ପୂର୍ବତନ ଜିଲ୍ଲା ବିଜେପି ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ୨୫ଜଣ ଦଳୀୟ ସମର୍ଥକଙ୍କ ନାମରେ ବାରିପଦା ଟାଉନ୍ ଥାନାରେ ଅଭିଯୋଗ ଦାୟର ହୋଇଛି। ତେବେ ଏହାକୁ ନେଇ ବିଜେପି ଆଜି ସିଧାସଳଖ ବିଜେଡିର ସାଂଗଠନିକ ସଂପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କୁ ଟାର୍ଗେଟ୍ କରିଛି। ବବି ଗତମାସ ୨୮ରେ ବାରିପଦା ଗସ୍ତରେ ଆସିଥିଲେ। ତେବେ ଉକ୍ତଦିନ ତାଙ୍କର ଜନ୍ମଦିନଥିବାରୁ ଦଳୀୟ ସମର୍ଥକ ବବିଙ୍କୁ ଶୁଭେଚ୍ଛା ପ୍ରଦାନ ବେଳେ ମଧ୍ୟ ସାମାଜିକ ଦୂରତା ନିୟମ ଉଂଲଘନ ହୋଇଥିବା ବିଜେପି ଅଭିଯୋଗ କରିଛି। ଯଦି ସମାନ ଦିନରେ ମହିଳାମାନଙ୍କ ବିଭିନ୍ନ ସମସ୍ୟା ଶୁଣିବାରୁ ସାମାଜିକ ଦୂରତା ନିୟମ ଉଂଲଘନ ଅଭିଯୋଗରେ ବିଜେପି ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ମାମଲା ରୁଜୁ ହୋଇପାରୁଛି, ତେବେ ବିଜେଡିର ଏହି ପାୱାରଫୁଲ୍ ନେତାଙ୍କ ବିରୋଧରେ କାହିଁକି ମାମଲା ରୁଜୁ ହେଉନାହିଁ ବୋଲି ଅଭିଯୋଗ କରିଛି ବିଜେପି।

ଜିଲ୍ଲାପ୍ରଶାସନର ଏପରି ଦୋମୁହାଁ ନୀତିକୁ ଦଳ ବିରୋଧ କରୁଛି ବୋଲି ଆଜି ସ୍ଥାନୀୟ ବଜାର ଇଣ୍ଡିଆ ସମ୍ମିଳନୀ କକ୍ଷରେ ବିଜେପି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ପୂର୍ବତନ ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର। ଭର୍ଚୁଆଲ୍ ର‍୍ୟାଲିରେ ଯୋଗଦେଇ ଯଦି ବିଜେପି ନେତାଙ୍କୁ ଟାର୍ଗେଟ୍ କରାଯାଇପାରୁଛି ତେବେ ମୟୂରଭଞ୍ଜ ପର୍ଯ୍ୟବେକ୍ଷକ ଥିବା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶଙ୍କ ବିରୋଧରେ କାହିଁକି ମାମଲା ରୁଜୁ ହେଉନାହିଁ ବୋଲି ଦଳ ପ୍ରଶ୍ନ କରିଛି। ସେହିପରି ଗତ ଜୁନ ୭ରେ ରାସଗୋବିନ୍ଦପୁର ବ୍ଲକ ସାରୁମଳା ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ୨୧ ଦିନ ଅବସ୍ଥାନ କରିଥିବା ପ୍ରବାସୀ ଶ୍ରମିକମାନଙ୍କୁ ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ଉତ୍ତମ କୁମାର ମହାନ୍ତି, ବିଜୁ ମହିଳା ବ୍ଲକ ସଭାନେତ୍ରୀ ଉଜ୍ଜୟିନୀ ବେହେରା, ରାସଗୋବିନ୍ଦପୁର ବ୍ଲକ ବିଡିଓ ୨ ହଜାର ଟଙ୍କାର ଚେକ୍ ବାଣ୍ଟିଥିଲେ। ଗତ ମାସ ୧୨ରେ ବ୍ଲକ ପରିସରରେ ଭିନ୍ନକ୍ଷମମାନଙ୍କୁ ଟ୍ରଲି ରିକ୍ସା ପ୍ରଦାନ କରାଯିବା କେତେଦୂର ଆଇନ ସଙ୍ଗତ ବୋଲି ମଧ୍ୟ ବିଜେପି ପ୍ରଶ୍ନ ଉଠାଇଛି ।

ପୁଣି ବାରିପଦା ଅର୍ବାନ୍ ବ୍ୟାଙ୍କ ଜମାକାରୀମାନଙ୍କୁ ସେମାନଙ୍କ ଜମାଟଙ୍କା ଫେରସ୍ତ ଦେବା ନିମନ୍ତେ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିବା ବେଳେ ବିଜେଡି ଏଥିରୁ ସମସ୍ତ ଶ୍ରେୟ ନେବା ନିମନ୍ତେ ମିଥ୍ୟା ପ୍ରଚାର ଚଳାଉଥିବାକୁ ବିଜେପି ପକ୍ଷରୁ ନାପସନ୍ଦ କରାଯାଇଛି। ସେହିପରି କେନ୍ଦ୍ର ସରକାରଙ୍କ ଦୀନଦୟାଲ ଜ୍ୟୋତି ଯୋଜନାରେ ୧୦୬ଟି ଗ୍ରାମକୁ ବିଦ୍ୟୁତକରଣ ବାକି ରହିଯାଇଥିବା ବେଳେ ଏହା କାର୍ଯ୍ୟକାରିତାର କଚ୍ଛପ ଗତିକୁ ନେଇ ବିଜେପି ନିଜର ଅସନ୍ତୋଷ ପ୍ରକାଶ କରିଛି ଏବଂ ବିଦ୍ୟୁତ୍ ବିଭାଗ ମାସକୁ ମାସ ବିଲ ଆଦାୟ ନ କରି ମାସ ମାସ ବ୍ୟବଧାନ ପରେ ଏକକାଳୀନ ବିଲ ଆଦାୟ ନିମନ୍ତେ ଜୁଲୁମ ଚଳାଇଛି । ଏକକାଳୀନ ବିଲ୍ ପଇଠ କରିନପାରିଲେ ଉପଭୋକ୍ତାଙ୍କ ବିଦ୍ୟୁତ ସଂଯୋଗକୁ ବିଚ୍ଛିନ୍ନ କରାଯିବାକୁ ବିଜେପି ପକ୍ଷରୁ ବିରୋଧ କରାଯାଇଛି । ଜିଲ୍ଲାରେ ପଞ୍ଜିକୃତ ଚାଷୀମାନେ ଟୋକନ ପାଇ ଧାନ ମଣ୍ଡିରେ ଧାନ ବିକ୍ରି କରିନପାରି ବିଭିନ୍ନ ସମସ୍ୟା ମଧ୍ୟଦେଇ ଗତି କରୁଛନ୍ତି । ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଏ ଦିଗରେ ସଚେତନତା ଅବଲମ୍ବନ ନକଲେ ବିଜେପି ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ବିଜେପିର ପୂର୍ବ ଜିଲ୍ଲା ସଙ୍ଗଠନ ସଭାପତି କାନ୍ଦ୍ରା ସୋରେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର, ଜିଲ୍ଲାପରିଷଦ ସଭାପତି ସୁଜାତା ମୁର୍ମୁ, ଉଦଳା ବିଧାୟକ ଭାସ୍କର ମଢ଼େଇ, ସାରସକଣା ବିଧାୟକ ବୁଢ଼ାନ ମୁର୍ମୁ, ବଡ଼ସାହି ବିଧାୟକ ସନାତନ ବିଜୁଳି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରଞ୍ଜନ ମୋଦି, ପ୍ରଦୀପ ମହାନ୍ତି, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଦୀନେଶ ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ ।

ସମ୍ବନ୍ଧିତ ଖବର