ରାଜନୀତି ଅଠାକାଠିରେ ସହିଦ୍‌ ବିର୍ସା ମୁଣ୍ଡା

ଆଦିବାସୀ ଭୋଟ୍‌ ବ୍ୟାଙ୍କକୁ ନେଇ କସରତ

ବାଲେଶ୍ୱର, (ରୁଦ୍ରରଞ୍ଜନ ଶେଜପଡ଼ା): ସହିଦ୍ ବିର୍ସା ମୁଣ୍ଡା। ଭାରତୀୟ ସ୍ବାଧୀନତା ସଂଗ୍ରାମ ଇତିହାସରେ ଏକ ଜାଜ୍ବଲ୍ୟମାନ ନାଁ। ୧୮୭୫ ମସିହାରେ ରାଞ୍ଚିର ଏକ ଆଦିବାସୀ ପରିବାରରେ ଜନ୍ମଲାଭ କରିଥିବା ଏହି ଯୁବକଙ୍କ ଅସୀମ ପରାକ୍ରମ ତତ୍କାଳୀନ ଇଂରେଜ ସରକାରଙ୍କୁ ଏକପ୍ରକାର ଅସ୍ତବ୍ୟସ୍ତ କରି ଦେଇଥିଲା। ଜଙ୍ଗଲ ଭିତରେ ଲୁଚିଛପି ହେଉ ବା ସମ୍ମୁଖ ଲଢ଼େଇ, ସବୁଥିରେ ବ୍ରିଟିସ୍‌ ଫଉଜକୁ ପରାଭବ ଦେଉଥିଲେ ବିର୍ସା। ଇଂରେଜ ସେନା ବିରୋଧରେ ରଣହୁଙ୍କାର ଦେଇଥିବା ଏହି ସାହସୀ ଯୁବକ ମାତ୍ର ୨୬ ବର୍ଷ ବୟସରେ ରାଞ୍ଚି ଜେଲ୍‌ରେ ବୀରଗତି ପ୍ରାପ୍ତି ହୋଇଥିଲେ। ଦେଶ ପାଇଁ ପ୍ରାଣବଳି ଦେଇଥିବା ବିର୍ସାଙ୍କ ପାଇଁ ଆଜି ପ୍ରତିଟି ଭାରତୀୟ ଗର୍ବ ଅନୁଭବ କରନ୍ତି। କେବଳ ସେତିକି ନୁହେଁ, ଜନଜାତିର ଲୋକେ ତାଙ୍କୁ ଶୌର୍ଯ୍ୟର ପ୍ରତୀକ ଭାବେ ଭଗବାନଙ୍କ ପରି ପୂଜା ମଧ୍ୟ କରନ୍ତି। ତେବେ ସେହି ବୀର ବିର୍ସା ମୁଣ୍ଡାଙ୍କୁ ନେଇ ଏବେ ମୟୂରଭଞ୍ଜ ରାଜନୀତିରେ ଉଷ୍ମତା ପରିଲକ୍ଷିତ ହୋଇଛି। ପଞ୍ଚାୟତ ଓ ପୌର ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ଓ ବିଜେଡି ଭାବାବେଗ ରଣନୀତିର ଗୋଟି ଚାଳନା ଆରମ୍ଭ କରିଛନ୍ତି।

ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍‌ କେନ୍ଦୁଜିଆଣି ପଞ୍ଚାୟତ ଢିପାସାହିରେ ଚଳିତ ମାସ ୧୦ ତାରିଖରେ ବିର୍ସା ମୁଣ୍ଡାଙ୍କର ଏକ ନୂତନ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ଥିଲା। ତେବେ ପ୍ରତିମୂର୍ତ୍ତି ଉନ୍ମୋଚନ ଅପେକ୍ଷା ଏହା ବିଜେଡିର ଦଳୀୟ କାର୍ଯ୍ୟକ୍ରମ ଅଧିକ ବୋଲି ଜଣାପଡ଼ୁଥିଲା। କାରଣ ଏହି ପ୍ରତିମୂର୍ତ୍ତିକୁ ବି‌ଜେଡିର ମହାସଚିବ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଉନ୍ମୋଚନ କରିଥିଲେ। ତାଙ୍କ ସହ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି, ରାଜ୍ୟସଭା ସାଂସଦ ମମତା ମହାନ୍ତ, ବିଧାୟିକା ବାସନ୍ତୀ ହେମ୍ବ୍ରମ୍‌, ମୋରଡ଼ା ବିଧାୟକ ରାଜକିଶୋର ଦାସ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ବରିଷ୍ଠ ନେତା ଡା.ଦେବାଶିଷ ମାରାଣ୍ତି ପ୍ରମୁଖ ଉପସ୍ଥିତ ଥିଲେ। ହଜାର ହଜାର ଆଦିବାସୀ ଓ ବିଜେଡି କର୍ମୀ ପ୍ରଣବଙ୍କ ଜୟଗାନ କଲେ। ବ୍ୟାନର୍‌ଠାରୁ ଆରମ୍ଭ କରି, ସଭାସ୍ଥଳ, ବେଲୁନ୍‌; ସବୁଠି ଦଳୀୟ ରଙ୍ଗ ସତେଯେମିତି ଲେପି ହୋଇଯାଇଥିଲା। ସୂଚନାଥାଉକି, ଗତବର୍ଷ ଡିସେମ୍ବର ୯ ତାରିଖ ରାତିରେ ଢିପାସାହିରେ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି ଦେଇଥିଲେ। ଯାହାକୁ ନେଇ ତମ୍ବିତୋଫାନ ହୋଇଥିଲା। ଦୋ‌ଷୀଙ୍କୁ ଦଣ୍ଡ ଦେବା ପାଇଁ ଆଦିବାସୀ ସଂପ୍ରଦାୟର ନେତା ଓ ହଜାର ହଜାର ଜନଜାତି ଲୋକ ସ୍ବର ଉଠାଇଥିଲେ। ଏମିତିକି ନ୍ୟାୟ ନ ମିଳିବା ଯାଏ ଫୁଲ ପକାଇ ଭଙ୍ଗା ପ୍ରତିମୂର୍ତ୍ତିକୁ ରଖାଯିବାକୁ ନିଷ୍ପତ୍ତି ହୋଇଥିଲା। ଶେ‌ଷରେ ବାଧ୍ୟ ହୋଇ କରଞ୍ଜିଆ ଉପଜିଲ୍ଲାପାଳ ଡ.ରଜନୀକାନ୍ତ ବିଶ୍ୱାଳ ସହିଦ୍‌ ବିର୍ସା ମୁଣ୍ଡାଙ୍କର ଏକ ନୂଆ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଫଳରେ ଆଦିବାସୀମାନେ ପରମ୍ପରା ଅନୁସାରେ ଭଙ୍ଗା ପ୍ରତିମୂର୍ତ୍ତିକୁ କାନ୍ଧରେ ବୋହି ସମାଧି ଦେବା ସହ ବିଧି ମୁତାବକ ମୁଣ୍ଡନ ହୋଇଥିଲେ।

ଅନ୍ୟପଟେ ବିଜେଡି ତରଫରୁ ପ୍ରତିମୂର୍ତ୍ତି ଲୋକାର୍ପଣ ସରିବା ପରେ ହଠାତ ଚେଇଁ ଉଠିଥିଲା ବିଜେପି। ଆଉ ଘୋଷଣା କରିଥିଲା ନଭେମ୍ବର ୧୫ ତାରିଖ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ‘ଜନଜାତୀୟ ଗୌରବ ଦିବସ’ ଭାବେ ପାଳନ କରାଯିବ ବୋଲି। ଯାହାକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ ମଧ୍ୟ ଦେଲା।

ତେବେ ବିର୍ସାଙ୍କ ଜୟନ୍ତୀକୁ ୪ ଦିନ ବାକି ଥିବା ବେଳେ ଗୋଟିଏ ଦିନରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ବିଧାୟକମାନେ ହଜାର ହଜାର ଆଦିବାସୀଙ୍କ ଗହଣରେ ସହିଦ୍‌ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ଏବଂ ସେପଟେ ମୟୂରଭଞ୍ଜକୁ ଫୋକସ୍‌ କରୁଥିବା କେନ୍ଦ୍ର ସରକାର ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ‘ଜନଜାତୀୟ ଗୌରବ ଦିବସ’ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେବା କେଉଁଠି ନା କେଉଁଠି ରାଜନୈତିକ ଫାଇଦା ହାତେଇବାକୁ ଉଦ୍ୟମ ବୋଲି ପ୍ରତୀୟମାନ ହେଉଛି। ମୂର୍ତ୍ତିଭଙ୍ଗା ଆନ୍ଦୋଳନ ସମୟରେ ଉଭୟ ବିଜେଡି, ବିଜେପି ଆଦିବାସୀଙ୍କ ସ୍ବର ସହ ସ୍ବର ମିଶାଇ ନ ଥିବା ବେଳେ ଏବେ ଅହେତୁକ ଆନ୍ତରିକତାକୁ ରାଜନୈତିକ ସମୀକ୍ଷକମାନେ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି।

ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ‘ଜନଜାତୀୟ ଗୌରବ ଦିବସ’ ଭାବେ ପାଳନ କରାଯିବା କେନ୍ଦ୍ରୀୟ ନିଷ୍ପତ୍ତି ପଛରେ ମୟୂରଭଞ୍ଜ ଜିଲ୍ଲା ସହ ଜଡ଼ିତ କେନ୍ଦ୍ରୀୟ ନେତାମାନଙ୍କ ହାତ ରହିଥିବା ଚର୍ଚ୍ଚା ହେଉଛି। ମୟୂରଭଞ୍ଜ ସାଂସଦ ବିଶ୍ବେଶ୍ବର ଟୁଡୁ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳସଂପଦ ମନ୍ତ୍ରୀ ଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନ ଭାରତର ଶିକ୍ଷାମନ୍ତ୍ରୀ ଅଛନ୍ତି। କେବଳ ସେତିକି ନୁହେଁ, ଜେଏମ୍‌ଏମ୍‌ରୁ ଆସି ବିଜେପି‌ରେ ମିଶିଥିବା ଏବଂ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ହୋଇଥିବା ଅର୍ଜୁନ ମୁଣ୍ଡାଙ୍କ ସଂପର୍କ ମୟୂରଭଞ୍ଜର ଜେଏମ୍‌ଏମ୍‌ ଓ ବିଜେପି ନେତାମାନଙ୍କ ସହ ଖୁବ୍‌ ଭଲ।

ଅବଶ୍ୟ ଗୋଟିଏ ଦିନରେ ବିଜେଡିର ବରିଷ୍ଠ ନେତା, ମନ୍ତ୍ରୀ ଓ ବିଧାୟକଙ୍କ ଦ୍ବାରା ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯିବା ଏବଂ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ‘ଜନଜାତୀୟ ଗୌରବ ଦିବସ’ ଭାବେ ପାଳନ ନେଇ କେନ୍ଦ୍ର କ୍ୟାବିନେଟ୍‌ର ଘୋଷଣା ଏକ ସଂଯୋଗ ହୋଇପାରେ। କିନ୍ତୁ ଏସବୁ ପରେ ବି ଗୋଟିଏ କଥା ସ୍ପଷ୍ଟ ଭାବେ କୁହାଯାଇପାରେ ଯେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ ବିଜେଡି ଓ ବିଜେପି ଆଦିବାସୀଙ୍କ ଭୋଟ୍‌କୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି।

ସମ୍ବନ୍ଧିତ ଖବର