ବିଜେଡି ବନ୍ଦକୁ ନେଇ ବଢ଼ିଲା ରାଜନୀତି, ବନ୍ଦରେ ସାଂସଦଙ୍କ ଦେଖା ମିଳିଲାନି

ଦୋଷ ଘୋଡ଼ାଇବା ପାଇଁ ଡ୍ରାମା: ବିଜେପି, ସାଂସଦଙ୍କ ‘ତାଳଚେର ବନ୍ଦ’ ଆଜି

ଅନୁଗୁଳ : ଟିଟିପିଏସ୍ ବନ୍ଦ ପ୍ରତିବାଦରେ ଆଜି ଅନୁଗୁଳ ଜିଲ୍ଲାକୁ ବନ୍ଦ କରାଇଛି ବିଜେଡି। ହେଲେ ଏହି ବନ୍ଦ ପାଳନରେ ସାଂସଦ କିମ୍ବା ତାଙ୍କ ସମର୍ଥକଙ୍କ ଦେଖା ମିଳିନି। ଯଦିଓ, ବନ୍ଦ ପାଳନରେ ସାଂସଦଙ୍କ ଫଟୋ ଥିବା ପୋଷ୍ଟର ବୁଲୁଥିଲା, କିନ୍ତୁ ସାଂସଦ ବିଜେଡିର ସଦସ୍ୟ ହୋଇ ମଧ୍ୟ ରାସ୍ତାକୁ ଓହ୍ଲାଇ ନ ଥିଲେ। ‘ବନ୍ଦ’କୁ ନେଇ ବିଜେଡିରେ ଏମିତି ବିବାଦ ବଢୁଥିଲାବେଳେ ଆଜି ଛିଗୁଲେଇଛି ବିଜେପି। ଦଳ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ଅନୁଗୁଳବାସୀଙ୍କ ସ୍ବାର୍ଥ ପାଇଁ ବିଜେଡି ଏହି ବନ୍ଦ କରି ନ ଥିଲା। ବରଂ, ଦଳରେ ଚାଲିଥିବା ଅନ୍ତଃକନ୍ଦଳକୁ ଘୋଡ଼ାଇବା ପାଇଁ ଏମିତି ହାଇଡ୍ରାମା କରିଛି।

ବିଜେଡି ପକ୍ଷରୁ ଆଜି କରାଯାଇଥିବା ବନ୍ଦ ପାଳନକୁ ମୂଳରୁ ସମର୍ଥନ ଦେବେନି ବୋଲି କହିଥିଲେ ଶାସକ ଦଳର ଢେଙ୍କାନାଳ ସାଂସଦ ମହେଶ ସାହୁ। ବନ୍ଦ ଡାକରା ଦେବା ପୂର୍ବରୁ ତାଙ୍କୁ କେହି ଯୋଗାଯୋଗ କରି ନାହାନ୍ତି ଓ ସାମ୍ବାଦିକ ସମ୍ମିଳନୀକୁ ଡାକି ନାହାନ୍ତି। ତେଣୁ ଏହି ବନ୍ଦରେ ସେ ଭାଗ ନେବାର ପ୍ରଶ୍ନ ଉଠୁନି ବୋଲି କହିଥିଲେ। କେବଳ ଏତିକି ନୁହେଁ, ତାଙ୍କ ନେତୃତ୍ବରେ କ୍ରିୟାନୁଷ୍ଠାନ କମିଟି ୮ରେ ‘ତାଳଚେର ବନ୍ଦ’ ପାଳନ କରୁଥିବାରୁ ଏହାକୁ ଭଣ୍ଡୁର କରିବା ପାଇଁ ଏହା ଏକ ଚକ୍ରାନ୍ତ ବୋଲି ସେ ସନ୍ଦେହ କରିଥିଲେ। ଦୁଇଦିନ ଆଗରୁ ସାଂସଦ ଦେଇଥିବା ଏହି ମନ୍ତବ୍ୟକୁ ଦଳ କିନ୍ତୁ ବିଶେଷ ଗୁରୁତ୍ବ ଦେଇ ନ ଥିଲା। ଦଳରେ ସବୁ ଠିକ୍ ଚାଲିଛି ବୋଲି ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ କହିଥିଲେ ହେଁ, ଭିତରେ ଭିତରେ ବିବାଦ କୁହୁଳୁଥିବା ସ୍ପଷ୍ଟ ହୋଇଥିଲା। ଏହାର ପ୍ରତିଫଳନ ଆଜି ‘ବନ୍ଦ’ ପାଳନ ସମୟରେ ଦେଖିବାକୁ ମିଳିଥିଲା। ସାଂସଦ ମହେଶ ସାହୁ ଏହି ବନ୍ଦରେ ସାମିଲ ହୋଇ ନ ଥିଲେ। ତାଙ୍କ ସମର୍ଥକମାନଙ୍କର ମଧ୍ୟ ଦେଖା ମିଳି ନ ଥିଲା। ଅପରପକ୍ଷରେ ବିଧାୟକମାନେ ନିଜ ନିଜ ଅଞ୍ଚଳରେ ବନ୍ଦ ପାଳନର ନେତୃତ୍ବ ନେଇଥିଲେ। କିନ୍ତୁ ୧୨ ଘଣ୍ଟିଆ ବନ୍ଦ ୭ ଘଣ୍ଟାରେ ଶେଷ ହୋଇଯାଇଥିଲା। ଟିଟିପିଏସ୍‌ ଚାଲିବା ନେଇ ପ୍ରତିଶ୍ରୁତି ମିଳିଥିବା ନେଇ ରାଜ୍ୟ ସଂଗଠନ ପକ୍ଷରୁ ସୂଚନା ଦିଆଯିବା ପରେ ବନ୍ଦକୁ ସ୍ଥଗିତ ରଖାଯାଇଥିବା ବିଜେଡି ନେତାମାନେ କହିଥିଲେ ମଧ୍ୟ ଏହାକୁ ସାଧାରଣ ଲୋକେ ଓ ବିରୋଧୀ ସହଜରେ ଗ୍ରହଣ କରି ପାରି ନାହାନ୍ତି।

ବିଜେଡିର ଏହି ବନ୍ଦକୁ ବିଜେପି କଟାକ୍ଷ କରିବା ସହ ଏହା ଦଳୀୟ କନ୍ଦଳର ପ୍ରତିଫଳନ ବୋଲି କହିଛି। ବିଜେପି ପକ୍ଷରୁ ଆଜି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ସାଂସଦ ଆଗରୁ ୮ରେ ବନ୍ଦ ଡାକରା ଦେଇଥିଲାବେଳେ ତରବରିଆ ଭାବେ ଦଳ ପକ୍ଷରୁ ଆଜି ବନ୍ଦ କରାଯାଇଛି। ଏମିତି ବନ୍ଦ କରି ସାଂସଦ ଓ ବିଧାୟକମାନଙ୍କ ପରସ୍ପର ଭିତରେ ବଳ କଷାକଷି ହେଉଛନ୍ତି ବୋଲି ବିଜେପି ନେତା ରୁଦ୍ର ନାରାୟଣ ପାଣି କହିଛନ୍ତି।

ଅପରପକ୍ଷରେ ସାଂସଦ ମହେଶ ସାହୁ କହିଛନ୍ତି ଯେ ସେ ଆଜିର ବନ୍ଦରେ ସାମିଲ ହୋଇ ନ ଥିଲେ ମଧ୍ୟ ବିରୋଧ କରି ନାହାନ୍ତି। ଟିଟିପିଏସ୍‌ ଚାଲିବା ପାଇଁ ଯେତେ ଅଧିକ ଚାପ ପଡ଼ିବ, ସେତେ ଭଲ। କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆସନ୍ତାକାଲି ‘ତାଳଚେର ବନ୍ଦ’ ପାଳନ କରାଯିବ। ଏହାକୁ ସମର୍ଥନ ଦେବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର